ଦିଲ୍ଲୀ ଉଦ୍ୟୋଗ ଭବନକୁ ଆତ୍ମଘାତି ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ: ଆଲର୍ଟରେ ସୁରକ୍ଷା କର୍ମୀ

Published By : Prameya-News7 Bureau | May 30, 2025 IST

indiatoday

ନୂଆଦିଲ୍ଲୀ: ନୂଆଦିଲ୍ଲୀ ସ୍ଥିତ ଉଦ୍ୟୋଗ ଭବନକୁ ଆତ୍ମଘାତି ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ମିଳିବା ପରେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏନେଇ ଶୁକ୍ରବାର ହେବି ଇଣ୍ଡଷ୍ଟ୍ରୀ ସଚିବଙ୍କ ପାଖକୁ ଏହି ଧମକପୂର୍ଣ୍ଣ ଇ-ମେଲ୍ ଆସିଥିଲା। ଏଥିରେ  ଦାବି କରାଯାଇଛି ଯେ ଉଦ୍ୟୋଗ ଭବନ ପରିସରରେ ଆତ୍ମଘାତୀ ଆଇଇଡି ବିସ୍ଫୋରଣ କରାଯାଇପାରେ। ଏହାପରେ ସେଠାରେ ଆଲର୍ଟ ଜାରି କରାଯାଇଛି। 

କେନ୍ଦ୍ରୀୟ ସଚିବଙ୍କୁ ଏହି ଧମକ ମିଳିବା ପରେ ସେ CISF (କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ) ସହାୟକ କମାଣ୍ଡାଣ୍ଟଙ୍କୁ ଏକ ଚିଠି ଜାରି କରି ତୁରନ୍ତ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କୋଠାଟିକୁ ଖାଲି କରିବାକୁ କୁହାଯାଇଥିଲା। ଏହି ଅଞ୍ଚଳ ଏବଂ ଏହାର ଆଖପାଖରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି ଏବଂ ଅଧିକାରୀମାନେ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରୁଛନ୍ତି। ତେବେ ଏହି ଧମକ ସତ ନା ଏକ ଗୁଜବ ସେନେଇ  ପୁଲିସ ତଦନ୍ତ ଜାରି ରଖିଛି।

ପଢନ୍ତୁ- ଲାଲ୍ ବାହିନୀର ହିଂସା ପଥ ଛାଡୁଛନ୍ତି ମାଓବାଦୀ, ଦୁଇ ACM କ୍ୟାଡରଙ୍କ ସମେତ ୧୭ ଜଣ କଲେ ଆତ୍ମସମର୍ପଣ

ଏହା ପୂର୍ବରୁ ଚଣ୍ଡିଗଡ଼ ପୋଲିସକୁ ମଧ୍ୟ ଫୋନ୍ କରି ବୋମା ବିସ୍ଫୋରଣ କରିବାର ଧମକ ଦିଆଯାଇଥିଲା। ଯାହା ଦ୍ୱାରା ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ ସ୍ଥାନଗୁଡ଼ିକରେ ହାଇ ଆଲର୍ଟ ଜାରି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଫୋନ କରିଥିବା ବ୍ୟକ୍ତି ହରିୟାଣା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦେଇଛି। ଧମକ ମିଳିବା ପରେ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

ହରିୟାଣା ସଚିବାଳୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବୋମା ନିଷ୍କ୍ରିୟକାରୀ ଦଳ, ବହୁ ସଂଖ୍ୟାରେ ସଶସ୍ତ୍ର କର୍ମଚାରୀଙ୍କ ସହିତ, ଉଭୟ ସ୍ଥାନ ଏବଂ ଏହାର ଆଖପାଖରେ ତଲାସୀ କରୁଥିବା ଦେଖାଯାଇଛି। ତେବେ କଲ୍ କିଏ କରିଥିଲା, କାହିଁକି କରିଥିଲା ?  ଏହା ସତ୍ୟ ନା ମିଛରେ ଚାଞ୍ଚଲ୍ୟ ସୃଷ୍ଟି କରିବାକୁ ଏଭଳି ଧମକ୍ ଦେଇଛି ସେନେଇ କର୍ତ୍ତୃପକ୍ଷ ତଦନ୍ତ ଜାରି ରଖିଛନ୍ତି। ଧମକପୂର୍ଣ୍ଣ କଲ୍‌ର ମୂଳ ଉତ୍ସକୁ ଖୋଜିବା କାମ ଜାରି ରହିଛି। ତେବେ ସେଠାରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ସନ୍ଦେହଜନକ ବସ୍ତୁ ମିଳିନାହିଁ,ତଥାପି ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.