କ’ଣ ସବୁବେଳେ ଏପରି ରୁହେ ଖାମେନିଙ୍କ ହାତ ? ଏହା ପଛରେ କଣ ରହିଛି କାରଣ...

Published By : Prameya-News7 Bureau | June 26, 2025 IST

ନୂଆଦିଲ୍ଲୀ ୨୬।୦୬: ଆୟାତୋଲ୍ଲା ଅଲି ଖାମେନି । ବର୍ତ୍ତମାନ ସାରା ବିଶ୍ବରେ ଚର୍ଚ୍ଚାରେ । କାରଣ ଇରାନ-ଇସ୍ରାଏଲ ଯୁଦ୍ଧ ଏବଂ ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଅଶାନ୍ତି ମଧ୍ୟରେ ତାଙ୍କର ଗୋଟିଏ ନିଷ୍ପତ୍ତି ବଦଳାଇପାରେ ବିଶ୍ୱର ଭାଗ୍ୟ । ଏପଟେ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ଥମିବାର ନାଁ ନେଉନି, ସେପଟେ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ନେଇ ଚିନ୍ତାରେ ବିଶ୍ବ । 

କିନ୍ତୁ ଏହି ଗମ୍ଭୀର ମାହୋଲରେ ସୋସିଆଲ ମିଡିଆରେ ଏକ ବଡ ଚର୍ଚ୍ଚା ହେଉଛି । ତା ହେଉଛି ଖାମେନିଙ୍କ ହାତ । ସମସ୍ତେ ପ୍ରାୟ ଖାମେନିଙ୍କ ଫଟୋ କିମ୍ବା ଭାଷଣ ଦେବା ବେଳେ ଦେଖିଥିବେ । ଏହି ସମୟରେ ତାଙ୍କର କେବଳ ଗୋଟିଏ ହାତ କାମ ରହିଥାଏ ? କିନ୍ତୁ ଏହା ପଛର କ'ଣ ରହିଛି କାରଣ । ଆସନ୍ତୁ ଜାଣିବା...

ରିପୋର୍ଟ ଅନୁସାରେ ୨୭ ଜୁନ୍ ୧୯୮୧ରେ ଆୟାତୋଲ୍ଲା ଅଲି ଖାମେନି ଇରାନର ରାଜଧାନୀ ତେହେରାନର ଆବୁଜର ମସଜିଦରେ ନମାଜ ପରେ ଏକ ସମାବେଶକୁ ସମ୍ବୋଧିତ କରୁଥିଲେ । ସେତେବେଳେ ଜଣେ ଯୁବକ ତାଙ୍କ ପାଖରେ ଏକ ଟେପ୍ ରେକର୍ଡର ରଖିଥିଲେ । ଯେଉଁଥିରେ ଏକ ବମ୍‌ ଲୁଚାଯାଇଥିଲା । ରେକର୍ଡର ବଟନ୍ ଦବାଇବା ମାତ୍ରେ ହୋଇଥିଲା ଏକ ଭୟଙ୍କର ବିସ୍ଫୋରଣ । ଏହି ସମୟରେ ଖାମେନି ତଳେ ପଡ଼ିଯାଇଥିଲେ । ଆଉ ମସଜିଦରେ ସୃଷ୍ଟି ହୋଇଯାଇଥିଲା କୋଳାହଳ । 

ଏହି ବୋମା ବିସ୍ଫୋରଣରେ ଖାମେନି ହୋଇଥିଲେ ଗୁରୁତର ଆହତ । ତାଙ୍କର ଡାହାଣ ହାତ ପାରାଲିସିସ୍‌ ହୋଇଯାଇଥିଲା । ଏମିତିକି କାନର ସ୍ନାୟୁ ଏବଂ ଫୁସଫୁସ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଶରୀରର ଡାହାଣ ପଟେ ବୋମାର ଖଣ୍ଡଗୁଡ଼ିକ ପଶିଯାଇଥିଲା ଏବଂ ଛାତିର ଏକ ଅଂଶ ପୋଡ଼ିଯାଇଥିଲା । ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର ଅବସ୍ଥା ଏତେ ସଙ୍କଟାପନ୍ନ ହୋଇଯାଇଥିଲା ଯେ ଜଣେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଅନ୍ୟ ଡାକ୍ତରମାନେ ହାର ମାନି ନଥିଲେ ଏବଂ ଅପରେସନ୍ କରିଥିଲେ।

ଅପରେସନ ପରେ ଖାମେନି କଥା କହିପାରିଲେନି । କିନ୍ତୁ ସେ ତାଙ୍କ ବାମ ହାତରେ ପ୍ରଥମ ପ୍ରଶ୍ନ ଲେଖିଥିଲେ - କ'ଣ ମସଜିଦରେ ମୋର ସାଥୀମାନେ ମଧ୍ୟ ଆହାତ ହୋଇଥିଲେ  ? ଯେତେବେଳେ ତାଙ୍କୁ କୁହାଗଲା ଯେ ସମସ୍ତେ ସୁରକ୍ଷିତ ଅଛନ୍ତି, ସେ ଦ୍ୱିତୀୟ ପ୍ରଶ୍ନ ପଚାରିଲେ, ମୋର କଣ ହୋଇଛି ? ଡାକ୍ତରମାନେ କହିଲେ ଯେ ତୁମର ଡାହାଣ ହାତ ହୁଏତ ଆଉ କେବେ ବି କାମ କରିବନି । 

ଏହାର ଉତ୍ତରରେ ଖାମେନି କହିଥିଲେ ଯେ ଯଦି ମୋର ମସ୍ତିଷ୍କ ଏବଂ ଜିଭ କାମ କରୁଛି ତେବେ ହାତର ଆବଶ୍ୟକତା ନାହିଁ। ସେବେଠାରୁ ତାଙ୍କ ଡାହାଣ ହାତ ପୁରାପୁରି ନିଷ୍କ୍ରିୟ ହୋଇଯାଇଛି । ଖାମେନି ଲେଖିବା ଠାରୁ ଆରମ୍ଭ କରି ଇଙ୍ଗିତ କରିବା ପର୍ଯ୍ୟନ୍ତ ସବୁକିଛି ବାମ ହାତରେ କରନ୍ତି।

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.