ବିଜେପିର କଡା ଜବାବ, ଏଠି ଶାଗୁଣା ନୁହେଁ, ବିରୋଧୀ ବସିଛନ୍ତି ଡେଣା ମେଲାଇ

Published By : Prameya-News7 Bureau | August 03, 2025 IST

ଭୁବନେଶ୍ବର ୦୩ /୦୮: ବଳଙ୍ଗା ପୀଡିତାଙ୍କ ମୃତ୍ୟୁକୁ ନେଇ ରାଜନୀତି ଜୋର୍‌ । ସରକାରଙ୍କୁ ଘେରି ନାନା ପ୍ରଶ୍ନ କରିଛନ୍ତି ବିରୋଧୀ ବିଜେଡି ଓ କଂଗ୍ରେସ । ବିରୋଧୀଙ୍କ ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ବିଜେପି । ଦଳର ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଶାଗୁଣା ଯେମିତି ଶବକୁ ଚାହିଁ ବସିଥାଏ । ସେମିତି ଶବ ଉପରେ ରାଜନୀତି କରୁଛନ୍ତି ବିରୋଧୀ । ଏହା ହୀନ ରାଜନୀତି । ଶାଗୁଣା ପ୍ରକୃତିର ଲୋକ ଏଭଳି ରାଜନୀତି କରନ୍ତି । ଏଭଳି ସ୍ଥିତିରେ ବିଜେଡ଼ି ଓ କଂଗ୍ରେସ ରାଜନୀତି କରନ୍ତୁ ନାହିଁ । ଯେଉଁମାନେ ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରୁଛନ୍ତି, ସେମାନେ ଓଡ଼ିଶାର ଡେମୋଗ୍ରାଫି ଜାଣିନାହାନ୍ତି । ଓଡ଼ିଶା ୟୁପି କି ବିହାର ନୁହେଁ । 

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୌଣସି ସାଧାରଣ ଲୋକଙ୍କୁ ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରିଥିଲେ କି ? ପ୍ରମିଳା ମଲ୍ଲିକଙ୍କ ଘରେ ଜଣେ ମରି ଯାଇଥିଲେ । ତା ଉପରେ କହିବେ କି ? ଟୁକୁନି ସାହୁ ନିଜ ସ୍ଵାମୀଙ୍କ ହତ୍ୟା ପରେ କେଉଁ ଲାଭ ଲୋଭ ଉପରେ ଚୁପ୍ ରହିଥିଲେ । ଲେଖାଶ୍ରୀଙ୍କୁ ଅଭ୍ୟାସ ଗତ ବିରୋଧୀ ବୋଲି କହିଲେ ମନୋଜ । କିଛି ଲୋକ ନ୍ୟାୟିକ ତଦନ୍ତ କଥା କହୁଛନ୍ତି । କିନ୍ତୁ କଳିଙ୍ଗ ନଗର ଗୁଳିକାଣ୍ଡ ଘଟଣାରେ ନ୍ୟାୟିକ ତଦନ୍ତ ହେବା ପରେ କଣ ରିପୋର୍ଟ ଆସିଲା । କେହି ଜଣେ ହେଲେ ଧରା ପଡ଼ିଲେ କି ? ୧୪ କୋଟି ଟଙ୍କା ନ୍ୟାୟିକ କମିଶନ ତଦନ୍ତରେ ଖର୍ଚ୍ଚ ହେଲା । ତେଣୁ ବିରୋଧୀ ଦଳ ଯାହା କହୁଛନ୍ତି, ବୁଝି ବିଚାରି କୁହନ୍ତୁ ।

ରାଜ୍ୟ ସରକାର ବଳଙ୍ଗା ପୀଡ଼ିତାଙ୍କୁ ତୁରନ୍ତ ଏମ୍ସରେ ଚିକିତ୍ସା ବ୍ୟବସ୍ଥା କଲେ । ଉତ୍ତମ ଚିକିତ୍ସା ପାଇଁ ଏୟାର ଲିଫ୍ଟ କରି ଦିଲ୍ଲୀ ପଠାଇଲେ । କିନ୍ତୁ ଦୁର୍ଭାଗ୍ୟ ଝିଅର ଜୀବନ ବଞ୍ଚି ପାରିଲା ନାହିଁ । ଏ ଘଟଣାରେ ସମସ୍ତେ ଦୁଃଖିତ । ପୀଡ଼ିତାଙ୍କ ବାପା କହିଛନ୍ତି, ରାଜ୍ୟ ସରକାରଙ୍କ ସହାୟତାରେ ସେମାନେ ଖୁସି । କିନ୍ତୁ ଏଭଳି ସ୍ଥିତିରେ ବିରୋଧୀ ମାନେ ରାଜନୀତି କରୁଛନ୍ତି । ଯେତେବେଳେ ବଳଙ୍ଗା ପୀଡ଼ିତା ଭୁବନେଶ୍ଵର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ରାଜନୀତି କରିବା ପାଇଁ ପ୍ରତିଯୋଗିତା କରୁଥିଲେ । ଅନ୍ୟ ରୋଗୀ ହଇରାଣ ହେଲେ । 


 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.