ସଂସଦରେ ସୀତାରମଣ ରଖିଲେ ସଂଖ୍ୟା ହିସାବ, ମୋଦୀଙ୍କୁ ପ୍ରଶଂସା କରି କହିଲେ ଏତିକି ଲୋକ ଏନଡିଏ ଶାସନରେ ଗରିବରୁ ହୋଇଛନ୍ତି ମୁକ୍ତ

NEWS7
bjiu-babu-105th-birth-anniversary

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରବିବାର (୧ ଫେବୃଆରୀ) ୨୦୨୬-୨୭ ବଜେଟ୍ ଉପସ୍ଥାପନ କରିଛନ୍ତି । ଏହି ଅବସରରେ ସୀତାରମଣ କହିଛନ୍ତି, ଗତ ୯ ବର୍ଷ ମଧ୍ୟରେ ଭାରତରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି । ନୀତି ଆୟୋଗର ଆଲୋଚନା ପତ୍ର ‘Multidimensional Poverty in India since 2005-06’ କୁ ଆଧାର କରି ସେ କହିଛନ୍ତି ଯେ, ୨୦୧୩-୧୪ ଏବଂ ୨୦୨୨-୨୩ ମଧ୍ୟରେ ଦାରିଦ୍ର୍ୟର ସମସ୍ତ ଦିଗକୁ ସମାଧାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯୋଗୁଁ ଏହି ଲକ୍ଷ୍ୟ ହାସଲ ହୋଇପାରିଛି।

ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (MPI) ହେଉଛି ଏକ ବିଶ୍ୱସ୍ତରୀୟ ସ୍ୱୀକୃତିପ୍ରାପ୍ତ ବ୍ୟାପକ ମାନଦଣ୍ଡ, ଯାହା ଆର୍ଥିକ ଦିଗ ବ୍ୟତୀତ ବହୁବିଧ ଦିଗରୁ ଦାରିଦ୍ର୍ୟକୁ ବର୍ଗୀକୃତ କରେ। ଆଲୋଚନା ପତ୍ର ଅନୁଯାୟୀ, ଭାରତରେ ବହୁମୁଖୀ ଦାରିଦ୍ର୍ୟରେ ଉଲ୍ଲେଖନୀୟ ହ୍ରାସ ପାଇଛି । ୨୦୧୩-୧୪ରେ ୨୯.୧୭% ତୁଳନାରେ ୨୦୨୨-୨୩ରେ ୧୧.୨୮%କୁ ହ୍ରାସ ପାଇଛି ବହୁମୁଖୀ ଦାରିଦ୍ର୍ୟ । ଅର୍ଥାତ୍ ୧୭.୮୯ ପ୍ରତିଶତ ହ୍ରାସ ପାଇଛି। ଗତ ୯ ବର୍ଷ ମଧ୍ୟରେ ଉତ୍ତର ପ୍ରଦେଶରେ ସର୍ବାଧିକ ୫.୯୪ କୋଟି ଲୋକ ଦାରିଦ୍ର୍ୟରୁ ମୁକ୍ତି ପାଇଛନ୍ତି। ଏହା ପରେ ବିହାରରେ ୩.୭୭ କୋଟି, ମଧ୍ୟପ୍ରଦେଶରେ ୨.୩୦ କୋଟି ଏବଂ ରାଜସ୍ଥାନରେ ୧.୮୭ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ଉପରକୁ ଉଠିଛନ୍ତି ।

ଭାରତ ସରକାର ସମସ୍ତ କ୍ଷେତ୍ରରେ ଦାରିଦ୍ର୍ୟ ହ୍ରାସ କରିବା ଲକ୍ଷ୍ୟରେ ଲୋକଙ୍କ ଜୀବନରେ ଉନ୍ନତି ଆଣିବାରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛନ୍ତି। ପୋଷଣ ଅଭିଯାନ ଏବଂ ରକ୍ତହୀନତା ମୁକ୍ତ ଭାରତ ଭଳି ଉଲ୍ଲେଖନୀୟ ପଦକ୍ଷେପ ସ୍ୱାସ୍ଥ୍ୟସେବା ସୁବିଧାର ଉପଲବ୍ଧତାକୁ ଯଥେଷ୍ଟ ବୃଦ୍ଧି କରିଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ମାଗଣା ଖାଦ୍ୟ ଶସ୍ୟ ବଣ୍ଟନକୁ ଆଉ ପାଞ୍ଚ ବର୍ଷ ପାଇଁ ବୃଦ୍ଧି କରାଯାଇଛି ।

ପିଆଇବି ଅନୁସାରେ, ମାତୃ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ, ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ସ୍ୱଚ୍ଛ ରୋଷେଇ ଇନ୍ଧନ ବଣ୍ଟନ, ସ୍ୱଚ୍ଛ ଭାରତ ମିଶନ ଏବଂ ଜଳ ଜୀବନ ମିଶନ ଭଳି ପରିବର୍ତ୍ତନକାରୀ ଅଭିଯାନ ସାମୂହିକ ଭାବରେ ଜୀବନଧାରଣର ଅବସ୍ଥା ଏବଂ ଲୋକମାନଙ୍କ ସାମଗ୍ରିକ କଲ୍ୟାଣକୁ ପ୍ରୋତ୍ସାହନ କରିଛି। ଏହା ସହିତ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ପ୍ରମୁଖ କାର୍ଯ୍ୟକ୍ରମ ଅବହେଳିତ ଲୋକଙ୍କ ପାଇଁ ସୁରକ୍ଷିତ ଗୃହ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ନୀତି ଆୟୋଗର ରିପୋର୍ଟକୁ ଆଧାର କରି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ତଥ୍ୟ ଦେଇଛନ୍ତି ।