'୬ ମାସ ହେଲା ଭଲ ଖେଳୁଥିଲୁ, କିନ୍ତୁ ଭାରତ ବିପକ୍ଷରେ କିଛି କାମ ଦେଲାନି' : ହାରିଲା ପରେ ମୁହଁ ଶୁଖାଇ କହିଲେ ସଲମାନ୍

NEWS7
bla-attack-in-pakistan-in-the-past-year-

ନୂଆଦିଲ୍ଲୀ, ୧୬/୦୨ : ଟି୨୦ ବିଶ୍ୱକପର ଲିଗ୍ ମୁକାବିଲାରେ ଭାରତଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି ପାକିସ୍ତାନ । ୧୭୬ ରନ୍ ର ଟାର୍ଗେଟକୁ ପିଛା କରୁଥିବା ପାକ୍ ୧୧୪ ରନ୍ କରିପାରିଥିଲା । ଫଳରେ ବିଜୟଠୁ ୬୧ ରନ୍ ଦୂରରେ ରହିଯାଇଥିଲା । ଭାରତର ଏହି ବିଜୟ ହେଉଛି ଟି୨୦ ବିଶ୍ୱକପରେ ପାକ୍ ବିପକ୍ଷରେ ସବୁଠୁ ବଡ ବ୍ୟବଧାନର ବିଜୟ ।

ଭାରତଠୁ ପରାସ୍ତ ହେଲା ପରେ ପଡିଆରେ କ୍ୟାମେରାର ଫୋକସ୍ ଅଧିନାୟକ ସଲମାନ୍ ଅଲ୍ଲୀ ଆଗାଙ୍କ ଉପରେ ଥିଲା । ସେ ଖୁବ୍ ନିରାଶ ଦେଖାଯାଉଥିଲେ । ଯେଉଁ ବୋଲରଙ୍କୁ ନେଇ ସେ ଖେଳାଇଥିଲେ ସେମାନେ କିଛି ବଡ କରିସ୍ମା କରିପାରିନଥିଲେ । ତେବେ ମ୍ୟାଚ୍ ପରେ ସେ କହିଛନ୍ତି ଯେ, ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପାକିସ୍ତାନୀ ଖେଳାଳି ଫେଲ୍ ମାରିଲେ । ସ୍ପିନରଙ୍କୁ ଖେଳାଇ ବେଶି କିଛି ଭୁଲ ହୋଇନି । କିନ୍ତୁ ବଡ ମୁକାବିଲାରେ ସେମାନେ ଅନେକ ସୁଯୋଗ ହାତଛଡା କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ତାଙ୍କ ସ୍ପିନରଙ୍କ ପାଇଁ ଦିନ ଭଲ ନଥିଲା । କିଛି ଜାଗାରେ ସେମାନେ ବ୍ୟାଟରଙ୍କୁ ଅଟକାଇ ପାରିଲେନି । ଗତ ୬ ମାସ ଧରି ସେମାନେ ଭଲ ପ୍ରଦର୍ଶନ କରୁଥିଲେ । କିନ୍ତୁ ଭାରତ ବିପକ୍ଷରେ ସେତେଟା ଫଳପ୍ରଦ ହେଲାନି । ଯାହା ଯୋଜନା କରିଥିଲେ ତାହାର ଭଲ ରେଜଲ୍ଟ ମିଳିନଥିଲା । ଏହାସହ ଟସ୍ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି କିଛି ଭୁଲ୍ ନୁହେଁ ବୋଲି ମଧ୍ୟ ସେ ସଫେଇ ଦେଇଛନ୍ତି ।

ସଲମାନ୍ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ସଦାବେଳେ ହାଇ ଭୋଲଟେଜ୍ ମୁକାବିଲା ଦେଖିବାକୁ ମିଳେ । ଫ୍ୟାନ୍ସଙ୍କ ଭାବନା ବହୁତ ଉପରେ ଥାଏ । ଏହାକୁ ଖେଳାଳି ସଠିକ୍ ଭାବେ ନିୟନ୍ତ୍ରଣ କରିବା ଜରୁରୀ । ପୂର୍ବରୁ ବହୁତ ବଡ ମୁକାବିଲା ଖେଳିଛନ୍ତି । ତେଣୁ ଶୀଘ୍ର ନିଜକୁ ସମ୍ଭାଳିବା ସହ ଆତ୍ମବିଶ୍ୱାସ ବୃଦ୍ଧି ପାଇଁ ପ୍ରୟାସ ଜାରି ରହିବ । ଦୁଇ ଦିନ ପରେ ଆଗାମୀ ମ୍ୟାଚ୍ ଅଛି । ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିବା ଜରୁରୀ ବୋଲି ପାକ୍ ଅଧିନାୟକ କହିଛନ୍ତି ।