ଭାରତର ପାଣି ଏବେ ଭାରତ କାମରେ ଆସିବ: ପିଏମ୍ ମୋଦୀ

Published By : Prameya-News7 Bureau | May 06, 2025 IST

ନୂଆଦିଲ୍ଲୀ: 'ଭାରତର ପାଣି ଏବେ ଭାରତ କାମରେ ଆସିବ । ଯାହା ପୂର୍ବରୁ ଦେଶ ବାହାରକୁ ଯାଉଥିଲା, ଏବେ ଅଟକାଯିବ ଓ ଦେଶର ଆବଶ୍ୟକତା ପାଇଁ ବ୍ୟବହାର କରାଯିବ ।' ପହଲଗାମ ଆତଙ୍କୀ ଆକ୍ରମଣ ପରେ ପାକିସ୍ତାନ ସହ ଜାରି ଉତ୍ତେଜନା ଭିତରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦୀ ଏହା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ପାକିସ୍ତାନ ପାଇଁ କଡ଼ା ସନ୍ଦେଶ ରୂପେ ଦେଖାଯାଉଛି ।

ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ବୟାନ ଦେଇଛନ୍ତି । ସେ ତାଙ୍କ ବୟାନରେ ପାକିସ୍ତାନର ନାଁ ଉଲ୍ଲେଖ କରିନାହାନ୍ତି । ତେବେ ପାକିସ୍ତାନ ସହ ବର୍ତ୍ତମାନର ଉତ୍ତେଜନାକୁ ଦେଖିଲେ, ଏହା ପଡ଼ୋଶୀ ଦେଶ ପାଇଁ ହିଁ ଏକ କଡ଼ା ଚେତାବନୀ ବୋଲି ଅନୁମାନ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ଏହି ବୟାନକୁ ଦେଶର ଜଳ ନୀତିରେ ସମ୍ଭାବିତ ବଡ଼ ପରିବର୍ତ୍ତନର ସଂକେତ ରୂପେ ଦେଖାଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ସରକାର ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରାଯିବାର କିଛି ଦିନ ପରେ ଆସିଛି । ବିଶ୍ୱ ବ୍ୟାଙ୍କ ମଧ୍ୟସ୍ଥତାରେ ୧୯୬୦ ମସିହାରେ ପାକିସ୍ତାନ ସହ ଏହାକୁ ହସ୍ତାକ୍ଷର କରାଯାଇଥିଲା । ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଏହାକୁ ବାତିଲ କରାଯାଇଥିଲା । ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକଙ୍କୁ ଆତଙ୍କୀମାନେ ଧର୍ମ ପଚାରି ହତ୍ୟା କରିଥିଲେ ।

ଏହାରି ଭିତରେ ଓଆଇସି ଦ୍ୱାରା ଜାରି ବୟାନକୁ ଭାରତ କଡ଼ା ନିନ୍ଦା କରିଛି । ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ ଏହି ବୟାନ ପାକିସ୍ତାନ ଇଙ୍ଗତରେ ଜାରି କରାଯାଇଛି । ଏହା ପହଲଗାମ ଆକ୍ରମଣ ତଥା ସୀମା ସମ୍ପର୍କକୁ ଅଣଦେଖା କରୁଥିବା ହାସ୍ୟାସ୍ପଦ ବୟାନ । ଉଲ୍ଲେଖଯୋଗ୍ୟ, ମୁସଲିମ ଦେଶଙ୍କ ଏହି ସଂଗଠନ କହିଥିଲା ଯେ ଭାରତ ଦ୍ୱାରା ପାକିସ୍ତାନ ଉପରେ ଆତଙ୍କବାଦର ଭିତ୍ତିହୀନ ଅଭିଯୋଗ ଯୋଗୁଁ ଉତ୍ତେଜନା ବଢୁଛି ।

ଜୟସୱାଲ କହିଛନ୍ତି, ‘ଏହା ପାକିସ୍ତାନର ଆଉ ଏକ ପ୍ରୟାସ, ଯାହା ଦୀର୍ଘ ବର୍ଷରୁ ସୀମା ପାର ଆତଙ୍କବାଦରେ ସଂଶ୍ଲିଷ୍ଟ ରହିଛି । ଓଆଇସିକୁ ଭ୍ରମିତ କରି ନିଜ ହିତରେ ବୟାନ ଜାରି କରାଉଛି । ଭାରତର ଆଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପକୁ ଆମେ ଖଣ୍ଡନ କରୁଛୁ ।‘

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.