ଭୁବନେଶ୍ବର: ଶରଧାବାଲିରେ ଦଳଚକଟା ପ୍ରସଙ୍ଗକୁ ନେଇ ପୁଣି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି। ପ୍ରସଙ୍ଗରେ ଆଇନମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଇସ୍ତଫା ଦାବି କଲା ବିଜେଡି। ସୋମବାର ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଲେନିନ ମହାପାତ୍ର କହିଛନ୍ତି ରଥଯାତ୍ରା ପାଇଁ ଗଠନ ହୋଇଥିବା କମିଟି ଦାୟିତ୍ୱରେ ଥିବା ମନ୍ତ୍ରୀ ଓ ପ୍ରମୁଖ ସଚିବଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ। ପ୍ରକୃତ ଦୋଷୀଙ୍କୁ ଛାଡ଼ି ଛୋଟ ଅଫିସରଙ୍କୁ ଦଣ୍ଡ ଦେଲେ କିଛି ଲାଭ ନାହିଁ ।
ଲେନିନ୍ କହିଛନ୍ତି ‘‘ଗତକାଲିର ବିଶୃଙ୍ଖଳା କ’ଣ ପାଇଁ ହେଲା। ବର୍ଷ ବର୍ଷ ଧରି ରଥଯାତ୍ରା ହେଉଛି। କିନ୍ତୁ ଏ ବର୍ଷ ନନ୍ଦିଘୋଷ ଗଡ଼ିଲେ ନାହିଁ। ରଥ ପହଞ୍ଚିବା ପରେ ଯେଉଁଠୁ ପୋଲିସଙ୍କ ଦାୟିତ୍ଵ ଆରମ୍ଭ ସେଠି ପୋଲିସ ନାହାନ୍ତି। ୨୨ ପ୍ଲାଟୁନ ପୋଲିସ ଯେଉଁଠି ରହିବା କଥା ସେଠି ପୋଲିସ ନାହିଁ।’’
ସରକାରୀ ଅବହେଳା ଯୋଗୁ ଲୋକଙ୍କ ଜୀବନ ଯିବା ସ୍ଥିତି। ସେଦିନ ଏବଂ ପୂର୍ବଦିନ ମିଶି ୧୦୦୦ ଲୋକ ଆହତ। ଲୋକ ବିକଳ ହେଇ ପୋଲିସକୁ ଖୋଜିଲେ ହେଲେ ପାଇଲେନି। ଘଟଣା ପରେ ମୁଖ୍ୟମନ୍ତ୍ରୀ କ୍ଷମା ପ୍ରାର୍ଥନା କଲେ। ହେଲେ ଦଣ୍ଡ ଦେଲେ କନିଷ୍ଠ ଅଫିସରଙ୍କୁ। ଯିଏ ପ୍ରକୃତ ଦୋଷୀ ଯେଉଁମାନଙ୍କ ତାଲିକା ଆପଣ ପ୍ରସ୍ତୁତ କରୁଥିଲେ ସେମାନ ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କଣ । ପ୍ରଭାତୀ ପରିଡ଼ାଙ୍କ କେତେ ଦକ୍ଷତା ଏହି ଟିମକୁ ସୁପରିଚାଳନା କରିବାକୁ ଆମେ ଜାଣିନୁ। କଥା କଥାରେ ଆଗକୁ ଆସୁଥିବା ଆଇନ ମନ୍ତ୍ରୀ ସେତେବେଳେ କୁଆଡେ଼ ଗଲେ ? ଦାୟିତ୍ଵ କଣ ପାଇଁ ନିଭେଇଲେ ନାହିଁ। ନୈତିକତା ଦୃଷ୍ଟିରୁ ଆଇନ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ। ’’
ସୂଚନାଯୋଗ୍ୟ, ରବିବାର ଭୋର ସମୟରେ ପୁରୀ ଶରଧାବାଲିରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଅପେକ୍ଷା କରିଥିବା ଭକ୍ତଙ୍କ ମଧ୍ୟର ପେଲାଠେଲା ହୋଇଥିଲା। ପରେ ଦଳଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା, ଯେଉଁଥିରେ ତିନି ଜଣ ଭକ୍ତଙ୍କ ଜୀବନ ଯାଇଥିବାବେଳେ ଏକାଧିକ ଭକ୍ତ ଆହତ ହୋଇଛନ୍ତି। ଏହି ଘଟଣାରେ ରାଜ୍ୟ ସରକାର ଘଟଣା କାର୍ଯ୍ୟାନୁଷ୍ଠାନ ନେଇ ତତକାଳୀନ ପୁରୀ ଜିଲ୍ଲାପାଳ ଏବଂ ଏସପିଙ୍କୁ ବଦଳି କରିବା ସହ ଦୁଇ ପୋଲିସ ଅଧିକାରୀଙ୍କୁ ସସପେଣ୍ଡ କରିଛନ୍ତି। ଘଟଣାରେ ରାଜ୍ୟ ରାଜନୀତି ମଧ୍ୟ ସରଗରମ ରହିଛି।