ମୁମ୍ୱାଇର ବଜେଟ୍ ୭୪,୪୨୭ କୋଟି ଟଙ୍କା, ୫୦ ଦେଶର ଜିଡିପିରୁ ବି ଅଧିକ

Published By : Prameya-News7 Bureau | February 04, 2025 IST

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ମହାନଗର ନିଗମ ମୁମ୍ୱାଇକୁ ଚଲାଇବା ପାଇଁ ବାର୍ଷିକ ବଜେଟ୍ ଉପସ୍ଥାପିତ ହୋଇଛି । ତେବେ ଏହି ଉପସ୍ଥାପିତ ବାର୍ଷିକ ବଜେଟ୍ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ମଙ୍ଗଳବାର ବିଏମସି (ବ୍ରିହମମୁମ୍ୱାଇ ମୁନିସିପାଲ୍ କର୍ପୋରେସନ୍) ବଜେଟ୍ ଆଗତ କରିବା ସହ ଏହାକୁ ପାସ୍ କରିଛି । ବିଏମସିର ବଜେଟ୍ ୭୪,୪୨୭ କୋଟି ଟଙ୍କା ଅର୍ଥାତ୍ ପ୍ରାୟ ୮.୫୦ ବିଲିୟନ ଡଲାର । ଏହି ସଂଖ୍ୟା ଏତେ ଅଧିକ ଯେ ଦେଶର ଅନେକ ରାଜ୍ୟର ବଜେଟ୍ ବି ଏହାଠୁ ବି କମ । ଆଉ ଏକ ବଡ଼ କଥା ହେଉଛି ଦୁନିଆର ପ୍ରାୟ ୫୦ ଦେଶ ଏପରି ଅଛନ୍ତି, ଯେଉଁମାନଙ୍କ ଜିଡିପି ଏହାଠାରୁ କମ ରହିଛି । ଏଥିରେ ମଣ୍ଟେରଗୋ, ମାଲଦ୍ୱୀପ, ବାରବଡୋସ, ଭୁଟାନ, ଜାମ୍ୱିଆ ପରି ଦେଶ ସାମିଲ ଅଛନ୍ତି ।

ଦେଶର ସବୁଠୁ ଧନୀ ମହାନଗର ନିଗମ ବିଏମସି ମଙ୍ଗଳବାର ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୭୪,୪୨୭ କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କରିଛି । ବିଏମସି କମିଶନର ଭୂଷଣ ଗଗରାନୀଙ୍କ ଅନୁସାରେ, ଏହା ହେଉଛି ବିଏମସି ଦ୍ୱାରା ଉପସ୍ଥାପନ କରାଯାଇଥିବା ଆଜି ଯାଏର ସବୁଠୁ ବଡ଼ ବଜେଟ୍ । ଗତ ବର୍ଷ ତୁଳନାରେ ଚଳିତ ବଜେଟକୁ ୧୪ ପ୍ରତିଶତ ବଢାଯାଇଛି । ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଏମସିର ବଜେଟ୍ ୬୫,୧୮୦ କୋଟି ଟଙ୍କା ରହିଥିଲା । ବଜେଟରେ ଗତ ବର୍ଷ ତୁଳନାରେ ରେଭେନ୍ୟୁରେ ୭୪୧୦ କୋଟି ଟଙ୍କାର ବୃଦ୍ଧି ଅନୁମାନ ରହିଛି । ୪୩,୧୬୬ କୋଟି ଟଙ୍କାର ପୁଞ୍ଜିଗତ ବ୍ୟାୟ ରଖାଯାଇଛି, ଯାହା ମୋଟ ବଜେଟର ୫୮ ପ୍ରତିଶତ । ବଜେଟର ୧୦ ପ୍ରତିଶତ ସ୍ୱାସ୍ଥ୍ୟ ସେବା ଉପରେ ଖର୍ଚ୍ଚ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.