ତେଲ ଅଭିଭ୍ : ଇସ୍ରାଏଲର ଆକ୍ରମଣରେ ଗାଜା ପଟ୍ଟିରେ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସ୍ଥିତି ଏମିତି ହୋଇଛି ଯେ, ବିଶ୍ୱର ଆଉ ୪ଟି ପ୍ରମୁଖ ନ୍ୟୁଜ୍ ସଙ୍ଗଠନ ଗୁରୁବାର କହିଛନ୍ତି ଯେ, ଇସ୍ରାଏଲ-ହମାସ ଯୁଦ୍ଧ ଜାରି ରହିବା କାରଣରୁ ଗାଜାରେ ସେମାନଙ୍କ ସାମ୍ୱାଦିକଙ୍କ ସାମ୍ନାରେ ଅନାହାରର ସମସ୍ୟା ସୃଷ୍ଟି ହୋଇ ଯାଇଛି। ଏହି ମଧ୍ୟରେ , ବରିଷ୍ଠ ଆମେରିକୀୟ ଦୂତ ଷ୍ଟିଭ୍ ୱିଟକଫ୍ ପଶ୍ଚିମ ଏସିଆର ପ୍ରମୁଖ ଆଲୋଚନାକାରୀଙ୍କୁ ଭେଟିବାକୁ ଯାଉଛନ୍ତି।
ଆସୋସିଏଟେଡ୍ ପ୍ରେସ୍ ( ଏପି), ଏଜେନ୍ସି ଫ୍ରାନ୍ସ –ପ୍ରେସ୍ (ଏଏଫପି), ରଏଟର୍ସ ଏବଂ ବିବିସି ଦ୍ୱାରା ଜାରି ଏକ ମିଳିତ ବୟାନରେ କୁହାଯାଇଛି , ଆମେ ଗାଜାରେ ନିଜର ସାମ୍ୱାଦିକଙ୍କ ପାଇଁ ଖୁବ୍ ଚିନ୍ତିତ , ଯିଏକି ଲଗାତାର ନିଜକୁ ଓ ନିଜ ପରିବାରକୁ ଖାଦ୍ୟ ଯୋଗାଇବାରେ ଅସମର୍ଥ ହେଉଛନ୍ତି। ଏହି ଚାରୋଟି ସଙ୍ଗଠନ କହିଛନ୍ତି , ଅନେକ ମାସରୁ , ଏହି ସ୍ୱତନ୍ତ୍ର ସାମ୍ୱାଦିକମାନେ ଗାଜାରେ ଗ୍ରାଉଣ୍ଡ ସ୍ତରରେ ଦୁନିଆର ଆଖି କାନ ସାଜିଛନ୍ତି। ଏବେ ସେମାନେ ବି ସେହି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ,ଯାହାର ସେ ରିପୋର୍ଟିଂ କରୁଛନ୍ତି।
ବିବୃତ୍ତିରେ ଇସ୍ରାଏଲରୁ ଗାଜାକୁ ସାମ୍ୱାଦିକଙ୍କ ଗତିବିଧିରେ ଅନୁମତି ଦେବା ଓ ଅଞ୍ଚଳକୁ ପର୍ଯ୍ୟାପ୍ତ ଖାଦ୍ୟ ଯୋଗାଣର ଅନୁମତି ପ୍ରଦାନ କରିବାକୁ ଆହ୍ୱାନ କରାଯାଇଛି। ଏହି ବୟାନ ଏମିତି ସମୟରେ ଆସିଛି, ଯେତେବେଳେ ଦିନକ ପୂର୍ବରୁ ୧୦୦ରୁ ଅଧିକ ଚ୍ୟାରିଟି ଓ ମାନବାଧିକାର ସଂଗଠନ କହିଥିଲେ ଯେ, ଇସ୍ରାଏଲର ଅବରୋଧ ଓ ଜାରି ରହିଥିବା ସେନା ଆକ୍ରମଣ ଗାଜା ପଟ୍ଟିରେ ପାଲେଷ୍ଟାଇନୀଙ୍କୁ ଦୁର୍ଭିକ୍ଷ ଆଡ଼କୁ ଠେଲି ଦେଉଛି।
ଇସ୍ରାଏଲ ୨୧ ମାସ ଧରି ଚାଲିଥିବା ଯୁଦ୍ଧରେ ଅନ୍ତରାଷ୍ଟ୍ରୀୟ ମିଡ଼ିଆକୁ ଗାଜାରେ ମୁକ୍ତ ଭାବେ ପ୍ରବେଶରେ ରୋକ୍ ଲଗେଇଛି। ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ , ହମାସର ୭ ଅକ୍ଟୋବର, ୨୦୨୩ର ହମଲାର ଜବାବରେ ଆରମ୍ଭ ହୋଇ ଥିବା ଇସ୍ରାଏଲୀୟ ଯୁଦ୍ଧରେ ୫୯,୦୦୦ରୁ ଅଧିକ ପାଲେଷ୍ଟାଇନୀଙ୍କ ଜୀବନ ଯାଇଛି। ମନ୍ତ୍ରଣାଳୟ ନିଜର ଗଣନାରେ ଆତଙ୍କବାଦୀ ଓ ନାଗରିକଙ୍କ ମଧ୍ୟରେ କୌଣସି ତଫାତ୍ ଦେଖି ନାହିଁ , କିନ୍ତୁ ସେ କହିଛି ଯେ, ମୃତକଙ୍କ ମଧ୍ୟରେ ଅଧାରୁ ଅଧିକ ମହିଳା ଓ ଶିଶୁ ଅଛନ୍ତି।