ଭଦ୍ରକ: ଲୁଟର ନୂଆ ତରିକା। ଗ୍ରାହକ ସାଜି ଆସିବ। ଆଖି ଆଗରେ ଲୁଟିନେବ। ଟଙ୍କା ଗଣିବା ଆଳରେ ଚୋରି। ମିଶନ ସଫଳ ହେବା ମାତ୍ରେ ବ୍ୟାଙ୍କରୁ ମାରିବ ଚମ୍ପଟ। ମାନିବାକୁ ପଡ଼ିବ ଚୋରର ବୁଦ୍ଧି। କେହି ବି ପାଉନଥିଲେ ଟେର୍। ହେଲେ ଚୋର ଘର ସବୁଦିନ ନଥାଏ ଅନ୍ଧାର। ଶେଷରେ ପୋଲିସ ହାତରେ ଧରାପଡ଼ିଛି ଆନ୍ତରାଜ୍ୟ ଚୋର।
ବେଶ ସ୍ମାର୍ଟ, ଶିକ୍ଷିତ ଦେଖାଯାଉଥିବା ଯୁବକଙ୍କ କାରନାମା ଜାଣିଲେ ଆପଣ ବି ତାଜୁବ ହୋଇଯିବେ। ଏହି ଯୁବକକୁ ଭଦ୍ରକରେ ଚାଞ୍ଚଲ୍ୟ। ଠକ ନମ୍ୱର୍ ୱାନ। ବ୍ୟାଙ୍କକୁ ଯାଏ ନୋଟ୍ ବଦଳାଇବା ପାଇଁ କିନ୍ତୁ ଉଦ୍ଦେଶ୍ୟ ଥାଏ ଭିନ୍ନ। ବ୍ୟାଙ୍କରୁ ବ୍ୟାଙ୍କ ବୁଲି ଟଙ୍କା ଗଣିବା ବେଳେ ନେଇ ଯାଏ ଟଙ୍କା। କେମିତି ନୋଟ୍ ବଦଳାଇବାକୁ ଯାଇ କେମିତି ହାତ ସଫେଇ କରୁଛନ୍ତି ଯୁବକ ଜଣକ। ଏହାର ଟେର୍ ବି ପାଉନାହାନ୍ତି ବ୍ୟାଙ୍କ କର୍ମଚାରୀ। ଭଦ୍ରକ ଏସପି ଅଫିସ ନିକଟରେ ଥିବା ଏକ ଘରୋଇ ବ୍ୟାଙ୍କରୁ ଟଙ୍କା ବଦଳି କରିବା ପାଇଁ ଆସିଥିଲା। ଟଙ୍କା ଗଣିବା ଆଳରେ ହାତ ଛପେଇ କରି ଲୁଟିଥିଲା ୧୦ ହଜାର ଟଙ୍କା। ପୁଣି ଭଦ୍ରକରେ ଅନ୍ୟ ଏକ ବ୍ୟାଙ୍କରେ ସମାନ ଭାବେ ହଡ଼ପ କରିଥିଲା ଟଙ୍କା।
ଗଣତିମଣତି ବେଳେ ଟଙ୍କା କମ ହେଉଥିବାରୁ ସନ୍ଦେହରେ ସିସିଟିଭି ଦେଖିଥିଲେ ବ୍ୟାଙ୍କ କର୍ତ୍ତୃପକ୍ଷ। ଆଉ ଧରାପଡ଼ିଥିଲା ଚୋରର କାରନାମା। ଚୋରର ଫଟୋ ଓ ଭିଡିଓ ଅନ୍ୟ ବ୍ୟାଙ୍କ ମାନଙ୍କୁ ପଠାଇ ଦିଆଯାଇଥିଲା। ଏପଟେ ଅନେକ ବ୍ୟାଙ୍କରେ ଚୋରି କରିବାରେ ସଫଳ ହେବା ପରେ ଲୋଭ ସମ୍ଭାଳିପାରିନଥିଲା ଚୋର । ଅନ୍ୟ ବ୍ୟାଙ୍କରୁ ଏପରି ଟଙ୍କା ବଦଳି କରି ଚୋରି କରିବା ସମୟରେ ଚୋରକୁ ବାନ୍ଧି ଦେଇଥିଲେ।
ପୋଲିସକୁ ଡାକି ଚୋରକୁ ଜିମା ଦେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ ଓ ଉପସ୍ଥିତ ଲୋକ। ଚୋର ଜଣକ ମଧ୍ଯପ୍ରଦେଶର ବୋଲି ସୂଚନା ମିଳିଛି। ମଧ୍ୟପ୍ରଦେଶରୁ ଆସି ଓଡ଼ିଶାରେ କେମିତି ମଚାଉଛନ୍ତି ଲୁଟ୍ ? ଏଭଳି ଲୁଟ୍ ପଛରେ ଜଣେ ନା ରହିଛି କେଉଁ ଗ୍ୟାଙ୍ଗର ହାତ? ଅଭିଯୁକ୍ତକୁ ପୋଲିସର ପଚରା ଉଚୁରା ପରେ ସାମନାକୁ ଆସିପାରେ ସତ।