Watch ଗୁଜରାଟରେ ଏକସଙ୍ଗରେ ୭୫ହଜାର ମହିଳା ନାଚିଲେ ‘ହୁଡୋ ରାସ’, ରଚିଲେ ବିଶ୍ୱ ରେକର୍ଡ

Published By : Prameya-News7 Bureau | March 20, 2025 IST

ଧୋଲେରା ୨୦।୩: ଗୁଜରାଟର ବାୱଲିୟାଲୀରେ ଗୁରୁବାର ଭରୱାଡ଼ ସମୂଦାୟର ୭୫,୦୦୦ରୁ ଅଧିକ ମହିଳା ପାରମ୍ପରିକ ‘ହୁଡୋ ରାସ ନୃତ୍ୟ’ ପରିବେଷଣ କରି ବିଶ୍ୱ ରେକର୍ଡ କରିଛନ୍ତି। ଗୁଜରାଟ ଗୃହରାଜ୍ୟମନ୍ତ୍ରୀ ହର୍ଷ ସଂଘଭୀ ତାଙ୍କ ସୋସିଆଲ ମିଡିଆରେ ନୃତ୍ୟର ଭିଡିଓ ସେୟାର କରି ଏହି ଦାବି କରିଛନ୍ତି। ନୃତ୍ୟ କାଳରେ ଏହି ସମୂଦାୟର ମହିଳାମାନେ ପାରମ୍ପରିକ ବେଶ ପୋଷାକରେ ଦେଖାଯାଇଛନ୍ତି। ସମସ୍ତଙ୍କୁ ଗୋଟିଏ ରଙ୍ଗର ପୋଷାକରେ ଆକର୍ଷଣୀୟ ଢଙ୍ଗରେ ନୃତ୍ୟ କରୁଥିବାର ଦେଖାଯାଇଛି। 

ଭରୱାଡ ସମୂଦାୟର ଆସ୍ଥା କେନ୍ଦ୍ର ନାଗଲଖା ବାପାଙ୍କ ଧାମ ବାୱାଲିୟାଲୀ ମନ୍ଦିରର ସାଢେ ୪୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ସାମୂହିକ ହୁଡା ରାସ ନୃତ୍ୟର ଆୟୋଜନ କରାଯାଇଥିଲା। ଏହି ଅବସରରେ ମନ୍ଦିରର ପୁଣି ଶୁଭ ଉଦଘାଟନ ହୋଇଥିବା ବେଳେ ଭାଗବତ କଥା ରୂପରେ ଗୋପଜ୍ଞାନ ଗାଥାରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ଭରୱାଡ ସମାଜର ହଜାର ହଜାର ମା ଓ ଭଉଣୀମାନେ ପାରମ୍ପରିକ ପୋଷାକରେ ହୁଡୋ ରାସ ନୃତ୍ୟ କରିଛନ୍ତି। 


ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅହମଦାବାଦ ଧୋଲେରାର ବାୱଲିୟାଲୀ ଧାମରେ ଧାର୍ମିକ ଆୟୋଜନରେ ସାମିଲ ହେବା ପାଇଁ ବହୁ ସଂଖ୍ୟାରେ ଯୋଗ ଦେଇଥିବା ସମୂଦାୟ ସଦସ୍ୟଙ୍କୁ ଭର୍ଚୁଆଲୀ ସମ୍ବୋଧିତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି ଯେ ‘ଆମକୁ ଆଗାମୀ ୨୫ ବର୍ଷରେ ବିକଶିତ ଭାରତ ନିର୍ମାଣ କରିବାର ଅଛି ଓ ଏଥିଲାଗି ମୋତେ ଆପଣଙ୍କ ସମୂଦାୟର ଆବଶ୍ୟକତା ରହିଛି। ଏହାର ପ୍ରଥମ ପଦକ୍ଷେପରେ ଗାଁମାନଙ୍କୁ ବିକଶିତ କରିବାକୁ ପଡିବ। ମୁଁ ଆପଣମାନଙ୍କୁ ଗୋଟିଏ ବୃକ୍ଷ ମାଙ୍କ ନାମରେ ଅଭିଯାନରେ ପ୍ରାକୃତିକ ଚାଷ ଆପଣେଇବାକୁ ନିବେଦନ କରୁଛି’ ବୋଲି କହିଛନ୍ତି। 


ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ କହିଛନ୍ତି ଯେ ଭଗବାନ କୃଷ୍ଣଙ୍କ ଉପାସକ ଗୋପାଳକ ସମୂଦାୟ ପଶୁପାଳନ କ୍ଷେତ୍ରରେ ମହାନ ଯୋଗଦାନ ଦେଇଛନ୍ତି। ନିଜର ରଚନାତ୍ମକ ଗତିବିଦ୍ଧିରେ ସମାଜରେ ଏକତାର ପରିଚୟ ଦେଇ ସମାଜରେ ବିଶ୍ୱାସ ସୃଷ୍ଟି କରିଛନ୍ତି। ଭରୱାଡ ସମୂଦାୟ ଗୁଜରାଟ ଧୋଲେରାର ଏକ ପଶୁପାଳକ ସମୂଦାୟ। ଏମାନେ ବିଶେଷତଃ ଗୋପାଳନ କରିଥାନ୍ତି ଓ ପାରମ୍ପରିକ ଜୀବନ ବିତାଇଥାନ୍ତି। ହୁଡୋ ରାସ ଏହି ସମୂଦାୟର ପାରମ୍ପରିକ ନୃତ୍ୟ, ଯାହା ମହିଳାଙ୍କ ମଧ୍ୟରେ ଆଦ୍ରୁତ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.