ନୂଆଦିଲ୍ଲୀ: ବାଂଲାଦେଶର ଏକ ଅଦାଲତ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା, ତାଙ୍କ ଭଉଭନୀ ଶେଖ ରେହନା, ବ୍ରିଟିଶ ସାଂସଦ ଟ୍ୟୁଲିପ ରିଜଓ୍ଵାନ ସିଦ୍ଦିକି ଓ ୫୦ ଅନ୍ୟ ବିରୋଧରେ ଆରେଷ୍ଟ ଓ୍ଵାରେଣ୍ଟ ଜାରି କରିଛି। ରାଜନୈତିକ କ୍ଷମତାର ଦୁରୁପଯୋଗ କରି ବେଆଇନ ଭୂମି ଅଧିଗ୍ରହଣ କରିବା ଅଭିଯୋଗରେ ଗିରଫ ପରଓ୍ଵାନା ଜାରି କରାଯାଇଛି। ଢାକା ଟ୍ରିବ୍ୟୁନର ଖବର ଅନୁଯାୟୀ, ଢାକା ମେଟ୍ରୋପୋଲିଟନର ବରିଷ୍ଠ ସ୍ଵତନ୍ତ୍ର ନ୍ୟାୟାଧୀଶ ଜାକିର ହୁସେନ ଦୁର୍ନୀତି ନିରୋଧୀ ଆୟୋଗ(ଏସିସି) ଦ୍ଵାରା ଦାୟର ତିନି ଅଲଗା ଅଲଗା ଅଭିଯୋଗ ପତ୍ର ଉପରେ ଶୁଣାଣି କରି ଏହି ନିଷ୍ପତ୍ତି ଶୁଣାଇଛନ୍ତି।
ବିଚାରପତି ହୁସେନ ଗିରଫଦାରୀ ସଂପର୍କିତ ରିପୋର୍ଟର ସମୀକ୍ଷା ପାଇଁ ଏପ୍ରିଲ ୨୭ ତାରିଖ ଧାର୍ଯ୍ୟ କରିଛନ୍ତି। ଦୁର୍ନୀତିର ତିନି ଅଲଗା ଅଲଗା ମାମଲାରେ ହସିନା ସମେତ ୫୩ ଜଣଙ୍କ ବିରୋଧରେ କୋର୍ଟରେ ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ଏହି ସବୁ ଅଭିଯୁକ୍ତ ଫେରାର ଅଛନ୍ତି। କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଶେଖ ହସିନାଙ୍କ ବିରୋଧୀମାନଙ୍କୁ ଆଉ ଏକ ସୁଯୋଗ ମିଳି ଯାଇଛି।
Also read: ଦିଲ୍ଲୀରେ ୫୫ ଲକ୍ଷ ଗାଡ଼ି ସ୍କ୍ରାପ୍; ପାର୍କିଂ ଓ ଇନ୍ଧନ ଉପରେ ଲାଗିବ ପ୍ରତିବନ୍ଧକ, ନୂଆ ନିର୍ଦ୍ଦେଶନାମା ଜାରି
ଅଦାଲତ ରାଜୁକ ପ୍ଲଟ ଆବଣ୍ଟନ ମାମଲାରେ ଶେଖ ହସିନାଙ୍କ ଝିଅ ସାଇମା ଜାଭେଦ ପୁତୁଲ ଓ ୧୬ ଅନ୍ୟଙ୍କ ବିରୋଧରେ ଓ୍ଵାରେଣ୍ଟ ଜାରି କରିଛନ୍ତି। ଉଲ୍ଲେଖନୀୟ ଜାନୁଆରୀ ୧୩ରେ ଏସିସିର ଉପନିର୍ଦ୍ଦେଶକ ଶେଖ ରେହାନାଙ୍କ ବିରୋଧରେ ଅଧିକାରର ଦୁରୁପଯୋଗ କରି ପୂର୍ବାଞ୍ଚଳ ନ୍ୟୁ ଟାଉନ ପ୍ରୋଜେକ୍ଟରେ ୧୦ ପ୍ଲଟ ହାସଲ କରିବା ଅଭିଯୋଗରେ କେସ୍ ରୁଜୁ କରାଯାଇଥିଲା। ପରବର୍ତ୍ତୀ ସମୟରେ ସେଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନାଁ ଯୋଡ଼ି ଦିଆଗଲା।
ସୂଚନାଯୋଗ୍ୟ, ଗତ ବର୍ଷ ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଓ ହିଂସକ ପ୍ରଦର୍ଶନ ପରେ ଶେଖ ହସିନା ସରକାରଙ୍କ ପତନ ଘଟିଥିଲା। ସେ ପଳାୟନ କରି ଭାରତକୁ ଚାଲି ଆସିଲେ ଏବଂ ବର୍ତ୍ତମାନ ଏଠାରେ ଶରଣରେ ଅଛନ୍ତି।ବାଂଲାଦେଶ ସେନା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ଅନ୍ତରୀଣ ସରକାର ଶେଖ ହସିନାଙ୍କୁ ବାଂଲାଦେଶକୁ ହସ୍ତାନ୍ତର କରିବାକୁ ଭାରତ ନିକଟରେ ଦାବି କରି ଆସୁଛି।