ଭୁବନେଶ୍ବର ୨୭।୭: ଦିଲ୍ଲୀ ଏମ୍ସ ଗଲା ବଳଙ୍ଗା ପୋଲିସ । ପୁରୀ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ଦିଲ୍ଲୀ ଗଲା ପୋଲିସ ଟିମ୍ ।ଡିଏସ୍ପି ହେଡ୍କ୍ବାର୍ଟର କଳ୍ପନା କହଁର, ବଳଙ୍ଗା OIC ଚିତ୍ତରଞ୍ଜନ ପଣ୍ଡା ଦିଲ୍ଲୀ ଯାଇଥିବା ସୂଚନା ମିଳିଛି । ସେଠାରେ ପୀଡ଼ିତାଙ୍କ ବାପା ଓ ଅନ୍ୟ ସଦସ୍ୟଙ୍କ ବୟାନ ରେକର୍ଡ ପାଇଁ ଟିମ୍ ଦିଲ୍ଲା ଯାଇଥିବା ଜଣାପଡିଛି । ପୀଡ଼ିତାଙ୍କ ଠାରୁ ମଧ୍ୟ କିଛି ତଥ୍ୟ ସଂଗ୍ରହ କରିପାରନ୍ତି ବଳଙ୍ଗା ପୋଲିସର ୨ ଜଣିଆ ଟିମ୍ ।
ଉଲ୍ଲେଖଯୋଗ୍ୟ ଯେ, ବଳଙ୍ଗା ପୀଡ଼ିତାଙ୍କ ବୟାନରେ ତାଳମେଳ ରହୁନଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ଭୁବନେଶ୍ବର ଏମ୍ସ ଓ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନରେ ରହୁଛି ଫରକ । ପୀଡ଼ିତାଙ୍କ ବୟାନକୁ ନେଇ ଅଡ଼ୁଆରେ ପୋଲିସ । ପୁଣି ଥରେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ରେକର୍ଡ଼ ହେବ ବଳଙ୍ଗା ପୀଡ଼ିତାଙ୍କ ବୟାନ । ଶୁକ୍ରବାର ଦିଲ୍ଲୀ ଏମ୍ସରେ ବଳଙ୍ଗା ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିଥିଲା ପୋଲିସ । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ହିଁ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରାଯାଇଥିଲା । ତେବେ ପୂର୍ବରୁ ପୀଡ଼ିତା ଜଣକ ଭୁବନେଶ୍ବର ଏମ୍ସରେ ଦେଇଥିବା ବୟାନ ଓ ଦିଲ୍ଲୀ ଏମ୍ସରେ ଦେଇଥିବା ବୟାନ ଭିତରେ ଅନେକ କିଛି ଫରକ ଆସୁଥିବା କୁହାଯାଉଛି । ଏମିତିରେ ପୁଣି ଥରେ ପୀଡ଼ିତାଙ୍କ ବୟାନ ରେକର୍ଡ଼ କରିବାକୁ ହୋଇଛି ଯୋଜନା । ବଳଙ୍ଗା ନାବାଳିକା ପୋଡ଼ି ଘଟଣାକୁ ୯ ଦିନ ହେଲାଣି । ତଥାପି ପୋଲିସ ଘଟଣା ପଛର ରହସ୍ୟକୁ ଉନ୍ମୋଚନ କରିପାରିନି । ଶନିବାର ପୁଣି ବଳଙ୍ଗା ଥାନାରେ ପହଞ୍ଚିଥିଲେ ପୁରୀ ଏସ୍ପି ପିନାକ ମିଶ୍ର । ଦୀର୍ଘ ଅଢ଼େଇ ଘଣ୍ଟା କାଳ ଛାନଭିନ ପରେ ପୁରୀ ଏସ୍ପି କହିଥିଲେ ଯେ, ବଳଙ୍ଗା ଘଟଣାର ତଦନ୍ତ ଜାରି ରଖିଛି ସ୍ପେଶାଲ ଟିମ୍ । ତଦନ୍ତ ପାଇଁ ସମୟ ଲାଗୁଛି । ଘଟଣାରେ ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଛି । ତଦନ୍ତରେ କୌଣସି ଖିଅ ଛଡ଼ା ଯିବନାହିଁ । ଠିକ୍ ଢ଼ଙ୍ଗରେ ତଦନ୍ତ ଚାଲିଛି । ପୋଲିସ ହାତରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ଲାଗିଛି ବୋଲି ପୁରୀ ଏସ୍ପି କହିଥିଲେ ।
You Can Read:
ବଳଙ୍ଗା ନାବାଳିକା ପୋଡ଼ି ଘଟଣା : ଉପ ମୁଖ୍ୟମନ୍ତ୍ରୀ କହିଲେ- ପୋଲିସ ତା କାମ କରିବ ଆଉ ଆଇନ ତା ବାଟରେ ଯିବ