ନୂଆଦିଲ୍ଲୀ: ଶିଶୁ ଓ କିଶୋରଙ୍କ ମଧ୍ୟରେ ସୋସିଆଲ ମିଡିଆର ବହୁଳ ବ୍ୟବହାର ହେଉଥିବା ଦେଖି କଠୋର ପଦକ୍ଷେପ ନେଇଛନ୍ତି ଅଷ୍ଟ୍ରେଲିଆ ସରକାର। ନିକଟରେ ସରକାର ୧୬ ବର୍ଷରୁ କମ ଆୟୁର ପିଲାଙ୍କ ପାଇଁ ୟୁଟ୍ୟୁବ୍ର ଉପଯୋଗ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ବର୍ଷ, ଅଷ୍ଟ୍ରେଲିଆ ପ୍ରଥମ ଦେଶ ଥିଲା ଯିଏ କିଶୋରମାନଙ୍କ ପାଇଁ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତାବ ଦେଇଥିଲା।
ଅଷ୍ଟ୍ରେଲିଆର ଇଣ୍ଟରନେଟ୍ ଉପରେ ନଜର ରଖୁଥିବା ସଂସ୍ଥା ସରକାରଙ୍କୁ ୟୁଟ୍ୟୁବ୍ ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ। ସଂସ୍ଥା ନିଜର ଅଧ୍ୟୟନରୁ କହିଛି ଯେ, ୧୦ରୁ ୧୫ ବର୍ଷ ମଧ୍ୟରେ ୩୭ ପ୍ରତିଶତ କିଶୋର ୟୁଟ୍ୟୁବରେ କ୍ଷତିକାରକ କଣ୍ଟେଣ୍ଟ ଦେଖୁଛନ୍ତି। ବିଶେଷ କରି ଅଷ୍ଟ୍ରେଲିଆ ଅନ୍ୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଅପେକ୍ଷା ୟୁଟ୍ୟୁବ୍ରେ ଏହି ସବୁ ଅଧିକ ଦେଖିବାକୁ ମିଳିଥିବା ସଂସ୍ଥା ସରକାରଙ୍କୁ ଜଣାଇଥିଲୋ
ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନୀଜଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି ଯେ, ସାମାଜିକ ଗଣମାଧ୍ୟମର ଏକ ସାମାଜିକ ଦାୟିତ୍ଵ ରହିଛି। ହେଲେ ଏଥିରେ କୌଣସି ସନ୍ଦେହ ନାହିଁ ଯେ, ଅଷ୍ଟ୍ରେଲିଆର କିଶୋରମାନେ ଅନଲାଇନ ପ୍ଲାଟଫର୍ମ କାରଣରୁ ନକରାତ୍ମକ ଭାବେ ପ୍ରଭାବିତ ହେଉଛନ୍ତି। ଏମିତିରେ ଏସବୁ ବନ୍ଦ କରିବାର ସମୟ ଆସିଛି। ସୋସିଆଲ ମିଡିଆ ଆମ ପିଲାମାନଙ୍କୁ କ୍ଷତି ପହଞ୍ଚାଉଛି।
ଅଷ୍ଟ୍ରେଲିଆ ସରକାର ଗତ ବର୍ଷ ଘୋଷଣା କରିଥିଲେ ଯେ, ଏମିତି ଏକ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରାଯାଉଥିଲା, ଯେଉଁଥିରେ ୧୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଫେସବୁକ, ଟିକଟକ ଓ ଇନଷ୍ଟାଗ୍ରାମ ପରି ସୋସିଆଲ ମିଡିଆ ପ୍ଲାଟଫର୍ମ ସାଇଟ୍ରେ ପ୍ରତିବନ୍ଧକ ଲଗାଯିବ।
ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ବୁଧବାର ଦିନ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ "୧୬ ବର୍ଷରୁ କମ୍ ବୟସର ଯୁବକ ଯୁବତୀମାନେ YouTube ରେ ଆକାଉଣ୍ଟ ତିଆରି କରିପାରିବେ ନାହିଁ। ସେମାନେ Facebook, Instagram, Snapchat, TikTok ଏବଂ X ସମେତ ଅନ୍ୟ ପ୍ଲାଟଫର୍ମରେ ମଧ୍ୟ ଆକାଉଣ୍ଟ ତିଆରି କରିପାରିବେ ନାହିଁ।"
ବୁଧବାର ଜଣେ ୟୁଟ୍ୟୁବର ମୁଖପାତ୍ର କହିଛନ୍ତି, "ଆମର ସ୍ଥିତି ସ୍ପଷ୍ଟ ଯେ ୟୁଟ୍ୟୁବ୍ ହେଉଛି ଏକ ଭିଡିଓ ସେୟାରିଂ ପ୍ଲାଟଫର୍ମ ଯାହାର ମାଗଣା, ଉଚ୍ଚ-ଗୁଣବତ୍ତା ସମ୍ପନ୍ନ ବିଷୟବସ୍ତୁର ଏକ ଲାଇବ୍ରେରୀ ଯାହା ଟିଭି ସ୍କ୍ରିନରେ ବର୍ଦ୍ଧିତ ଭାବରେ ବ୍ୟବହୃତ ହେଉଛି।ଏହା କୌଣସି ପ୍ରକାରର ସୋସିଆଲ ମିଡିଆ ନୁହେଁ।
ଅଷ୍ଟ୍ରେଲିଆର ଏହି ନିଷ୍ପତ୍ତି ବିଶ୍ୱର ସବୁଠାରୁ କଠିନ କଟକଣା ମଧ୍ୟରୁ ଗୋଟିଏ। କିନ୍ତୁ ବର୍ତ୍ତମାନର ଆଇନରେ ନିୟମଗୁଡ଼ିକ କିପରି କାର୍ଯ୍ୟକାରୀ ହେବ ସେ ବିଷୟରେ ପ୍ରାୟ କୌଣସି ତଥ୍ୟ ଦିଆଯାଇ ନାହିଁ। ଏହି ଆଇନ ଚଳିତ ବର୍ଷ ଡିସେମ୍ବର ୧୦ରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଯଦି ୟୁଟ୍ୟୁବ ଏହି ପ୍ରତିବନ୍ଧକକୁ କାର୍ଯ୍ୟକାରୀ କରିବାରେ ବିଫଳ ହୁଏ, ତେବେ କମ୍ପାନିକୁ ୪୯.୫ ନିୟୁତ ଅଷ୍ଟ୍ରେଲୀୟ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ।