ପାଣିି ପାଇଁ ରକ୍ତରଞ୍ଜିତ ହେଲା କେନ୍ଦ୍ରମନ୍ତ୍ରୀଙ୍କ ଘର, ଦୁଇ ଭଣଜାଙ୍କ ମଧ୍ୟରେ ଗୁଳିମାଡ଼

Published By : Prameya-News7 Bureau | March 20, 2025 IST

ଭାଗଲପୁର ୨୦/୦୩: ପାଣି ପାଇଁ ଗଡ଼ିଲା ମୁଣ୍ଡ । ବିହାର ଭାଗଲପୁରରୁ ନଜର ଆସିଛି ଏପରି ଅଭାବନୀୟ ଘଟଣା । କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କ ଭଣଜା ବିଶ୍ୱଜିତ ଯାଦବଙ୍କୁ ଦିବାଲୋକରେ ଗୁଳି କରି ହତ୍ୟା କରାଯାଇଛି । ଏହି ଗୁଳିକାଣ୍ଡ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜାଙ୍କ ମଧ୍ୟରେ ହୋଇଛି । 

ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପୋଲିସ କହିବା ମୁତାବକ ନିତ୍ୟାନନ୍ଦ ରାୟଙ୍କ ଦୁଇ ଭଣଜା ବିଶ୍ୱଜିତ୍ ଓ ଜୟଜିତଙ୍କ ମଧ୍ୟରେ ପାଣି ପାଇଁ କଳି ହୋଇଥିଲା । ଏହି କଳି ଏତେ ଉଗ୍ରରୂପ ନେଇଥିଲା କି, ଦୁଇଜଣ ପରସ୍ପରକୁ ଗୁଳି ଚଳାଇଥିଲେ । ଏହି ଗୁଳିକାଣ୍ଡରେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଥିବା ବେଳେ ଜୟଜିତ ଓ ତାଙ୍କ ମାଆ ହିନା ଦେବୀ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । 

କହିବାକୁ ଗଲେ ବିଶ୍ୱଜିତ ଓ ଜୟଜିତ ଗୋଟିଏ ଘରେ ରହୁଥିଲେ । ଉଭୟ ଚାଷ କରି ନିଜର ଗୁଜରାଣ ମେଣ୍ଟାଉଥିଲେ । ପାଇପ୍ ପାଣିକୁ ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପ୍ରଥମେ ଜୟଜିତ ବିଶ୍ୱଜିତଙ୍କ ଉପରେ ଗୁଳି ଚଳାଇଥିଲା । ଜବାବରେ ବିଶ୍ୱଜିତ ମଧ୍ୟ ଗୁଳି ଚଳାଇଥିଲା । ଉଭୟଙ୍କୁ ମେଡିକାଲ ନିଆଯାଉଥିବା ବେଳେ  ରାସ୍ତାରେ ବିଶ୍ୱଜିତଙ୍କର ମୃତ୍ୟୁ ହୋଇଛି ଓ  ଜୟଜିତ ଚିକିତ୍ସାଧୀନ ଅଛନ୍ତି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.