ନୂଆଦିଲ୍ଲୀ ୨୮/୧: କରୋନା,HMPV ପରେ ଭାରତରେ କାୟା ମେଲାଣିଲାଣି ଆଉ ଏକ ଭାଇରସ । ଏହାର ନାଁ Guillain Barre Syndrome(GBS) । ଏଥିରେ ପୁନେ ସୋଲାପୁରର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ପାର୍ କରିଛି । ତେବେ ସଂକ୍ରମଣରୁ ରକ୍ଷା ପାଇବାକୁ ହେଲେ କେଉଁ କେଉଁ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ ସେ ନେଇ ଏକ ତାଲିକା ଆସିଛି ।
ଏହି ରୋଗ ସଂକ୍ରାମକ ହୋଇନଥିବାରୁ ବ୍ୟାପିବାର ସମ୍ଭାବନା କମ୍ । ତଥାପି ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦ ଯେପରି କ୍ଷୀର,ପନୀର, ଛେନା,ଭାତ ଖାଇବାକୁ ବାରଣ କରିଛନ୍ତି ଡାକ୍ତର । ସେହିପରି ଅଧିକ ଶ୍ବେତସାର ଯୁକ୍ତ ଖାଦ୍ୟ ଭାତ ଖାଇବାକୁ ମଧ୍ୟ ମନା କରାଯାଇଛି । ଦିଲ୍ଲୀ ଏମ୍ସରେ କାମ କରୁଥିବା ଡାକ୍ତର ପ୍ରିୟଙ୍କା ଶେରାୱତ ଏକ ଭିଡିଓ ମାଧ୍ୟମରେ ଏଭଳି ପରାମର୍ଶ ଦେଇଛନ୍ତି । ସେହିପରି ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇବା ଉପରେ ସମସ୍ତ ଫୋକସ୍ କରିବା ଉଚିତ ବୋଲି କହିଛନ୍ତି ପ୍ରିୟଙ୍କା ।
କାମ୍ଫିଲବାକ୍ଟର ଜେଜୁନି ନାମକ ଭାଇରସ ଦ୍ବାରା ଏହି ସଂକ୍ରମଣ ଆରମ୍ଭ ହୋଇଥାଏ । ସାଧାରଣତଃ ଏହି ଭାଇରସ ଦ୍ବାରା ପେଟ ଖରାପ ହୋଇଥାଏ । ପ୍ରଥମ ଥର ଜିବିଏସ୍ ଭାଇରସ ସଂକ୍ରମଣରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି କମାଇବା ସହ ସ୍ନାୟୁକୁ ଅଚଳ କରିବାକୁ ଚେଷ୍ଟା କରିଥାଏ ।
ମୁଖ୍ୟତଃ ଅଶୋଧିତ ଖାଦ୍ୟ ଓ ଜଳପାନ ଦ୍ବାରା କାମ୍ଫିଲୋବାକ୍ଟର ଜେଜୁନି ଭାଇରସ ଶରୀରକୁ ଆସିଥାଏ । ଭଲରେ ଫୁଟା ଯାଇନଥିବା କ୍ଷୀର ଓ କଞ୍ଚା କ୍ଷୀର ସେବନ ଦ୍ବାରା ଭାଇରସର ସଂକ୍ରମଣ ଦେଖିବାକୁ ମିଳେ । ଏଥି ସହ ବାସନ ଭଲରେ ସଫା ନକରିବା,ଗୋଟିଏ କଟିଂ ବୋର୍ଡ ଦୀର୍ଘ ଦିନ ଧରି ବ୍ୟବହାର କରିବା ଦ୍ବାରା ଏହି ଭାଇରସ ବ୍ୟାପିଥାଏ ।
ଜିବିଏସ୍ର ଆକ୍ରାନ୍ତ ବ୍ୟକ୍ତିଙ୍କ ଡାଇରିଆ, ପେଟ ଖରାପ ଓ ଦୁର୍ବଳ ଲାଗିବା ଭଳି ଲକ୍ଷଣ ଦେଖାଯାଇଥାଏ । ଦୃଷ୍ଟି ଶକ୍ତି କମିଯିବା ସହ ଖାଦ୍ୟ ଖାଇବାରେ ସମସ୍ୟା ହୋଇଥାଏ । ସିଡି ଚଢିବା ଓ ଚାଲିବାରେ କଷ୍ଟ ଅନୁଭବ ହୋଇଥାଏ । ରୋଗ ହେବାର ପ୍ରାୟ ୬ ସପ୍ତାହ ପୂର୍ବରୁ ଏହାର ଲକ୍ଷଣ ଦେଖାଯାଇଥାଏ । ଜିବିଏସ ଏକ ବିରଳ ରୋଗ ହୋଇଥିବାବେଳେ ଏହାର ସଠିକ କାରଣ ଏଯାଏ ଜଣାପଡିନି । ଏବେ ସୁଦ୍ଧା କୌଣସି ମେଡିସିନ ମଧ୍ୟ ବାହାରିନି । ଯାହା ସମସ୍ତଙ୍କ ଚିନ୍ତା ବଢାଇଛି ।