ଭଦ୍ରକ: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲିଫ୍ଟରେ ଚାପି ହୋଇ ରୋଗୀ ମୃତ୍ୟୁ ଘଟଣାରେ ମେଡିକାଲ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ଘେରିଲା ବିଜେଡି । ଗୁରୁବାର ଭଦ୍ରକ ଜିଲ୍ଲା ମୁଖ୍ୟ ମେଡିକାଲରେ ମୀନତି ପରିଡ଼ା ନାମକ ମହିଳା ରୋଗୀଙ୍କୁ ୱାର୍ଡକୁ ଲିଫ୍ଟରେ ନେଉଥିବାବେଳେ ଲିଫ୍ଟରେ ଚାପି ହୋଇ ମୃତ୍ୟୁ ବରଣ କରିଥିଲେ । ଏହି ଘଟଣା ପରେ ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଥିଲା । ପ୍ରାୟ ୫ ଘଣ୍ଟା ପରେ ମୃତଦେହ ଉଦ୍ଧାର ହୋଇଥିଲା ।
ଏହି ଘଟଣାରେ ଶୁକ୍ରବାର ଭଦ୍ରକ ଜିଲ୍ଲା ବିଜେଡ଼ି ପକ୍ଷରୁ ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲଙ୍କ ସମେତ ଜିଲ୍ଲାର ସମସ୍ତ ବରିଷ୍ଠ ନେତା ମୁଖ୍ୟ ଚିକିତ୍ସାଳୟ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସିଡିଏମଓଙ୍କ ଉପସ୍ଥିତିରେ ଲିଫ୍ଟ ନିକଟରେ ସମୀକ୍ଷା ପରେ ଭଦ୍ରକ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ଦିଶା ମିଟିଂରେ ମେଡିକାଲ ଲିଫ୍ଟ ବିଷୟରେ ଆଲୋଚନା ହୋଇଥିଲା, କିନ୍ତୁ ପ୍ରଶାସନ ଚୁପ୍ ରହିବା ଯୋଗୁଁ ଅଘଟଣ ଘଟିଥିବା ଅଭିଯୋଗ ଆଣିଛି ବିଜେଡି ।
ତେବେ ନୂଆ ଜିଲ୍ଲା ମେଡିକାଲ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାବେଳେ କାହିଁକି ମେଡିକାଲକୁ କାର୍ଯ୍ୟକ୍ଷମ କରାଯାଉ ନାହିଁ ? ସେ ନେଇ ମଧ୍ୟ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଛନ୍ତି ବିଜେଡି ନେତା । ମେଡିକାଲରେ ସମସ୍ତ ଉପକରଣ ଥାଇ ମଧ୍ୟ କାର୍ଯ୍ୟକ୍ଷମ ନହେବାରୁ ରୋଗୀ ହନ୍ତସନ୍ତ ହେଉଥିବା କହିଛି ବିଜେଡି । ଲୋକଙ୍କ ସ୍ବାର୍ଥ ପାଇଁ ବିଜେଡି ମୂଖ୍ୟମନ୍ତ୍ରୀଙ୍କୁ ଭେଟିବ, ଯଦି ନୂତନ ମେଡିକାଲ କାର୍ଯ୍ୟକ୍ଷମ ନ ହୁଏ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛି ବିଜେଡି ।