ଗଡ଼ୁଛି ସମୟ, ବଢୁଛି ବିବାଦ... ଖଣ୍ଡଗିରି ଥାନାରେ ପୁଣି ହାଜର ହେଲେ ତୁଳସୀ ଯାତ୍ରା ପାର୍ଟି ମାଲିକ

NEWS7
bihar-flood-crisis-due-to-nepal

ଭୁବନେଶ୍ୱର ୦୭।୦୨ : ଗଡ଼ୁଛି ସମୟ, ବଢୁଛି ବିବାଦ । ଖଣ୍ଡଗିରି ଥାନାରେ ଚାଲିଥିଲା ଏତଲାର ଲମ୍ବା ଲିଷ୍ଟ । ପ୍ରଥମ ଯାତ୍ରା ଅଭିନେତା ସାଇ ସତ୍ୟଜିତଙ୍କ ମାଆ ତୁଳସୀ ମାଲିକଙ୍କ ନାଁରେ ଏତଲା ଦେଇଥିଲେ । ତାପରେ ପୁଣି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଯାତ୍ରା କମିଟି । ଏହିକ୍ରମରେ ଖଣ୍ଡଗିରି ପୋଲିସ ଥାନାରେ ପୁଣି ଥରେ ହାଜର ହୋଇଛନ୍ତି ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ ଓରଫ ନାଣ୍ଡୁ ବାବୁ । ଶୁକ୍ରବାର ରାତିରେ ଥାନାରେ ହାଜର ହୋଇଥିଲେ ତୁଳସୀ ଯାତ୍ରା ପାର୍ଟିର ମାଲିକ । ଦୁଇ ଦିନ ମଧ୍ୟରେ ଦୁଇ ଥର ଖଣ୍ଡଗିରି ଥାନାରେ ହାଜର ହୋଇସାରିଲେଣି ନାଣ୍ଡୁ ବାବୁ ।

ଏ ଖବର ବି ପଢନ୍ତୁ:- 'ଏଇ ବୋଧେ ଶେଷ ଦେଖା'... ମଞ୍ଚକୁ ଚଢିଲେନି ସାଇ ଓ ପାୟଲ

ସୂଚନାଯୋଗ୍ୟ ଯେ, ଗୁର ବିଳମ୍ବିତ ରାତିରେ ଖଣ୍ଡଗିରି ଯାତ୍ରାରେ ନାଟକ ପରିବେଶଣ ସମୟରେ ତୁଳସୀ ଗଣନାଟ୍ୟର ଅଭିନେତା ସାଇ ଅସୁସ୍ଥ ହୋଇପଡିଥିଲେ । ଏହାପରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସମୟ ଗଢିବା ସହ ଘଟଣାରେ ଆସିଲା ନୂଆ ଟ୍ୱିଷ୍ଟ । ମଧ୍ୟାହ୍ନ ସମୟରେ ଅଭିନେତା ସାଇଙ୍କ ମା ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ପୁଅର ଜୀବନ ପ୍ରତି ବିପଦ ରହିଥିବା ଦର୍ଶାଇଥିଲେ । ଅନ୍ୟପଟେ ଅଭିନେତା ସାଇଙ୍କ ଅସୁସ୍ଥତା ଏବଂ ପରିବାର ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଥିଲେ ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ । କହିଲେ, ଟଙ୍କା ନେଇଛନ୍ତି ମାନେ ମୋ ପାର୍ଟିରେ ଯାତ୍ରା କରିବାକୁ ଅଭିନେତା ସାଇ ବାଧ୍ୟ । ତାହା ନହେଲେ, ମୁଁ ତାଙ୍କ ବିରୋଧରେ କେସ୍ କରିବି । ବାକି ଟଙ୍କା ସହ କ୍ଷତିପୂରଣ ଦେବାକୁ ସେ ବାଧ୍ୟ ହେବେ । ମୋ ସହ ୫ବର୍ଷ ପାଇଁ ଏଗ୍ରିମେଣ୍ଟ କରି ବେଇମାନି କରିବାକୁ ଚେଷ୍ଟା କରୁଛି ସାଇ । ଅଧିକ ଟଙ୍କା ଲୋଭରେ ମୋ ନାଁରେ ମିଛ ଅଭିଯୋଗ କରି ଅନ୍ୟ ପାର୍ଟିକୁ ଯିବାକୁ ଚାହୁଁଛି । ଦେହ ଖରାପର ମିଛ ଡ୍ରାମା କରୁଛି । ମୋ ପାର୍ଟିର ଯାହା କ୍ଷତି ହେବ ସେଥି ପାଇଁ ସାଇ ଦାୟୀ ରହିବ ବୋଲି ନାଣ୍ଡୁ ବାବୁ କହିଛନ୍ତି।

