ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ, ଘଟଣାସ୍ଥଳରେ ଚାପା ଉତ୍ତେଜନା

Published By : Prameya-News7 Bureau | April 13, 2025 IST

ଯାଜପୁର ୧୩।୪: ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଆରୁହା ଠାରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ । ମା’ ହିଙ୍ଗୁଳା ଯଜ୍ଞରେ ଯୋଗଦେବା ପାଇଁ ଯିବାବେଳେ ଏହି ଘଟଣା ଦେଖିବାକୁ ମିଳିଛି । ତେବେ ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ଜେନାପୁର ଥାନା ପୋଲିସ ପହଞ୍ଚିବା ପରେ ସ୍ଥିତି ସ୍ଵାଭାବିକ ହୋଇଛି ।

ସୂଚନାଯୋଗ୍ୟ ଯେ, ରବିବାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକର ଆରୁହା ଗ୍ରାମରେ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମା'ଙ୍କ ଦର୍ଶନ କରିବାକୁ ନିଜର ସମର୍ଥକ ମାନଙ୍କ ସହ ଯାଉଥିଲେ । କିନ୍ତୁ ଯଜ୍ଞକୁ ଯିବା ପୂର୍ବରୁ କିଛି ଲୋକ ଠେଙ୍ଗା ବାଡି ଧରି ପ୍ରଣବଙ୍କୁ ଅଟକାଇବା ସହ ତାଙ୍କ ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖିବାକୁ ମିଳିଥିଲା । ପ୍ରଣବଙ୍କ ସମର୍ଥକ ମାନେ ମଧ୍ୟ ଏଭଳି ଘଟଣାକୁ ନେଇ ପ୍ରତିବାଦ କରିଥିଲେ । 

ତେବେ ପ୍ରଣବଙ୍କୁ ଅଟକାଇବାକୁ ଆସିଥିବା କିଛି ବ୍ୟକ୍ତି ଠେଙ୍ଗାରେ ପ୍ରଣବଙ୍କ ଗାଡିକୁ ପିଟିବା ଫଳରେ ତାଙ୍କ ଗାଡିର ବନେଟ୍ ଚେପା ହୋଇଯାଇଛି । ପୂର୍ବତନ ବିଧାୟକଙ୍କ ସମର୍ଥକ ମାନେ ମଧ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଜେନାପୁର ପୋଲିସ ପହଞ୍ଚିବା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ଏହାପରେ ନିଜ ସମର୍ଥକଙ୍କ ସହ ଯାଇ ପୂର୍ବତନ ବିଧାୟକ ମା'ଙ୍କ ଦର୍ଶନ କରି ଫେରିଥିଲେ । 

ଅନ୍ୟପଟେ ଏ ଘଟଣା ସମ୍ପର୍କରେ ପୂର୍ବତନ ବିଧାୟକ କହିଛନ୍ତି, ଶାନ୍ତ ଧର୍ମଶାଳା ଅଶାନ୍ତ ହୋଇ ପଡ଼ିଛି । ଧର୍ମଶାଳାରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଆରୁହା ପାହାଡରେ ହୋଇଥିବା ବେଆଇନ ଖଣି ଖନନରେ ସଂପୃକ୍ତ ଥିବା କିଛି ବ୍ୟକ୍ତି ଏହି ଘଟଣା ଘଟାଇଛନ୍ତି । ବେଆଇନ ଖଣି ଖନନକୁ ବନ୍ଦ କରାଯିବାରୁ ଆକ୍ରୋଶ ରଖି ଏହି ଘଟଣା ଘଟାଇଛନ୍ତି । ଧର୍ମଶାଳାରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ପୋଲିସକୁ ଦାୟୀ କରିଛନ୍ତି ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ।

ସେପଟେ ଏହି ଘଟଣାକୁ ନିନ୍ଦା କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ନବୀନ ଲେଖିଛନ୍ତି, ଧର୍ମଶାଳାର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଯୁବ ନେତା ପ୍ରଣବ ବଳବନ୍ତରାୟଙ୍କ ଉପରେ ଖୋଲା ଦିବାଲୋକରେ ସଂଘବଦ୍ଧ ଆକ୍ରମଣ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ଦର୍ଶାଉଛି । ଜନପ୍ରତିନିଧି ମାନେ ଯଦି ରାଜ୍ୟରେ ଅସୁରକ୍ଷିତ, ତେବେ ସାଧାରଣ ଲୋକଙ୍କ ସୁରକ୍ଷା ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସରକାର ରାଜନୈତିକ ହିଂସାକୁ ପ୍ରୋତ୍ସାହିତ ନ କରି ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।



You Can Read:

ଗଞ୍ଜାମ ଜିଲ୍ଲା ଗସ୍ତରେ ରାଜ୍ୟପାଳ, ଋଷିକୁଲ୍ୟା ମୁହାଣରେ ଦେଖିଲେ ଅଲିଭ ରିଡଲେ କଇଁଛ ଛୁଆ ସମୁଦ୍ର ଫେରିଯିବା ଦୃଶ୍ୟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.