LIVE TV

ପାକିସ୍ତାନରେ ବୋମା ବିସ୍ଫୋରଣ, ୫ ଯବାନ ସମେତ ୧୧ ମୃତ

NEWS7
Pakistan

ନୂଆଦିଲ୍ଲୀ: ପାକିସ୍ତାନର ବଲୁଚିସ୍ତାନରେ ଭିନ୍ନ ଭିନ୍ନ ବୋମା ବିସ୍ଫୋରଣରେ ଅତି କମରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ଓ ଇରାନ ସୀମା ସଂଲଗ୍ନ ବଲୁଚିସ୍ତାନରେ ବିଗତ ଦିନରେ ଏମିତି ହମଲା ହୋଇ ଆସିଛି। ଗୁରୁବାର ପାକିସ୍ତାନର ଇରାନ ସହ ଲାଗି ରହିଥିବା ଦକ୍ଷିଣ ପଶ୍ଚିମ ସୀମାରେ ଅର୍ଦ୍ଧ ସାମରିକ ବଳର କାରକେଡ୍ ଉପରେ ଏକ ଆତ୍ମଘାତୀ ଆକ୍ରମଣକାରି କାର ସହ ପଶି ଆସିଥିଲା। ଏଥିରେ ଭୟଙ୍କର ବିସ୍ଫୋରଣ ଘଟି ୫ ଜଣ ଯବାନଙ୍କ ପ୍ରାଣହାନୀ ଘଟିଛି। ଏହି ଆକ୍ରମଣ ପାଇଁ ବଲୋଚ ଲିବେରେସନ ଆର୍ମି ନିଜକୁ ଦାୟୀ କରିଛନ୍ତି।

ପୋଲିସ ଅଧିକାରୀ କହିଛନ୍ତି, ପ୍ରଥମ ହମଲା ବଲୁଚିସ୍ତାନ ପ୍ରାନ୍ତର ତୁର୍ବତ ଜିଲ୍ଲାରେ ଘଟିଛି। ଆତ୍ମଘାତୀ ଆକ୍ରମଣକାରୀ କାର ସହ ସୁରକ୍ଷାକର୍ମୀଙ୍କ କାରକେଡ୍ ଭିତରକୁ ପଶି ଆସିଥିଲା। ବିସ୍ଫୋରଣରେ ୫ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିବା ସହ ୨୩ ଜଣ ଆହତ ହୋଇଛନ୍ତି।  ଅନ୍ୟ ଏକ ହମଲା ଆଫଗାନିସ୍ତାନ ସୀମା ନିକଟରେ ହୋଇଛି। ଏଥିରେ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ଏହି ବିସ୍ଫୋରଣ ପାକିସ୍ତାନ-ଆଫଗାନିସ୍ତାନ ସୀମା ନିକଟସ୍ଥ ଚମନ ଜିଲ୍ଲାର ଏକ ଟ୍ୟାକ୍ସି ଷ୍ଟାଣ୍ଡ ନିକଟରେ ଘଟିଛି। ଆହତଙ୍କୁ ଜିଲ୍ଲା ମୁଖ୍ୟାଳୟରେ ଭର୍ତ୍ତି କରାଯାଇଛି। ଚମନରେ ସରକାରୀ ଚିକିତ୍ସା ଜରୁରୀକାଳୀନ ପ୍ରତିକ୍ରିୟା କେନ୍ଦ୍ର(ଏମଇଆରସି) ୧୧୨୨ର ପ୍ରଭାରୀ ଗଫୁର ଉର ରେହମାନ କହିଛନ୍ତି, ଆହତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି। ତେବେ ଏହି ଆକ୍ରମଣ ପାଇଁ କୌଣସି ସଂଗଠନ ନିଜକୁ ଦାୟୀ କରି ନାହାନ୍ତି। ତେବେ ତାଲିବାନ ଏବଂ ବଲୁଚର ବିଚ୍ଛିନ୍ନତାବାଦୀ ସଂଗଠନ ଦ୍ଵାରା ଏହି ହମଲା ହୋଇଥିବା  କୁହାଯାଉଛି।

ସୁରକ୍ଷାବଳ ଘଟଣାସ୍ଥଳକୁ ଘେରାବନ୍ଦୀ କରି ଯାଞ୍ଚ ଜାରି ରଖିଛନ୍ତି। ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ବିସ୍ଫୋରଣ ଘଟଣାର ନିନ୍ଦା  କରିବା ସହ ଧନଜୀବନ କ୍ଷୟକ୍ଷତି ଉପରେ ଦୁଃଖ ବ୍ୟକ୍ତ କରିଛନ୍ତି। ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।