ନବୀନଙ୍କ ନୂଆ ରଣନୀତି, ଦଳୀୟ ବିଧାୟକଙ୍କୁ ଦେଲେ ଟାସ୍କ, ରାଜଧାନୀରେ ନ ବସି ଗାଁକୁ ଯାଅ

NEWS7
barsha-banya-news-today

ଭୁବନେଶ୍ଵର: ବିଜୁ ଜନତା ଦଳକୁ ସଜାଡିବାକୁ ବଡ଼ ପ୍ଲାନ୍ କରିଛନ୍ତି ପାର୍ଟି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳୀୟ ବିଧାୟକଙ୍କୁ ଡାକି ସେମାନଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ଆଉ ସେମାନଙ୍କ ଠାରୁ ଲୋକଙ୍କ ସମସ୍ୟା ବୁଝି ତା’ର ସମାଧାନ ପାଇଁ ବିଧାୟକଙ୍କୁ ଦେଇଛନ୍ତି ଟାସ୍କ । ବିଧାୟକଙ୍କ ପରେ ବିଜେଡି ଜିଲ୍ଲା ସଭାପତି ଓ ବିଧାୟକ ପ୍ରାର୍ଥୀଙ୍କ ସହ ଆଲୋଚନା କରି ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଭଳି ଦଳୀୟ ସଂଗଠନ ପୁଣି ପୂର୍ବଭଳି ମଜବୁତ୍ ହୋଇପାରିବ ସେନେଇ ଦେଇଛନ୍ତି ଉଚିତ୍ ପରାମର୍ଶ।

ନବୀନଙ୍କ ନୂଆ ରଣନୀତି । ଦଳୀୟ ବିଧାୟକଙ୍କୁ ଦେଲେ ଟାସ୍କ । ରାଜଧାନୀରେ ନବସି ଗାଁକୁ ଯାଅ । ଦଳୀୟ ସଂଗଠନକୁ ମଜବୁତ୍ କର । ସାଧାରଣ ଲୋକଙ୍କ ସମସ୍ୟାକୁ ଅଗ୍ରାଧିକାର ଦେଇ ସମାଧାନ କର । ସରକାରଙ୍କ ଦୋଷ ଦୁର୍ବଳତାକୁ ଲୋକଙ୍କ ପାଖରେ ପହଞ୍ଚାଅ । ସ୍ଥାନୀୟ ସମସ୍ୟାର ସମାଧାନ ହେଉନଥିଲେ ଆନ୍ଦୋଳନ କର। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳୀୟ ସଂଗଠନକୁ ସୁଦୃଢ଼ କରିବାକୁ ବିଧାୟକଙ୍କୁ ଏଭଳି ପରାମର୍ଶ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଆଜି ନବୀନ ନିବାସରେ ଦଳୀୟ ବିଧାୟକଙ୍କ ସହ ଆଲୋଚନା କରି ସେମାନଙ୍କ ଭଲ ମନ୍ଦ ବୁଝିବା ସହ ଦଳୀୟ କାର୍ଯ୍ୟକ୍ରମ ବିଷୟରେ କଥା ହୋଇଥିଲେ ନବୀନ । ପ୍ରତିଦିନ ୧୦ଜଣ ବିଧାୟକଙ୍କୁ ଭେଟି ସେମାନଙ୍କ ସହ ନିର୍ବାଚନ ମଣ୍ଡଳିଓ୍ବାରି ଆଲୋଚନା କରୁଛନ୍ତି ନବୀନ । ଦଳ ସଭାପତିଙ୍କ ପରାମର୍ଶ ଦଳକୁ ଆହୁରି ସଂଗଠିତ କରିବ ବୋଲି କହିଛନ୍ତି ବିଜେଡି ବିଧାୟକ ।

ଗତ ସାଧାରଣ ନିର୍ବାଚନରେ ଯେଉଁ ସବୁ ନିର୍ବାଚନ ମଣ୍ଡଳୀରେ ବିଜେଡି ପରାସ୍ତ ହୋଇଛି ସେସବୁ ସ୍ଥାନରେ ଦଳୀୟ ସଂଗଠନକୁ ସଜାଡ଼ିବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି ବିଜେଡି ସଭାପତି । ଜିଲ୍ଲା ସଭାପତି ଓ ବିଧାୟକ ପ୍ରାର୍ଥୀଙ୍କୁ ଗୋଟିଏ ପର୍ଯ୍ୟାୟରେ ଡାକି ସେମାନଙ୍କ ସହ ଆଲୋଚନା କରିଛନ୍ତି । କାରଣ ଯେଉଁଠି ଦଳୀୟ ବିଧାୟକ ନାହାନ୍ତି ସେଠାରେ ଦଳ ପାଇଁ ଅଧିକ ଚାଲେଂଜ୍ ରହିଛି । ତୃଣମୂଳସ୍ତରର ନେତା, କର୍ମୀ କିଭଳି ଦଳ ସହ ଯୋଡ଼ି ହୋଇ ଅଧିକ କାମ କରିବେ ସେନେଇ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି ବିଜେଡି ସୁପ୍ରିମୋ ।

ପାର୍ଟି ପରିଚାଳନାକୁ ନେଇ ବିଜେଡିର ଏକାଧିକ ବରିଷ୍ଠ ନେତା ଖୁଲମ ଖୁଲା ବୟାନବାଜି କରୁଥିବା ବେଳେ ସେସବୁର କିଭଳି ସମାଧାନ କରାଯାଇପାରିବ, ପଞ୍ଚାୟତ ନିର୍ବାଚନ ପୂର୍ବରୁ କିଭଳି ଦଳକୁ ଅଧିକ ସଂଗଠିତ କରାଯାଇପାରିବ ସେନେଇ ପ୍ରୟାସ ଆରମ୍ଭ କରି ବିଜେଡି ।