କଣ୍ଟାବାଞ୍ଝି ୨୯।୬: ପରିତ୍ୟକ୍ତ କୂଅ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର । ନିଖୋଜ ଥିବା ପରିବାର ଲୋକ ଥାନାରେ ଏତଲା ଦେଇଥିଲେ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ପୁରୁଣା ସିମେଣ୍ଟ ଫ୍ୟାକ୍ଟ୍ରି ଥିବା ଶାଗୁଆନ ଜଙ୍ଗଲ ଭିତରେ ଥିବା ଏକ ପରିତ୍ୟକ୍ତ କୂଅରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଛି । ମୃତକ ଜଣକ ଡୁମେରଚୁଆଁ ଗାଁର କୁଞ୍ଜ ମାଝି ବୋଲି ତାର ପରିବାର ଲୋକ ଚିହ୍ନଟ କରିଛନ୍ତି । କୁଞ୍ଜ ପ୍ରାୟ ୧୦ଦିନ ହେବ ନିଖୋଜ ଥିବା ବେଳେ ତାଙ୍କ ପରିବାର ଲୋକ କଣ୍ଟାବାଞ୍ଜି ଥାନାରେ ଅଭିଯୋଗ କରିଥିଲେ । ତେବେ ରବିବାର କିଛି ଲୋକ କୂଅରେ ଜଣେ ଯୁବକଙ୍କ ଶବ ପଡ଼ିଥିବା ଜାଣିବା ପରେ କୁଞ୍ଜଙ୍କ ପରିବାରକୁ ଖବର ଦେଇଥିଲେ । ପରିବାର ଲୋକ ଆସି ଶବ ଚିହ୍ନଟ କରିଛନ୍ତି । କଣ୍ଟାବାଞ୍ଜି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ବେଳେ ବଲାଙ୍ଗିରରୁ ସାଇଣ୍ଟିଫିକ ଟିମ୍ ପହଁଚିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ କୂଅରୁ ଶବ ଉଦ୍ଧାର କରାଯାଇଛି । ତେବେ କୁଞ୍ଜର ମୋବାଇଲକୁ ଫୋନ୍ ଆସିବା ପରେ ସେ ଘରୁ ଗତ ୨୦ ତାରିଖରୁ ବାହାରି ଆସି ଘରକୁ ଫେରିନଥିଲେ । ଥାନାରେ ନିଖୋଜ ମାମଲା ରୁଜୁ କରାଯାଇଥିଲା । କୁଞ୍ଜକୁ ହତ୍ୟା କରାଯାଇଥିବା ତାର ଅଜା ଇନ୍ଦ୍ର ମାଝି ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ କଣ୍ଟାବାଞ୍ଜି ଏସଡିପିଓ ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି।