ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଝଟକା। କର୍ଣ୍ଣାଟକର ଏକ ସ୍ପେଶାଲ କୋର୍ଟ ଲୋକାୟୁକ୍ତ ପୋଲିସକୁ ମୁଦା ଜମି ଆବଣ୍ଟିତ ମାମଲାରେ ତଦନ୍ତ ଜାରି ରଖିବାକୁ ଆଦେଶ ଦେଇଛନ୍ତି। ଏଥିସହ କୋର୍ଟ ସୂଚନା ଅଧିକାର କର୍ମୀ ସ୍ନେହମୟୀ କୃଷ୍ଣାଙ୍କ ଦ୍ଵାରା ଦାଖଲ ଯାଚିକା ଉପରେ ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ସ୍ନେହମୟୀ ମୁଦା ମାମଲାରେ ଲୋକାୟୁକ୍ତ ପୋଲିସ ପକ୍ଷରୁ ଦାୟର ବି-ରିପୋର୍ଟ ଉପରେ ପ୍ରଶ୍ନ ଉଠାଇଥିଲେ।
କୋର୍ଟ କହିଛନ୍ତି, ଲୋକାୟୁକ୍ତ ପୋଲିସକୁ ନିଜର ତଦନ୍ତ ପୂରା କରିବା ଉଚିତ୍। ସେ ପର୍ଯ୍ୟନ୍ତ ବି ରିପୋର୍ଟ ଉପରେ ଆଦେଶ ଦିଆଯାଇ ପାରିବ ନାହିଁ। ଏଥିସହ କୋର୍ଟ ଇଡିକୁ ଲୋକାୟୁକ୍ତ ରିପୋର୍ଟ ଉପରେ ଯାଚିକା ଦାୟର କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି। କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୨୦୨୫ ମେ ୭ ତାରିଖ ଧାର୍ଯ୍ୟ କରିଛନ୍ତି।
Also read: ଚାଷୀକୂଳ ପାଇଁ ଖୁସିର ଖବର, ଚଳିତ ବର୍ଷ ସ୍ଵାଭାବିକଠୁ ଅଧିକ ହେବ ମୌସୁମୀ ବର୍ଷା
କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଓ ତାଙ୍କ ପରିବାରକୁ ଏହା ପୂର୍ବରୁ ମୁଦା କେସରେ ଆଶ୍ଵସ୍ତି ମିଳିଥିଲା। ଲୋକାୟୁକ୍ତ ପୋଲିସ ଜଣାଇଥିଲେ ଯେ, ଏହି ମାମଲାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ତାଙ୍କ ପତ୍ନୀ ଓ ଅନ୍ୟ ଲୋକଙ୍କ ବିରୋଧରେ କୌଣସି ପ୍ରମାଣ ମିଳିନାହିଁ। ୨୦୨୪ ଫେବୃଆରୀରେ ସିଦ୍ଧରମୈୟାଙ୍କୁ ସମନ ଜାରି କରାଯାଇଥିଲା। ଏହା ପରେ ସେ ଲୋକାୟୁକ୍ତ ପୋଲିସ ସାମ୍ନାରେ ହାଜର ହୋଇଥିଲେ। ପୋଲିସ ତାଙ୍କୁ ପ୍ରାୟ ୨ ଘଣ୍ଟା ଧରି ପଚରା ଉଚୁରା କରିଥିଲା।
କଣ ଏହି MUDA ଜମି ଅବଣ୍ଟିତ ମାମଲା ?
ମହୀଶୂର ସହରାଞ୍ଚଳ ବିକାଶ ପ୍ରାଧୀକରଣ(ମୁଦା)ରେ ବେଆଇନ ଭାବେ ନିଜ ପତ୍ନୀଙ୍କୁ ଜମି ଆବଣ୍ଟିତ କରିବାର ଅଭିଯୋଗ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ହୋଇଛି। କର୍ଣ୍ଣାଟକରେ ବିଜେପି ସରକାରରେ ଥିବା ସମୟରେ ଏହି ଜମି ଆବଣ୍ଟିତ ହୋଇଥିଲା। ସୂଚନା ଅଧିକାର କର୍ମୀ ସ୍ନେହମୟୀ କୃଷ୍ଣା ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାୟର କରି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ପତ୍ନୀ ପାର୍ବତୀଙ୍କୁ ମୁଦାରେ ୧୪ ସାଇଟ୍ରେ ଜମି ଆବଣ୍ଟିତ କରାଯାଇଥିବା ଦାବି କରିଥିଲେ। ତେଣୁ ଏହାର ତଦନ୍ତ ଭାର ସିବିଆଇକୁ ଦିଆଯାଉ।