ସାଲେପୁର : ସରିଲା ଘୋଷଯାତ୍ରା।୧୨ ଦିନର ଲୀଳାଖେଳା ଶେଷ ପରେ ଆଜି ନୀଳାଦ୍ରି ବିଜେ କରିବେ ନୀଳାଦ୍ରିନାଥ । ରଥରେ ବଡ ଭାଇ ଭଉଣୀକୁ ନେଲେ ଅଥଚ ତାଙ୍କ ସହ ଧର୍ମଣୀ ମହାଲକ୍ଷ୍ମୀଙ୍କୁ ନନେଇ ଜନ୍ମବେଦୀକୁ ଚାଲିଗଲେ ମହାପ୍ରଭୁ। ତେଣୁ ରୋଷ କରିଛନ୍ତି ମହାଲକ୍ଷ୍ମୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ପତ୍ନୀ ମହାଲକ୍ଷ୍ମୀଙ୍କର ରୋଷକୁ ପ୍ରଶମିତ କରିବା ପାଇଁ ରସଗୋଲା ଦେଇ ମହାଲକ୍ଷ୍ମୀଙ୍କର ମାନଭଞ୍ଜନ କରି ରତ୍ନବେଦୀକୁ ବିରାଜମାନ କରିବେ। ଏହାକୁ କୁହାଯାଏ ନୀଳାଦ୍ରିବିଜେ।
ମହାପ୍ରଭୁଙ୍କ ପାଇଁ ଛପନ ପଉଟି ଭୋଗ ଖଞ୍ଜା ହୋଇ ରହିଥାଏ। ହେଲେ ଶ୍ରୀମନ୍ଦିର ମଧ୍ୟରେ ବର୍ଷକରେ ଥରେ ମାତ୍ର ରସଗୋଲା ଭୋଗ ହେବାର ପରମ୍ପରା ରହିଛି। ଜଗନ୍ନାଥ ସଂସ୍କୁତି ସହ ରସଗୋଲାର ସମ୍ପର୍କ ପ୍ରମାଣିତ କରିଥାଏ ଓଡ଼ିଶାର ହେଉଛି ରସଗୋଲା । ମହାପ୍ରଭୁଙ୍କ ପାଖରେ ଆଜି ରସଗୋଲା ଭୋଗ ଲାଗିବ ତେଣୁ ଓଡ଼ିଶାର ବିଭିନ୍ନ ସ୍ତାନରୁ ଭୋଗ ପାଇଁ ରସଗୋଲା ଆସେ। ସେଥିମଧ୍ୟରୁ କେମିତି ବା ବାଦ୍ ପଡ଼ିବ ଓଡ଼ିଶାର ପ୍ରସିଦ୍ଧ ସାଲେପୁରର ବିକଳାନନ୍ଦ କରଙ୍କ ରସଗୋଲା। ଏହି ରସଗୋଲା ନିଳାନ୍ଦ୍ରୀବିଜେ ଦିନ ଶ୍ରୀଜଗନ୍ନାଥଙ୍କ ପାଖରେ ଭୋଗ ଲାଗେ। ତାପରେ ଭୋଗ ଲାଗିସାରିଥିବା ସେହି ରସଗୋଲାକୁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟା ହୁଏ।
ବିକଳାନନ୍ଦ କରଙ୍କ ରସଗୋଲା ମହାପ୍ରଭୁଙ୍କ ପାଖରେ ଭୋଗ ଲାଗୁଥିବାରୁ ଏହା କେଉଁ ସୌଭାଗ୍ୟଠୁ କମ୍ ନୁହେଁ ବୋଲି କହିଛନ୍ତି ବିକଳା ନନ୍ଦ କରଙ୍କ ପୁଅ ପ୍ରଦୀପ୍ତ କର। ସାଲେପୁରର ରସଗୋଲା ମହାପ୍ରଭୁଙ୍କ ପାଖରେ ଭୋଗ ଲାଗୁଥିବାରୁ ସାଲେପୁରବାସୀ ମଧ୍ୟ ନିଜକୁ ଧନ୍ୟ ମନେ କରନ୍ତି।