ଅନିଲ ଅମ୍ୱାନିଙ୍କ ବଢିଲା ଅଡ଼ୁଆ, ଇଡି ଜେରା ପରେ ଏବେ ସିବିଆଇ ରେଡ୍; ମାମଲା ରୁଜୁ

Published By : Prameya-News7 Bureau | August 23, 2025 IST

ନୂଆଦିଲ୍ଲୀ: ଉଦ୍ୟୋଗପତି ଅନିଲ ଅମ୍ୱାନିଙ୍କ ପାଇଁ ଅଡ଼ୁଆ ବଢିବାରେ ଲାଗିଛି । ମୁମ୍ୱାଇରେ RCOM ଓ ଅନିଲ କମ୍ୱାନିଙ୍କ ବିଭିନ୍ନ ଠିକଣାରେ ସିବିଆଇ ଚଢଉ କରିଛି । ସିବିଆଇ ଅଧିକାରୀ ସକାଳ ୭ଟାରୁ ଅନିଲ୍ ଅମ୍ୱାନିଙ୍କ ଘରେ ତଦନ୍ତ କରୁଛନ୍ତି । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ୧୭,୦୦୦ କୋଟି ଟଙ୍କା ବ୍ୟାଙ୍କ ଜାଲିଆତି ମାମଲାରେ ଜେରା କରିଥିଲା । 

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ୱାରା ୬୬ ବର୍ଷୀୟ ବ୍ୟବସାୟୀଙ୍କ କମ୍ପାନି ବିରୋଧରେ କଥିତ ରୂପେ କୋଟି କୋଟି ଟଙ୍କାର ବ୍ୟାଙ୍କ ଋଣ ସହ ଜଡ଼ିତ ମନିଲଣ୍ଡ୍ରିଂ ମାମଲାରେ ଜେରା କରିବାର ଗୋଟିଏ ସପ୍ତାହ ପରେ ସିବିଆଇ ଚଢଉ ହୋଇଛି । ସିବିଆଇ ଅନିଲ ଅମ୍ୱାନିଙ୍କ ୬ଟି ସ୍ଥାନରେ ଚଢଉ କରିଛି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, କମ୍ପାନି ବିରୋଧରେ ସିବିଆଇ ଜାଲିଆତି ମାମଲା ରୁଜୁ କରିଛି । ଏହି ଋଣ ଜାଲିଆତି ମାମଲାରେ ଏସବିଆଇକୁ ୨ ହଜାର କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିଲା ।

ଏସ୍‌ବିଆଇ ଜୁନ୍ ୧୩ରେ ଏହି ମାମଲାକୁ ଫ୍ରଡ୍ ଶ୍ରେଣୀରେ ରଖିଥିଲା । ଏହି ପଦକ୍ଷେପ ଆର୍‌ବିଆଇର ଫ୍ରଡ୍ ରିସ୍କ ମ୍ୟାନେଜମେଣ୍ଟ ଗାଇଡ୍‌ଲାଇନ୍ ଓ ବ୍ୟାଙ୍କର ବୋର୍ଡ-ସ୍ୱୀକୃତି ନୀତି ଅଧିନରେ ନିଆଯାଇଛି । ଏହାପରେ ୨୦୨୫ ଜୁନ୍ ୨୪ରେ ବ୍ୟାଙ୍କ ଆର୍‌ବିଆଇକୁ ରିପୋର୍ଟ କରି ଅଭିଯୋଗ ଦାଖଲ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା । ଏହି ପୂରା ମାମଲା ଉପରେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଗତ ମାସରେ ଲୋକସଭାରେ ଲିଖିତ ଉତ୍ତରରେ ସୂଚନା ଦେଇଥିଲେ ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସପ୍ତାହ ପୂର୍ବେ ଅନିଲ ଅମ୍ୱାନିଙ୍କୁ ବ୍ୟାଙ୍କ ସହ ଜାଲିଆତି ମାମଲାରେ ପଚରାଉଚରା କରିଥିଲା । ନୂଆଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ଏହି ପଚରାଉଚରା କରାଯାଇଥିଲା । ୧୭ ହଜାର କୋଟି ଟଙ୍କାର ଜାଲିଆତି ମାମଲାରେ ଅଧିକାରୀମାନେ ଦୀର୍ଘ ଘଣ୍ଟା ଯାଏ ଜେରା କରିଥିଲେ । ଇଡି ତଦନ୍ତ ସମୟରେ ଅନେକ ଅନିୟମିତତା ମିଳିଥିଲା, ଯେଉଁଥିରେ ସୋର୍ସ ବିନା କମ୍ପାନିଗୁଡ଼ିକୁ ଋଣ ପ୍ରଦାନ କରାଯିବା, ସମାନ ନିର୍ଦ୍ଦେଶକ ଏବଂ ଠିକଣା ଥିବା ଋଣ ଗ୍ରହଣକାରୀ ସଂସ୍ଥା, ଆବଶ୍ୟକୀୟ କାଗଜପତ୍ର ଅଭାବ, ସେଲ୍ କମ୍ପାନିଗୁଡ଼ିକ ନାମରେ ଋଣ ମଞ୍ଜୁର ଏବଂ ପୁରୁଣା ଋଣ ପରିଶୋଧ କରିବା ପାଇଁ ନୂତନ ଋଣ ନେବା ଇତ୍ୟାଦି ସାମିଲ ଥିଲା । 

ଚଢଉ ପୂର୍ବରୁ, ସିବିଆଇ ଦୁଇଟି ଏଫ୍‌ଆଇଆର୍ ଦାଖଲ କରିଥିଲା, ଯାହା ପରେ ଇଡି ଚଢଉ କରିଥିଲା । ଏବେ ସିବିଆଇ ମଧ୍ୟ ଚଢଉ କରିଛି । ଏହି ଚଢଉ ୧୭୦୦୦ କୋଟି ଟଙ୍କାର କଥିତ ବ୍ୟାଙ୍କ ଋଣ ଠକେଇ ମାମଲାରେ ହୋଇଛି । ଆର୍ଥିକ ବର୍ଷ ୨୦୧୭- ୨୦୧୯ ମଧ୍ୟରେ ୟେସ୍ ବ୍ୟାଙ୍କ ଦ୍ୱାରା ଅନିଲ ଅମ୍ବାନିଙ୍କ କମ୍ପାନୀଗୁଡ଼ିକୁ ଋଣ ଭାବରେ ବେଆଇନ ଟଙ୍କା ସ୍ଥାନାନ୍ତର କରାଯାଇଥିଲା । ଇଡି ସୂତ୍ର ଅନୁଯାୟୀ, ଅନିଲ ଅମ୍ବାନିଙ୍କ କମ୍ପାନିଗୁଡ଼ିକୁ ଋଣ ଦିଆଯିବାର ଠିକ୍ ପୂର୍ବରୁ, ୟେସ୍ ବ୍ୟାଙ୍କର ପ୍ରମୋଟରମାନେ ସେମାନଙ୍କ ବ୍ୟବସାୟରେ ବିପୁଳ ଟଙ୍କା ପାଇଥିଲେ । ଏହି କାରଣରୁ ଲାଞ୍ଚ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କର ତଦନ୍ତ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.