ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଗିରଫ

Published By : Prameya-News7 Bureau | July 14, 2025 IST

ବାଲେଶ୍ବର: ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣାର ବଡ଼ କାର୍ଯ୍ୟାନୁଷ୍ଠାନ। କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ। ଗିରଫ ପରେ ତାଙ୍କୁ ଜେଲ ପଠାଇଦିଆଯାଇଛି। ପୂର୍ବରୁ ଏହି ଘଟଣାରେ ଏଚ୍‌ଓଡି ସମୀର ସାହୁଙ୍କୁ ଗିରଫ କରାଯାଇଥିବାବେଳେ, ପ୍ରିନ୍ସିପାଲଙ୍କୁ ମଧ୍ୟ ଗିରଫ କରିବାକୁ ଦାବି କରୁଥିଲେ ପୀଡ଼ିତାଙ୍କ ପରିବାର। 

ସୂଚନାଥାଉକି, ଗତ ଶନିବାର ବାଲେଶ୍ବର ଏଫଏମ୍‌ କଲେଜ ପରିସରରେ ପ୍ରିନ୍ସିପାଲଙ୍କ ଚାମ୍ବର ସାମ୍‌ନାରେ ଜଣେ ଛାତ୍ରୀ ଆତ୍ମାହୁତି ଉଦ୍ୟମ କରିଥିଲେ। ଛାତ୍ରୀ ଜଣକ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ। ଯେଉଁଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ପୋଡ଼ିଯାଇଛି। ଏମିତିରେ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ବର ଏମ୍ସ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏବେବି ତାଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ରହିଛି।

ତେବେ ଛାତ୍ରୀ ଜଣକ ଏଭଳି ଚରମ ପଦକ୍ଷେପ କଲେଜର ଇଣ୍ଟିଗ୍ରେଟେଡ ବି.ଏଡ୍‌ ବିଭାଗର ଏଚଓଡି ସମୀର ସାହୁଙ୍କୁ ଅତ୍ୟାଚାର କାରଣରୁ ନେଇଛନ୍ତି। ପୂର୍ବରୁ ଛାତ୍ରୀ ଅଭିଯୋଗ କରିଥିଲେ ଯେ, ସୀମର ସାହୁ ତାଙ୍କୁ ଜାଣିଶୁଣି ହଇରାଣ କରିବା ସହ ଖରାପ ଇଙ୍ଗିତ କରୁଛନ୍ତି। ଏନେଇ ସେ କଲେଜ କର୍ତ୍ତୃପକ୍ଷଙ୍କ ଜଣାଇଥିଲେ ବି ଘଟଣାର କୌଣସି ସମାଧାନ ହୋଇନଥିଲା। ଶନିବାର ମଧ୍ୟ ତାଙ୍କୁ ପ୍ରିନ୍ସିପାଲଙ୍କ କକ୍ଷକୁ ଡାକି ଅଭିଯୋଗ ପ୍ରତ୍ୟାହାର କରିବାକୁ କୁହାଯାଇଥିଲା। ଯାହା ପରେ ସେ ଏଭଳି ପଦକ୍ଷେପ ନେଇଥିଲେ। 

ସେପଟେ ଏହି ଘଟଣା ପରେ ରାଜନୀତି ଜୋର ଧରିଛି। ଛାତ୍ରୀ ଜଣକ କଲେଜ କର୍ତ୍ତୃପକ୍ଷଙ୍କୁ ଜଣାଇବା ସହ, ଗଣମାଧ୍ୟମରେ ମଧ୍ୟ ନ୍ୟାୟ ମାଗିଥିଲେବି କାହିଁକି ତାଙ୍କ କଥାକୁ ଅଣଦେଖା କରାଗଲା ତାହାକୁ ନେଇ ବିରୋଧୀ ଶାସକ ଦଳକୁ ଘେରିଛନ୍ତି। ସେହିଭଳି ବିଜେପି କହିଛି ଘଟଣା ସମ୍ବେଦନଶୀଳ, ଏଥିରେ ରାଜନୀତି ନକରାଯାଉ। ତଦନ୍ତ ପରେ ଦୋଷୀଙ୍କ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.