କଟକ ୦୯।୦୭ : ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା । ବଢିଲା ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ଅଡୁଆ। ପତ୍ନୀ ବିଦ୍ୟାଭାରତୀ ଓ ତତ୍କାଳୀନ DFO ସଂଗ୍ରାମ ବେହେରାଙ୍କୁ ଝଟ୍କା । ଉଭୟଙ୍କ ପିଟିସନ୍ ଖାରଜ । ହତ୍ୟା ମାମଲା ଚାଲିବ ବୋଲି କହିଲେ ହାଇକୋର୍ଟ । ସେହିପରି ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ବି ଚାଲିବ ମାମଲା । ବର୍ତ୍ତମାନ ପାରଳାଖେମୁଣ୍ଡି ଏସ୍ଡିଜେଏମ୍ କୋର୍ଟରେ ମାମଲା ରହିଛି । ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶରୁ ବିଦ୍ୟାଭାରତୀ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ସୂଚନାଯାଗ୍ୟ ଯେ, ୨୦୨୧ ଜୁଲାଇ ୧୨ ତାରିଖରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସରକାରୀ ବାସଭବନରେ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ର ତାଙ୍କ ସ୍ତ୍ରୀଙ୍କ ସହ ଥିବା ବେଳେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ସୌମ୍ୟରଞ୍ଜନଙ୍କୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ଶରୀରର ୯୦ ପ୍ରତିଶତ ପୋଡିଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଏକ ଘରାଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଜୁଲାଇ ୧୬ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏହାକୁ ଆକସ୍ମିକ ଘଟଣା ବୋଲି ତାଙ୍କ ପତ୍ନୀ ବିଦ୍ୟାଭାରତୀ କହୁଥିବା ବେଳେ ସୌମ୍ୟଙ୍କ ବାପା ଅଭିରାମ ତାଙ୍କ ପୁଅକୁ ମାରିବା ପାଇଁ ଯୋଜନାବଦ୍ଧ ଷଡଯନ୍ତ୍ର କରାଯାଇଥିବା ଏବଂ ଏଥିପାଇଁ ବିଦ୍ୟାଭାରତୀ ପଣ୍ଡା, ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କ ମଧ୍ୟରେ ଥିବା ଅନୈତିକ ସଂପର୍କ ଦାୟୀ ବୋଲି ଅଭିଯୋଗ କରିଥିଲେ। ଏହାକୁ ଆଧାର କରି ପାରଳାଖେମୁଣ୍ଡି ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ମାସାଧିକ କାଳ ତଦନ୍ତ ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ସରକାର ଘଟଣାର ତଦନ୍ତ ଦାୟିତ୍ଵ କ୍ରାଇମବ୍ରାଞ୍ଚକୁ ପ୍ରଦାନ କରିଥିଲେ। କ୍ରାଇମବ୍ରାଞ୍ଚ ତଦନ୍ତ କରି ଚାର୍ଜସିଟ୍ ଦାଖଲ କରିଥିଲା।