ନୀଳଗିରି: ଫକୀରମୋହନ କଲେଜ ଛାତ୍ରୀ ଆତ୍ମାହୁତି ଘଟଣାରେ କ୍ରାଇମବ୍ରାଞ୍ଚର ତଦନ୍ତ ଜାରି ରହିଛି। ଗତ ରବିବାର କ୍ରାଇମବ୍ରାଞ୍ଚ ତଦନ୍ତକ୍ରମେ ଏବିଭିପିର ଦୁଇ ଜଣ ଛାତ୍ର ନେତାଙ୍କୁ ଗିରଫ କରିଥିବାବେଳେ ଘଟଣାରେ ସମୁଦାୟ ଗିରଫଦାରୀ ୪ରେ ପହଞ୍ଚିଛି। ଆହୁରି ମଧ୍ୟ ଘଟଣାରେ ଆଉ କେଉଁମାନେ ସଂଶ୍ଲିଷ୍ଟ ସେନେଇ ମଧ୍ୟ ଖୋଳତାଡ଼ କରୁଛି କ୍ରାଇମବ୍ରାଞ୍ଚ । ଖାଲି ସେତିକି ନୁହେଁ କ୍ରାଇମବ୍ରାଞ୍ଚ ହାତରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଥିବା ମଧ୍ୟ ଜଣାପଡ଼ିଛି।
ହେଲେ ଏସବୁ ଭିତରେ ଗଣମାଧ୍ୟମରେ ପ୍ରକାଶିତ ଏକ ଖବର ବେଶ୍ ଚର୍ଚ୍ଚା ପାଲଟିଛି। ଘଟଣାର ତଦନ୍ତ ଅଧିକାରୀ ବା ଆଇଓ ଥିବା ଇମୋନ କଲ୍ୟାଣ ନାୟକ ବଦଳିବା ନେଇ ସମ୍ଭାବନା ଉପୁଜିଛି । ଏନେଇ ଖୁବ୍ଶୀଘ୍ର ସୂଚନା ମିଳିବା ନେଇ ଆଶା କରାଯାଉଛି। ଅବଶ୍ୟ କ୍ରାଇମବ୍ରାଞ୍ଚ ପକ୍ଷରୁ ସେମିତି କିଛି ସୂଚନା ଦିଆଯାଇନଥିଲେ ବି ହଠାତ କାହିଁକି ତାଙ୍କର ବଦଳି ହେବ ତାହା ମଧ୍ୟ ସ୍ପଷ୍ଟ କରାଯାଇନି।
ସେପଟେ ବୁଧବାର ମଧ୍ୟ କ୍ରାଇମବ୍ରାଞ୍ଚର ଜଣେ ଏସପି ଆସି ତଦନ୍ତ ପ୍ରକ୍ରିୟାରେ ନଜର ରଖିବା ସହ କାଗଜପତ୍ର ଯାଞ୍ଚ କରିଛନ୍ତି। ଏମିତିରେ ତଦନ୍ତରେ ବାଟବଣା ଆଶଙ୍କା ନେଇ ମୁହଁ ଖୋଲିଛନ୍ତି ବାଲେଶ୍ଵର ସିଭିଲ ସୋସାଇଟିର ସଭାପତି ତଥା ବରିଷ୍ଠ ଓକିଲ। ଅନେକ ବଡ଼ ମାଛ ରହି ଯାଉଥିବାବେଳେ ଛୋଟ ମାଛ ଧରି ତଦନ୍ତ ସାରିବାକୁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ। ତେଣୁ ସେ ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।