ଅନ୍ୟପଟେ ନିଜ ଜିଦରେ ଅଟଳ ରହି ଯାତ୍ରା ମଞ୍ଚକୁ ଚଢିଲେ ନାହିଁ ଅଭିନେତା ସାଇ ସତ୍ୟଜିତ । କେବଳ ସାଇ ନୁହଁ ସାଇଙ୍କ ସହ ଅଭିନେତ୍ରୀ ପାୟଲ ମଧ୍ୟ କଲେ ନାହିଁ ଅଭିନୟ । ଯାହା ଯାତ୍ରା ପ୍ରେମୀଙ୍କୁ ନିରାଶ କରିଛି । ଟିକେଟ କାଟି ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରାପ୍ରେମୀ । ନାଣ୍ଡୁ ବାବୁଙ୍କ ସହ ବିବାଦ ତେଜିବା ପରେ ତୁଳସୀ ପାର୍ଟି ଯାତ୍ରା ମଞ୍ଚକୁ ଚଢିବେ ନାହିଁ ବୋଲି ସିଧା ସିଧା ମନା କରିଥିଲେ ସାଇ । ଚର୍ଚ୍ଚିତ ନାଟକ 'ଏଇ ବୋଧେ ଶେଷ ଦେଖା' ଖୁବ ଲୋକପ୍ରିୟତା ସାଉଁଟିଥିଲା ସାଇ ଓ ପାୟଲଙ୍କ ଜବରଦସ୍ତ ଅଭିନୟ । ହେଲେ ଏବେଠାରୁ ଆଉ ତୁଳସୀ ଯାତ୍ରା ପାର୍ଟିରେ ଅଭିନୟ କରିବେ ନାହିଁ ସେହି ଚର୍ଚ୍ଚିତ ଯୋଡ଼ି। ଏସବୁ ବିବାଦ ମଧ୍ୟରେ ତୁଳସୀ ଯାତ୍ରା ପାର୍ଟିର ମାଲିକ କୋର୍ଟରେ ସାଇ-ପାୟଲଙ୍କ ନାଁରେ ମାନହାନୀ ମୋକଦ୍ଦମା କରିବେ ବୋଲି ଫୋନ୍‌ ମାଧ୍ୟମରେ ସୂଚନା ଦେଇଥିଲେ । 

ସେହିପରି ନାଟକ ପରିବେଷଣ ବେଳେ ସାପ ଧରି ଷ୍ଟେଜକୁ ଯାଇଥିଲେ ଅଭିନେତା ସାଇ ସତ୍ୟଜିତ୍ । କମିଟି ପକ୍ଷରୁ ସାପ ଧରି ଷ୍ଟେଜକୁ ନଯିବାକୁ ବାରଣ କରାଯାଇଥିଲା । ତେଣୁ କମିଟି ପକ୍ଷରୁ ପାତ୍ରପଡ଼ା ରେଞ୍ଜ ଅଫିସ୍‌ରେ ବି କେସ୍ ରୁଜୁ ହୋଇଛି।

ଏ ଖବର ବି ପଢନ୍ତୁ:- ବିଶ୍ଵ କର୍କଟ ଦିବସ : ଭାରତରେ ଦ୍ରୁତ ଗତିରେ ବଢୁଛି ଏହି ୫ ପ୍ରକାରର କର୍କଟ, ଯଦି ପ୍ରାରମ୍ଭିକ ଲକ୍ଷଣ ଅଛି କରନ୍ତୁ ନାହିଁ ଅଣଦେଖା...