ବେଙ୍ଗାଲୁରୁ: ଘରୋଇ ଗ୍ରାଉଣ୍ଡରେ ଲଗାତାର ତିନି ପରାଜୟ ପରେ ଶେଷରେ ବିଜୟର ସ୍ଵାଦ ଚାଖିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ଅନ୍ୟପଟେ ଲଗାତାର ପଞ୍ଚମ ପରାଜୟ ଭୋଗିଛି ରାଜସ୍ଥାନ। ବିରାଟ କୋହଲି ଓ ଦେବଦତ୍ତ ପାଡିକଲଙ୍କ ଅର୍ଦ୍ଧଶତକ ପରେ ଜୋଶ ହେଜେଲଉଡଙ୍କ ଶାଣିତ ବୋଲିଂ ବଳରେ ବେଙ୍ଗାଲୁରୁ ରୋମାଞ୍ଚକର ମୁକାବିଲାରେ ୧୧ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ବିରାଟ କୋହଲିଙ୍କ ୭୦ ରନ ଓ ପାଡିକଲଙ୍କ ୫୦ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୦୫ ରନର ବିଶାଳ ସ୍କୋର କରିଥିଲା। ଜବାବରେ ରାଜସ୍ଥାନ ୯ ଓ୍ଵିକେଟ୍ ବିନିୟମୟରେ ୧୯୪ ରନ କରି ପାରିଥିଲା। ଯଶସ୍ଵୀ ଜୟସ୍ଵାଲ ୪୯ ରନ ଓ ଧ୍ରୁବ ଜୁରେଲ ୪୭ ରନ କରିଥିଲେ। ଜୋଶ ହେଜେଲଉଡ ୪ ଓ୍ଵିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି। ୯ ମ୍ୟାଚ୍ରୁ ୬ ବିଜୟ ସହ ବେଙ୍ଗାଲୁର ପଏଣ୍ଟ ଟେବୁଲର ତୃତୀୟରେ ରହିଥିବା ବେଳେ ରାଜସ୍ଥାନ ରୟାଲ୍ସ ସପ୍ତମ ପରାଜୟ ଭୋଗିଛି। ଦଳ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ିବାର ଦ୍ଵାର ଦେଶରେ ପହଞ୍ଚି ଯାଇଛି।
୨୦୬ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନକୁ ଯଶସ୍ଵୀ ଜୟସ୍ଵାଲ ଦମଦାର ଆରମ୍ଭ ଦେଇଥିଲେ। ସେ ୧୪ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ସହ ମିଶି ଓପନିଂରେ ମାତ୍ର ୪.୨ ଓଭରରେ ୫୨ ରନ ଯୋଡ଼ିଥିଲେ। ବୈଭବ ୧୬ ରନ କରି ଆଉଟ୍ ହୋଇଥିଲେ। ବିସ୍ଫୋରକ ବ୍ୟାଟିଂ କରୁଥିବା ଜୟସ୍ଵାଲ ମାତ୍ର ୧୯ ବଲରୁ ୭ ଚୌକା ଓ ୩ ଛକା ସହ ୪୯ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ରିୟାନ ପରାଗ ୧୦ ବଲ୍ରୁ ୨୨ ରନ କରିଥିଲେ ହେଁ ବଡ଼ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ମଧ୍ୟକ୍ରମରେ ନୀତିଶ ରାଣା ୨୮ ରନ କରିଥିଲେ। ଧ୍ରୁବ ଜୁରେଲ କ୍ରିଜରେ ରହି ଦଳର ବିଜୟ ସମ୍ଭାବନା ଉଜ୍ଜିବୀତ ରଖିଥିଲେ। ଭୁବନେଶ୍ଵର କୁମାରଙ୍କ ୧୮ତମ ଓଭରରେ ଜୁରେଲ ଓ ଶୁଭମ ଦୁବେ ୨୨ ରନ ସଂଗ୍ରହ କରି ମ୍ୟାଚ୍କୁ ରୋମାଞ୍ଚକର ମୋଡ଼ ନେଇଥିଲା। ଶେଷ ୨ ଓଭରରେ ରାଜସ୍ଥାନ ରୟାଲ୍ସକୁ ଜିତିବା ପାଇଁ ୨୨ ରନ ଦରକାର ଥିଲା। ହେଲେ ଦଳ ୧୯୪ ରନରେ ସୀମିତ ରହିଥିଲା। ୧୯ ତମ ଓଭରରେ ହେଜେଲଉଡ ମ୍ୟାଚ୍ର ମଙ୍ଗ ବଦଳାଇଥିଲେ।