ବିଏମସି ଅତିରିକ୍ତ କମିସନରଙ୍କୁ ମାଡ଼ ଘଟଣା, ଆଉ ୨ ଜଣଙ୍କୁ ଗିରଫ କଲା ପୋଲିସ

Published By : Prameya-News7 Bureau | July 01, 2025 IST

ଭୁବନେଶ୍ବର: ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ପୋଲିସ ମଙ୍ଗଳବାର ଆଉ ୨ ଜଣକୁ ଗିରଫ କରିଛି। ଗିରଫ ବ୍ୟକ୍ତି ହେଉଛନ୍ତି ଝାରପଡ଼ା ଅଞ୍ଚଳର ସଞ୍ଜୀବ ମିଶ୍ର ଏବଂ ଲକ୍ଷ୍ମୀସାଗର ଅଞ୍ଚଳର ସଚ୍ଚିକାନ୍ତ ସ୍ବାଇଁ । ଏହି ଗିରଫ ସହ ଘଟଣାରେ ସମୁଦାୟ ଗିରଫଦାରୀ ୫କୁ ବୃଦ୍ଧି ପାଇଛି। ଏହା ପୂର୍ବରୁ ଜୀବନ ରାଉତ, ରଶ୍ମୀ ମହାପାତ୍ର, ଦେବାଶିଷ ପ୍ରଧାନଙ୍କୁ ଗିରଫ କରିଛି ଖାରବେଳ ନଗର ଥାନା ପୋଲିସ। ଅନ୍ୟମାନଙ୍କୁ ମଧ୍ୟ ଗିରଫ ପାଇଁ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି ।

ସେପଟେ, ଘଟଣାରେ ସଂପୃକ୍ତି ଥିବା ଅଭିଯୋଗ ଆଧାରରେ ୫ଜଣଙ୍କୁ ରାଜ୍ୟ ସଭାପତି ମନମୋହନ ସାମଲ ନିଲମ୍ବନ କରିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ସମସ୍ତଙ୍କୁ ସସ୍‌ପେଣ୍ଡ କରାଯାଇଛି । ନିଲମ୍ବିତ ହୋଇଥିବା ୫ ଜଣ ହେଲେ କର୍ପୋରେଟର ଅପରୂପ ନାରାୟଣ ରାଉତ, ଅନ୍ୟମାନେ ହେଲେ ରଶ୍ମି ରଞ୍ଜନ ମହାପାତ୍ର, ଦେବାଶିଷ ପ୍ରଧାନ, ସଚିକାନ୍ତ ସ୍ୱାଇଁ ଓ ସଂଜୀବ ମିଶ୍ର ।

ସୂଚନାଯୋଗ୍ୟ ଯେ, ସୋମବାର ବିଏମ୍‌ସି ମୁଖ୍ୟାଳୟରେ ଅଭିଯୋଗ ଶୁଣାଣି ଚାଲିଥିବା ସମୟରେ ବିଜେପି କର୍ପୋରେଟର ଜୀବନଙ୍କ ସହ ୬ରୁ ୭ଜଣ ଦୁର୍ବୃତ୍ତ ଅଭିଯୋଗ ପ୍ରକୋଷ୍ଠକୁ ପଶି ରତ୍ନାକରଙ୍କ ସହ ଯୁକ୍ତି ତର୍କ କରିବା ସହ ତାଙ୍କୁ ଘୋଷାରି ଆଣିଥିଲେ। ଆଉ ତଳେ ପକାଇ ଗୋଇଠା ଓ ବିଧା ମାରିଥିଲେ। ଯାହା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହି ଆକ୍ରମଣରେ ରତ୍ନାକର ସାହୁଙ୍କ ମୁଣ୍ଡ ଓ ବେକରେ ଗଭୀର ଆଘାତ ଲାଗିଥିଲା। ଏହି ଘଟଣା ପରେ ରାଜନୀତି ଜୋର ଧରିଥିବାବେଳେ, ପ୍ରତିବାଦରେ ଓଏଏସ ଏବଂ ଓଆରସ ସଂଘ ପକ୍ଷରୁ ସମୂହ କାର୍ଯ୍ୟବନ୍ଦ ଘୋଷଣା କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.