ଚର୍ଚ୍ଚ ଉପରେ ISIS ସମର୍ଥିତ ଆତଙ୍କବାଦୀ ଆକ୍ରମଣ, ୨୧ ଜଣଙ୍କ ମୃତ୍ୟୁ

Published By : Prameya-News7 Bureau | July 27, 2025 IST

News7

ନୂଆଦିଲ୍ଲୀ: କଙ୍ଗୋରେ ଆତଙ୍କବାଦୀ ହମ୍‌ଲା । ଇସଲାମିକ୍ ଷ୍ଟେଟ୍ ସମର୍ଥିତ ବିଦ୍ରୋହୀଙ୍କ ଦ୍ୱାରା ଏକ ଚର୍ଚ୍ଚ ଉପରେ ଆକ୍ରମଣ।  ଅତି କମରେ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ସିଭିଲ ଲିଡର୍‌ କହିଛନ୍ତି। ପୂର୍ବ କଙ୍ଗୋର କୋମାଣ୍ଡାରେ ଥିବା ଏକ କ୍ୟାଥୋଲିକ୍ ଚର୍ଚ୍ଚ କମ୍ପ୍ଲେକ୍ସ ଭିତରେ ଆଲାଇଡ୍ ଡେମୋକ୍ରାଟିକ୍ ଫୋର୍ସ (ADF)ର ସଦସ୍ୟମାନେ ରାତି ପ୍ରାୟ ୧ଟା ସମୟରେ ଏହି ଆକ୍ରମଣ କରିଥିଲେ। ଆକ୍ରମଣ ସମୟରେ ଅନେକ ଘର ଏବଂ ଦୋକାନ ମଧ୍ୟ ପୋଡ଼ି ଦିଆଯାଇଥିଲା।

କୋମାଣ୍ଡାର ଜଣେ ନାଗରିକ ସମାଜ ସଂଯୋଜକ କହିଛନ୍ତି, "ଭିତରେ ଏବଂ ବାହାରେ ୨୧ରୁ ଅଧିକ ଲୋକଙ୍କୁ ଗୁଳି କରାଯାଇଥିଲା। ଆମେ ଅତି କମରେ ତିନୋଟି ପୋଡ଼ି ଯାଇଥିବା ମୃତଦେହ ଏବଂ ଅନେକ ଘର ପୋଡ଼ି ଯାଇଥିବା ରିପୋର୍ଟ କରିଛୁ। ଆହତ ଏବଂ ମୃତଦେହ ଖୋଜା ଚାଲିଛି।"

କଙ୍ଗୋର ସେନାର ଜଣେ ମୁଖପାତ୍ର କୋମାଣ୍ଡାର ଇଟୁରି ପ୍ରଦେଶରେ ୧୦ ଜଣଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛନ୍ତି। ଏହି ଘଟଣା ପୁଣି ଥରେ ଏହି ଆଫ୍ରିକୀୟ ଦେଶରେ ଇସଲାମିକ୍ ଷ୍ଟେଟ୍ ପ୍ରତି ଭୟ ସୃଷ୍ଟି କରିଛି, ଯାହା ଗତ କିଛି ବର୍ଷ ଧରି ଆତଙ୍କବାଦୀ ଘଟଣା ଘଟାଇ ଆସୁଛି।

ADF ହେଉଛି ଇସଲାମିକ୍ ଷ୍ଟେଟ୍ ସହିତ ଜଡିତ ଏକ ବିଦ୍ରୋହୀ ଗୋଷ୍ଠୀ। ଯାହା ଉଗାଣ୍ଡା ଏବଂ ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋର ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ। ଏକ ଦଶନ୍ଧିରୁ ଅଧିକ ସମୟ ଧରି ସାଧାରଣ ନାଗରିକଙ୍କୁ ବାରମ୍ବାର ଆକ୍ରମଣ କରିଆସୁଛି। ୨୦୧୮ ମସିହାରେ, ADF ଇସଲାମିକ୍ ଷ୍ଟେଟ୍ (ISIS) ସହିତ ଆନୁଷ୍ଠାନିକ ସମ୍ପର୍କ ସ୍ଥାପନ କରିଥିଲା। ୨୦୧୯ ମସିହାରେ ଇସଲାମିକ୍ ଷ୍ଟେଟ୍ କେନ୍ଦ୍ରୀୟ ଆଫ୍ରିକା ପ୍ରଦେଶ (IS-CAP) ଭାବରେ ଏହାର ଆନୁଗତ୍ୟ ଘୋଷଣା କରିଥିଲା।

କୌଣସି ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରିବା ଆକ୍ରମଣ ପ୍ରଥମ ନୁହେଁ । ISIS ସହିତ ଜଡିତ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ପ୍ରାୟତଃ ଏଠାରେ ଆକ୍ରମଣ କରିଛନ୍ତି। ପୂର୍ବ କଙ୍ଗୋ ଏକ ଖ୍ରୀଷ୍ଟିଆନ ବହୁଳ ଦେଶ, ଯେଉଁଠାରେ ଅନେକ ଇସଲାମିକ୍ ସଂଗଠନ ସକ୍ରିୟ ଅଛନ୍ତି। କଙ୍ଗୋ ଦୀର୍ଘ ସମୟ ଧରି ଏହି ହିଂସାତ୍ମକ ଆକ୍ରମଣ ସହିତ ଲଢ଼ୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.