ଏଫଏମ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ଆନ୍ଦୋଳନ ପ୍ରସଙ୍ଗ, ବିକ୍ଷୋଭ ସମୟରେ ନେତା ଓ କର୍ମୀଙ୍କୁ ଆକ୍ରମଣକୁ ନିନ୍ଦା କଲା ଦଳ

Published By : Prameya-News7 Bureau | July 16, 2025 IST

ଭୁବନେଶ୍ବର: ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ପ୍ରସଙ୍ଗରେ ବିଜେଡି ବୁଧବାର ଲୋକସେବା ଭବନ ଘେରାଉ କରିଥିଲା। ହେଲେ ଏହି ସମୟରେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା। ଏଥିରେ ବିଜେଡିର ଅନେକ ନେତା ଓ କର୍ମୀ ଆହତ ହୋଇଥିବାବେଳେ ଏହାକୁ ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ବର୍ଷିଛି।

ବରିଷ୍ଠ ବିଜେଡି ନେତା  ପ୍ରତପ ଜେନା କହିଛନ୍ତି, ଗଣତନ୍ତ୍ରରେ ରାଜନୈତିକ ଦଳର ସ୍ୱର ଉଠିବାର ଅଧିକାର ଅଛି। ହେଲେ ଆନ୍ଦୋଳନ ହେବା ମାତ୍ରେ ପୋଲିସ ଆମକୁ ଓଲଟା ଆକ୍ରମଣ କରିଲା। ପାଣି, ଲୁହବୁହା ଗ୍ୟାସ ଓ ବୁଲେଟ ଫାୟାର ଆକ୍ରମଣ କଲା। ବିଜେଡି ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ କଲାବେଳେ, ହଠାତ ପୋଲିସ କାହିଁକି ଏମିତି କଲା ଆମେ ବୁଝି ପାରିଲୁନାହିଁ। ଏଥିରୁ ଜଣାପଡୁଛି ସରକାର ଭୟଭୀତ। ଆମ ମହିଳା କର୍ମୀଙ୍କୁ ଦୁର୍ବ୍ୟବହାର କରାଗଲା ପୋଲିସ ପକ୍ଷରୁ। ବୁଲେଟ ଫାୟାରରେ ଆମର ବହୁତ ଲୋକ ଆହତ ହୋଇଛନ୍ତି। ଛାତିରେ ମାଡ଼ ହୋଇ ମହିଳା ସାଂସଦ ସୁଲତା ଦେଓ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପ୍ରଣବ ପ୍ରକାଶ ଦାସ ଓ ପ୍ରୀତିରଞ୍ଜନ ଘଡ଼େଇଙ୍କ ସହ ୧୦୦ରୁ ଅଧିକ କର୍ମୀ ଚିକିତ୍ସିତ ହେଉଛନ୍ତି। ପୋଲିସ ସରକାରଙ୍କ ଚାମାଚାଗିରି ଛାଡ଼ନ୍ତୁ। ପୋଲସ ବୁଲେଟ ଫାୟାର ଆମ ଆନ୍ଦୋଳନକୁ ବନ୍ଦ କରି ପାରିବିନି। ମହିଳା ନିର୍ଯ୍ୟାତନା ନକମିବା ଯାଏ ଏ ଆନ୍ଦୋଳନ ଜାରି ରହିବ।

ସେହିଭଳି ବିଜେଡି ନେତା ସୁଦାମ ମାରାଣ୍ଡି ଏବଂ ଶର୍ମିଷ୍ଠା ସେଠୀ କହିଛନ୍ତି,  ‘‘ପୋଲିସ ଆମ ଉପରେ ଅତ୍ୟାଚାର କଲା। ଏ ଘଟଣାକୁ ଆମେ ନିନ୍ଦା କରୁଛୁ। ପୋଲିସଙ୍କୁ ଏ ଅଧିକାର ଦେଲା କିଏ। ଲୋକଙ୍କ ସ୍ୱରକୁ ବୁଲେଟ ମାଧ୍ୟମରେ ଚପାଇପାରିବେ ନାହିଁ।ରାଜ୍ୟରେ ବେଟି ବଚାଓ ଅଭିଯାନ ବାଟବଣା ହୋଇଯାଇଛି। ମହିଳା କର୍ମୀଙ୍କୁ ପୁରୁଷ ପୋଲିସକର୍ମୀ ଉଠାଇନେଲେ। ଏ ଘଟଣା ପାଇଁ ଉଚ୍ଚ ଶିକ୍ଷା ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ମଧ୍ୟ ଦାୟୀ। ’’

ତେବେ ଗୁରୁବାର କଂଗ୍ରେସ ଆନ୍ଦୋଳନ ପ୍ରସଙ୍ଗରେ ବିଜେଡି ପକ୍ଷରୁ କୁହାଯାଇଛି ଯେ, ବାଲେଶ୍ଵର ଛାତ୍ରୀ ଆତ୍ମହତ୍ୟା ପ୍ରସଙ୍ଗରେ ଯେଉଁମାନେ ସ୍ୱର ଉଠାଇବେ ଆମେ ତାକୁ ସମ୍ମାନ ଜଣାଇବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.