କଟକ: ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସୋମବାର ମୁମ୍ବାଇ ସ୍ଥିତ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଆରମ୍ଭ ହେବ। ଏପଟେ ନବୀନଙ୍କ ସଫଳ ଚିକିତ୍ସା ଓ ଆଶୁ ଆରୋଗ୍ୟ କାମନା କରି କଟକ ବିଜୁ ଜନତା ଦଳ ପକ୍ଷରୁ ଗଡ଼ ଗଡ଼େଶ୍ବର ମହାଦେବଙ୍କ ମନ୍ଦିରରେ ସମୂହ ଦୀପଦାନ କରାଯାଇଥିଲା। ରାଜ୍ୟସଭା ସାଂସଦ ତଥା କଟକ ଜିଲ୍ଲା ବିଜେଡିର ସଭାପତି ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଏହି ଦୀପଦାନ କରାଯାଇଥିଲା। ଏହି ଦୀପଦାନ କାର୍ଯ୍ୟକ୍ରମରେ କଟକ ବିଜେଡିର ବହୁ ବରିଷ୍ଠ ନେତାଙ୍କ ସମେତ ଶତାଧିକ ମହିଳା ଓ ଯୁବ ବିଜେଡିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ଏହା ପୂର୍ବରୁ ଗତକାଲି ନବୀନ ନିବାସରୁ ଏୟାରପୋର୍ଟ ଅଭିମୁଖେ ବାହାରିବାବେଳେ ବିଜେଡି ନେତା ଓ କର୍ମୀ ନବୀନଙ୍କୁ ଜଗନ୍ନାଥଙ୍କ ଖଣ୍ଡୁଆ ପାଟ ପିନ୍ଧାଇବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ । ସେହିଭଳି ମହିଳାମାନେ କସଳ ବସାଇ ବନ୍ଦାପନା କରିବା ସହ ହୁଳହୁଳି ପକାଇ ନବୀନଙ୍କ ଶୁଭ ମନାସିଥିଲେ। ନବୀନଙ୍କୁ ମହାପ୍ରଭୁ ଶ୍ରୀଜଗନ୍ନାଥ ଆଶୀର୍ବାଦ କରନ୍ତୁ ବୋଲି ପ୍ରାର୍ଥନା କରିଥିଲେ । ନବୀନ ବାହାରିବା ସମୟରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ଛକରୁ ବିମାନ ବନ୍ଦର ପର୍ଯ୍ୟନ୍ତ ବିଜେଡି ନେତା କର୍ମୀଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଭୁବନେଶ୍ବର ଓ ଆଖପାଖ ଅଂଚଳରୁ ବହୁ ଶୁଭେଚ୍ଛୁ ନିଜର ପ୍ରିୟ ନେତାଙ୍କୁ ଟିକେ ଭେଟିବା ଲାଗି ଆସିଥିଲେ । ସମସ୍ତେ ନିଜ ପ୍ରିୟ ନେତା ନବୀନଙ୍କ ଆଶୁ ଆରୋଗ୍ୟ କାମନା କରୁଥିଲେ ।