ଇସଲାମାବାଦ, ୨୦|୧୧: ପିସିବିରେ ଫାଟ । ଅଡୁଆରେ ପାକିସ୍ତାନର କ୍ରିକେଟ । ପୂର୍ବତନ ପାକ୍ କ୍ରିକେଟର ଅଜହର ଅଲ୍ଲୀ ନ୍ୟାସନାଲ ସିଲେକ୍ସନ କମିଟିରୁ ଇସ୍ତଫା ଦେବା ପରେ ପିସିବିରେ ଝଡ ଆସିଛି । ଯାହାକୁ ନେଇ ଅନିଶ୍ଚିତତାରେ ପଡିଛି ପାକିସ୍ତାନ କ୍ରିକେଟର ଭବିଷ୍ୟତ ।

ମିଡିଆ ରିପୋର୍ଟ ଅନୁସାରେ, ଗୁରୁବାର ପାକିସ୍ତାନର ପୂର୍ବତନ କ୍ରିକେଟର ଅଜହର ଅଲ୍ଲୀ ନ୍ୟାସନାଲ ସିଲେକ୍ସନ କମିଟି ଏବଂ ୟୁଥ ଡେଭଲପମେଣ୍ଟ ଡିପାର୍ଟମେଣ୍ଟର ମୁଖ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ପିସିବି ସରଫରାଜ ଅହମ୍ମଦଙ୍କୁ ପାକିସ୍ତାନ ସାହିନ୍ ଏବଂ ଅଣ୍ଡର-୧୯ ଟିମର ସମସ୍ତ ଦାୟିତ୍ୱ ଦେବା ପରେ ଅଜହର ଅସନ୍ତୋଷ ପ୍ରକାଶ କରିଥିଲେ । ତେଣୁ ସେ ଆଉ ପିସିବିରେ ରହିବାକୁ ପସନ୍ଦ କରିନଥିଲେ । ତେବେ ସେ ଇସ୍ତଫା ଦେବା ପରେ ତୁରନ୍ତ ଇସ୍ତଫା ପତ୍ରକୁ ଗ୍ରହଣ କରାଯାଇଥିଲା ।

୪୦ବର୍ଷୀୟ ଅଜହର ପାକିସ୍ତାନ ପାଇଁ ୯୭ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ତାଙ୍କୁ ଗତବର୍ଷ ମୁଖ୍ୟ ଚୟନକର୍ତ୍ତା ଏବଂ ୟୁଥ ଡେଭଲପମେଣ୍ଟ ବିଭାଗର ମୁଖ୍ୟ ଭାବେ ନିଯୁକ୍ତ କରାଯାଇଥିଲା । କିନ୍ତୁ ବୋର୍ଡର ଖାମଖିଆଲି ମନୋବୃତ୍ତି ଏବଂ ଧିର ପ୍ରକ୍ରିୟା ତାଙ୍କୁ ବ୍ୟଥିତ କରିଥିଲା । ସେ ଅଣନିଶ୍ୱାସୀ ହୋଇ ପଡିଥିଲେ ।

ସୂତ୍ରାନୁସାରେ, ଦେଶରେ ବିଭିନ୍ନ ଆକାଡେମୀରେ ଯୁବ ଖେଳାଳିଙ୍କ ପ୍ରତିଭାକୁ ବିକଶିତ କରିବାରେ ଅଜହର ଚେଷ୍ଟା କରିଥିଲେ । କିନ୍ତୁ ପିସିବି ପକ୍ଷରୁ ତାଙ୍କୁ ସମର୍ଥନ ମିଳିନଥିଲା । ଯାହା ତାଙ୍କୁ ଅସନ୍ତୁଷ୍ଟ କରିଥିଲା। ତାଙ୍କୁ ନ ପଚାରି ବୋର୍ଡ ସାହିନ୍ ଏବଂ ଅଣ୍ଡର-୧୯ର ଦାୟିତ୍ୱ ସରଫରାଜଙ୍କୁ ଦେଇଥିଲା । ଯାହା ତାଙ୍କ କ୍ଷମତାକୁ ସଙ୍କୁଚିତ କରିଥିଲା ।

ପୂର୍ବରୁ କିଛି ସମୟ ଧରି ପିସିବିର ପରାମର୍ଶଦାତା ଦାୟିତ୍ୱରେ ସରଫରାଜ ରହିଥିଲେ । ଏବେ ତାଙ୍କୁ ବଡ ଭୂମିକା ଦେଇ ପିସିବି ନିଜ ଗୋଡରେ କୁରାଢି ମାରିଛି । ବୋର୍ଡର ଆହୁରି ଅନେକ ସଦସ୍ୟ ଏଥିରେ ଖୁସି ନଥିବା ଜଣାପଡିଛି । ଯାହା ପାକିସ୍ତାନ କ୍ରିକେଟର ଭବିଷ୍ୟତକୁ ଅନ୍ଧାରର ଠେଲିଦେଇଛି ।