ମେଳା ଦେଖିବାକୁ ଯାଇଥିଲେ, ତିନି ଜଣ ମିଶି ମାରିଦେଲେ...

NEWS7
bengal-governmant-bans-hookah-bars-in-kolkata

ଆଳି ୧୭।୦୧ : ତେଲେଙ୍ଗାନାରେ ଓଡ଼ିଆ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ସଂସିଧା ପଞ୍ଚାୟତ ଠାକୁରପାଟଣା ଗାଁର ସର୍ବେଶ୍ୱର ପରିଡ଼ାଙ୍କ ୩୨ ବର୍ଷୀୟ ପୁଅ ଅବିନାଶଙ୍କୁ ତେଲେଙ୍ଗାନାରେ ହତ୍ୟା କରାଯାଇଛି । ତେଲେଙ୍ଗାନା କୋକାପେଟ ଅଞ୍ଚଳରେ ତିନିଜଣ ଦୁର୍ବୃତ୍ତ ଅତି ନିର୍ମମ ଭାବେ ହତ୍ୟା କରିଥିବା ନେଇ ଅବିନାଶଙ୍କ ସାନ ଭାଇ ଅଭିଷେକ ତେଲେଙ୍ଗାନା ନରସିଂହ ଥାନାରେ ଏତଲା ଦେଇଛନ୍ତି ।

ଅଭିଯୋଗ ଅନୁସାରେ, ମକର ସଂକ୍ରାନ୍ତି ଦିନ ଅବିନାଶ ତେଲେଙ୍ଗାନାର କୋକାପେଟ ଗୋଶାଳା ଲେବର କଲୋନୀରୁ ବାହାରି ଗାନ୍ଧିପେଟଠାରେ ଆୟୋଜିତ ଅଲେଖ ମେଳା ଦେଖିବାକୁ ଯାଇଥିଲେ। ମେଳା ଦେଖି କଲୋନୀକୁ ଫେରିବା ସମୟରେ ତିନି ଜଣ ଅଜଣା ଦୁର୍ବୃତ୍ତ ଅବିନାଶଙ୍କଠାରୁ ମୋବାଇଲ୍‌, ପର୍ସ ଆଦି ଲୁଟିନେବା ପରେ ମାରିଦେବାକୁ ଧମକ ଦେଇଥିଲେ। ଏଥିରେ ଭୟଭୀତ ହୋଇ ଅବିନାଶ ରାସ୍ତାରେ ଯାଉଥିବା ଗାଡ଼ିକୁ ସହାୟତା ମାଗିଥିଲେ ମଧ୍ୟ ସହାୟତା ପାଇନଥିଲେ। ଏହାର କିଛି ସମୟ ପରେ ଗାନ୍ଧିପେଟର ଗୋଶାଳା ନିକଟରୁ ଅବିନାଶଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାର ୩ ଦିନ ପରେ ମଧ୍ୟ ହତ୍ୟାକାରୀଙ୍କ କୌଣସି ସୂଚନା ମିଳିନଥିବା ନେଇ ସୂଚନା ମିଳିଛି। ଅପରପକ୍ଷରେ ନ୍ୟାୟ ପାଇଁ ପରିବାର ଲୋକେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। ପ୍ରକାଶ ଥାଉକି ତେଲେଙ୍ଗାନାରେ ଅବିନାଶଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଇ ଶବ ସଂସ୍କାର କରାଯାଇଥିବା ଜଣାପଡ଼ିଛି।