LIVE TV

ପ୍ରେମ, ପ୍ରତିଶୋଧ ଓ ମିଛ ଇମେଲ୍: ପୂର୍ବତନ ପ୍ରେମିକଙ୍କୁ ଫସାଇବା ପାଇଁ ୨୧ଟି ସ୍କୁଲକୁ ବୋମା ଧମକ

NEWS7
bjd-strongly-condemns-biju-babus-statue-burning-incident

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏବଂ ମହୀଶୂର ସମେତ ବିଭିନ୍ନ ରାଜ୍ୟର ୨୧ଟି ସ୍କୁଲକୁ ବୋମା ଧମକପୂର୍ଣ୍ଣ ଇମେଲ୍ ପଠାଇବା ଅଭିଯୋଗରେ ଅହମ୍ମଦାବାଦ ସାଇବର କ୍ରାଇମ୍ ୟୁନିଟ୍ ଜଣଙ୍କୁ ଗିରଫ କରିଥିଲା । ୩୦ ବର୍ଷୀୟ ଇଞ୍ଜିନିୟରିଂ ସ୍ନାତକଙ୍କୁ ଅକ୍ଟୋବର ୨୮ ତାରିଖରେ ବଡି ୱାରେଣ୍ଟ ବଳରେ ବେଙ୍ଗାଲୁରୁ ପୋଲିସ ହେପାଜତକୁ ନେଇଥିଲା ଏବଂ ଅକ୍ଟୋବର ୩୧ରେ ଜେଲକୁ ଫେରାଇ ଦିଆଯାଇଥିଲା । ଏବେ ସେହି ମାମଲାରେ ଏକ ବଡ଼ ରୋଚକ କଥା ସାମନାକୁ ଆସିଛି ।

ଅଭିଯୁକ୍ତ ରେନେ ଜୋଶିଲଦା ତାଙ୍କ ପୂର୍ବତନ ପ୍ରେମିକ ପ୍ରଭାକରଙ୍କ ନାମରେ ଅନେକ ଆଇଡି ବ୍ୟବହାର କରି ମେଲଗୁଡ଼ିକ ପଠାଇଥିଲେ । ଏପରି କରି ସେ ତାଙ୍କୁ ଫସାଇବା ପାଇଁ ଚେଷ୍ଟା କରିଥିଲେ । ଯୋଶିଲଦାଙ୍କ ତାଙ୍କ ପୂର୍ବତନ ପ୍ରେମିକ ପ୍ରଭାକରଙ୍କ ସହ ମତଭେଦ ହୋଇଥିଲା । ପରେ ପ୍ରଭାକର ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲେ । କିନ୍ତୁ ଯୋଶିଲଦା ତାଙ୍କୁ ପୁଣିଥରେ ପାଇବାକୁ ଚାହୁଁଥିଲେ । ଏହି କ୍ରମରେ ସେ ଯେ ପ୍ରଭାକରଙ୍କୁ ବଦନାମ କରି ଏବଂ ଗିରଫ କରିବାକୁ ଷଡ଼ଯନ୍ତ୍ର କରିଥିଲେ । ଯାହା ଦ୍ଵାରା ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ଚାଲିଯିବେ ।

ଜୋଶିଲଦାଙ୍କ ବିରୋଧରେ ସହରରେ ସାତଟି ମାମଲା ରୁଜୁ ହୋଇଥିଲା । ସେ ଏକ ଭର୍ଚୁଆଲ୍ ପ୍ରାଇଭେଟ୍ ନେଟୱାର୍କ (VPN) ବ୍ୟବହାର କରି ଏକାଧିକ ଇମେଲ୍ ଆଇଡି ତିଆରି କରିଥିଲେ । ଗେଟ୍ କୋଡ୍ ଆପ୍ଲିକେସନ୍ ମାଧ୍ୟମରେ ଭର୍ଚୁଆଲ୍ ମୋବାଇଲ୍ ନମ୍ବର ସଂଗ୍ରହ କରିଥିଲେ, ଯାହାକୁ ସେ ପ୍ରାୟ ସାତଟି ହ୍ୱାଟ୍ସଆପ୍ ଆକାଉଣ୍ଟ ଖୋଲିବା ପାଇଁ ବ୍ୟବହାର କରିଥିଲେ ।

ପ୍ରଭାକରଙ୍କ ନାମରେ ନକଲି ଇମେଲ୍ ଆଇଡି ତିଆରି କରିବା ପରେ, ଜୁନରେ ସ୍କୁଲର ଇମେଲ୍ ଠିକଣା ଖୋଜିଥିଲେ । ଏହାପରେ ସ୍କୁଲଗୁଡ଼ିକୁ ଧମକପୂର୍ଣ୍ଣ ମେସେଜ୍ ପଠାଇଥିଲେ, କିନ୍ତୁ ତାଙ୍କର ସାଇବର ଟ୍ରେଲ୍ ଟ୍ରାକ୍ ହୋଇଥିଲା । ଫଳରେ ତାଙ୍କୁ ଗିରଫ କରାଯାଇଥିଲା । ଅହମ୍ମଦାବାଦ, ହାଇଦ୍ରାବାଦ, ଚେନ୍ନାଇ, ମହୀଶୂର ଏବଂ ବେଙ୍ଗାଲୁରୁ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଥିଲା । ତଦନ୍ତ ସମୟରେ ପୋଲିସ ଜୋଶିଲଦାର ସମ୍ପୃକ୍ତି ଜାଣିପାରିଲା । ତାଙ୍କ ଲାପଟପ୍ ଏବଂ ମୋବାଇଲ୍ ଫୋନ୍ ଅହମ୍ମଦାବାଦ ପୋଲିସ ଜବତ କରିଛି । ତାଙ୍କ ବିରୁଦ୍ଧରେ ଆଇଟି ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତାର ଧାରା ୩୫୧ (ଅପରାଧୀକ ଧମକ) ଅନୁଯାୟୀ ପୋଲିସ ମାମଲା ରୁଜୁ କରାଯାଇଥିଲା ।