ଭୁବନେଶ୍ଵର: ପଞ୍ଚାୟତ ଦଖଲ ପାଇଁ ମିଶନ ମୋଡରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । କଳାହାଣ୍ଡି ଧର୍ମଗଡ଼ରେ ରାଜ୍ୟ ବିଜେପି ସଭାପତିଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ୨୧ଜଣ ସମିତି ସଭ୍ୟ । ସେହିଭଳି ଅନେକ ସରପଞ୍ଚ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । କୋକସରା ଓ ଜୁନାଗଡ଼ ବ୍ଲକର ଅନେକ ଜନପ୍ରତିନିଧି ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ବିଜେପି ସଂଗଠନକୁ ମଜବୁତ୍ କରିବା ସହ ତୃଣମୂଳ ସ୍ତରରେ ଦଳର ବଳ ବଢ଼ାଇବାକୁ ଜୋରଦାର୍ ଉଦ୍ୟମ ଚଳାଇଛନ୍ତି ବିଜେପି ରାଜ୍ୟ ସଭାପତି । ଏମିତିରେ ବିଜେଡି ନେତା କହିଛନ୍ତି, ସରକାର ପରିବର୍ତ୍ତନ ହୋଇଥିବାରୁ ନିଜ ସ୍ବାର୍ଥ ପାଇଁ କିଛି ଲୋକ ଦଳ ଛାଡ଼ୁଛନ୍ତି । ସେଥିରେ ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ।
Also read: ବିନା କୋଚିଂରେ ଆଗକୁ ବଢୁନି ପିଲାଙ୍କ ପାଠ ପଢା, ଚିନ୍ତା ବଢ଼ାଇଲା କେନ୍ଦ୍ର ସରକାର CMS ରିପୋର୍ଟ
ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଳ ଗୋଟାଉଛି ବିଜେପି । କଳାହାଣ୍ଡି ଧର୍ମଗଡ଼। ଯାଜପୁର ବଡ଼ଚଣା । କେନ୍ଦୁଝର ପାଟଣା । ସବୁଠି ଜୋର୍ ଧରିଛି ବିଜେପିର ମିଶ୍ରଣ ପର୍ବ । କଳାହାଣ୍ଡି ଧର୍ମଗଡ଼ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି ୨୧ଜଣ ସମିତି ସଭ୍ୟ । ସେହିଭଳି ଅନେକ ସରପଞ୍ଚ ମଧ୍ୟ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି । କୋକସରା ଓ ଜୁନାଗଡ଼ ବ୍ଲକର ଅନେକ ଜନପ୍ରତିନିଧି ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି । ୪ଦିନ ତଳେ ଅର୍ଥାତ୍ ଗତ ୨୪ ତାରିଖରେ ଯାଜପୁର ଜିଲ୍ଲା ବଡ଼ଚଣା ପଞ୍ଚାୟତ ସମିତି ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ସହ ୨୦ରୁ ଅଧିକ ସରପଞ୍ଚ ବିଜେପିରେ ଯୋଗ ଦେଇଥିଲେ ।
ସେହିଭଳି ଗତ ୧୮ ତାରିଖରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅଧ୍ୟକ୍ଷା ବୀଣାପାଣି ନାୟକଙ୍କ ନେତୃତ୍ବରେ ୧୦ଜଣ ସମିତି ସଭ୍ୟ, ୧୨ଜଣ ସରପଞ୍ଚ ବିଜେପିରେ ଯୋଗ ଦେଇଥିଲେ । ବିଭିନ୍ନ ସ୍ଥାନରେ ବିଜେପିର ଏହି ମିଶ୍ରଣ ପର୍ବ ସ୍ପଷ୍ଟ କରୁଛି ଯେ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ସଂଗଠନକୁ ମଜବୁତ୍ କରିବାକୁ ମିଶନ ମୋଡ୍ରେ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।
୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସମସ୍ତ ୩୦ଟି ଜିଲ୍ଲା ଗସ୍ତ କରି ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ଉଦ୍ୟମ କରିଥିଲେ ରାଜ୍ୟ ବିଜେପି ସଭାପତି । ଆଉ ଏବେ ପୌର ଓ ପଞ୍ଚାୟତ ନିର୍ବାଚନ ପୂର୍ବରୁ ତୃଣମୂଳ ସ୍ତରରେ ଦଳର କଳେବର ବୃଦ୍ଧି କରିବାକୁ ପୁଣି ଆରମ୍ଭ କରିଛନ୍ତି ଉଦ୍ୟମ । ବିଜେପି ସରକାରରେ ଥିବା ବେଳେ ଭିନ୍ନ ରଣନୀତି ଆପଣାଇଛି ଦଳ । ନିଜ ଦଳକୁ ସଂଗଠିତ କରିବା ସହ ଅନ୍ୟ ଦଳର ନେତୃତ୍ବଙ୍କୁ ବିଜେପିରେ ମିଶାଇବାକୁ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ରଣନୀତି ।
ଏମିତିରେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ଗ୍ରାମାଞ୍ଚଳ ପ୍ରତିନିଧିମାନେ ଏବେ ବିଜେପି ମୁହାଁ ହୋଇଛନ୍ତି । ବିଜେପି ସରକାରର କାର୍ଯ୍ୟକୁ ପଞ୍ଚାୟତ ଓ ବ୍ଲକର ଜନ ପ୍ରତିନିଧିମାନେ ସମର୍ଥନ କରୁଛନ୍ତି । ପୂର୍ବରୁ କାମ କମ୍, ପିସି ଅଧିକ ଚାଲିଥିଲା। ଏବେ ବିଜେପି ସରକାରର ବିକାଶକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି ।
ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପିର ଜୋରଦାର ମିଶ୍ରଣ ପର୍ବକୁ ଦେଖି ବିଜେଡି ନେତା କହିଛନ୍ତି, ସରକାର ପରିବର୍ତ୍ତନ ହୋଇଥିବାରୁ କିଛି ଲୋକ ନିଜ ସ୍ବାର୍ଥ ପାଇଁ ଦଳ ଛାଡ଼ୁଛନ୍ତି । ଏଥିରେ ବିଜେଡି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆଗାମୀ ଦିନରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ବିଭିନ୍ନ ଜିଲ୍ଲା ଗସ୍ତ କରିବା ସହ ପଞ୍ଚାୟତସ୍ତରର ନେତାଙ୍କୁ ନିଜ ଦଳକୁ ଆଣିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି । ଆସନ୍ତା ମାସରେ ଯାଜପୁର ଜିଲ୍ଲା ଧର୍ମଶାଳାରେ ଏକ ବଡ଼ ମିଶ୍ରଣ ପର୍ବ ହେବ ବୋଲି ଚର୍ଚ୍ଚା ଜୋର୍ ଧରିଛି ।