‘ଆଜି କେଜରିୱାଲଙ୍କ କଥା ସତ ହେଲା..’ ମୋହଲ୍ଲା କ୍ଲିନିକ୍ ବନ୍ଦ ଆଦେଶ ଉପରେ ପ୍ରତିକ୍ରିୟା ରଖି କହିଲେ ଆତିଶୀ

Published By : Prameya-News7 Bureau | March 07, 2025 IST

ନୂଆଦିଲ୍ଲୀ ୭।୩: ଦିଲ୍ଲୀର ବିଜେପି ସରକାର ଆମ ଆଦମୀ ପାର୍ଟି କାର୍ଯ୍ୟକାଳରେ ହୋଇଥିବା ମୋହଲ୍ଲା କ୍ଲିନିକ୍ ବନ୍ଦ କରିବାକୁ ଯାଉଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ଆତିଶୀ ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଏହି ଅଭିଯୋଗ କରିଛନ୍ତି। ଦିଲ୍ଲୀର ଏବେକା ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂହ ମୋହଲ୍ଲା କ୍ଲିନିକ୍ କୁ ‘ଲୁଟ ଓ ଫ୍ରଡ’ର କେନ୍ଦ୍ର ବୋଲି କହିଥିଲେ ଓ ୨୫୦ କେନ୍ଦ୍ରକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି। ଏହା ଉପରେ ପ୍ରତିକ୍ରିୟା ରଖି ସତ୍ୟେନ୍ଦ୍ର ଜୈନ ଓ ଆତିଶୀ ପ୍ରତିକ୍ରିୟା ଦେଇଛନ୍ତି। 


ଏ ନେଇ କାଲକାଜୀ ଆସନରୁ ଆପ ବିଧାୟକ ଆତିଶୀ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ସେ ଲେଖିଛନ୍ତି ନିର୍ବାଚନ ପୂର୍ବରୁ ଆପ ଆବାହକ ଅରବିନ୍ଦ କେଜରିୱାଲ ସତର୍କ କରିଥିଲେ ଯଦି ବିଜେପି ଜିତିଗଲା ତେବେ ମୋହଲ୍ଲା କ୍ଲିନିକ୍, ସ୍କୁଲ, ଫ୍ରି ବିଜୁଳି-ପାଣି ଓ ବସ୍ ଯାତ୍ରା ସବୁ ବନ୍ଦ ହୋଇଯିବ। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ କିଛି ବନ୍ଦ ହେବନି।  ହେଲେ ଆଜି ଅରବିନ୍ଦ କେଜରିୱାଲଙ୍କ କଥା ସତ ହୋଇଛି ଓ ବିଜେପି ସରକାର ପ୍ରଥମେ ମୋହଲ୍ଲା କ୍ଲିନିକ୍ ବନ୍ଦ କରିବାକୁ ଯାଉଛନ୍ତି। 


ଏହାତ ଆରମ୍ଭ ମାତ୍ର ଏବେ ଦେଖନ୍ତୁ ଆଗକୁ ଫ୍ରି ବିଜୁଳି, ଫ୍ରି ପାଣି , ମାଗଣା ଶିକ୍ଷା ଓ ମହିଳାଙ୍କ ମାଗଣା ବସ୍ ଯାତ୍ରା ମଧ୍ୟ ବନ୍ଦ ହେବ। ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନି ବିଜେପି ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂହଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ଭଡ଼ା ଘରେ କ୍ଲିନିକ୍ ଚଳାଇଲେ ଅସୁବିଧା କ’ଣ? ଅନେକ ସରକାରୀ କାର୍ଯ୍ୟାଳୟ ଭଡ଼ା ଘରେ ଚାଲୁଛି’। ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ପଙ୍କଜ ସିଂହ ମୋହଲ୍ଲା କ୍ଲିନିକ୍ କୁ ଠକେଇ ଓ ଭ୍ରଷ୍ଟାଚାରର କେନ୍ଦ୍ର ବୋଲି କହିଛନ୍ତି। ଏହାର ଜବାବରେ ଜୈନ କହିଛନ୍ତି ଯେ ମୋହଲ୍ଲା କ୍ଲିନିକ୍ କୁ ଆସୁଥିବା ଲୋକଙ୍କ ଡାଟା ଉପଲବ୍ଧ ଅଛି, ଡିଜିଟାଲ ଡାଟା ରଖାଯାଇଛି। ବିନା ତଥ୍ୟରେ ଏପରି ଅଭିଯୋଗ କରିବା ଉଚିତ ନୁହେଁ, ସେହି ମୋହଲ୍ଲା କ୍ଲିନିକ ଯାଇ ଦେଖନ୍ତୁ। 


ଦିଲ୍ଲୀ ସଚିବାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାସ୍ଥ୍ୟମନ୍ତ୍ରୀ ଗତ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ମୋହଲ୍ଲା କ୍ଲିନିକ୍ ଠକେଇର ଆଡ୍ଡା। ପାଖାପାଖି ୨୫୦ ମୋହଲ୍ଲା କ୍ଲିନିକ୍ କେବଳ କାଗଜପତ୍ରରେ ଓ ଭଡାଘରେ ଚାଲିଛି। ଏଠାରେ ଘରଭଡା ବାବଦ ପଇସା ହେରଫେର ହେଉଛି। ଏପିର କ୍ଲିନିକ୍ ସବୁକୁ ତତ୍କାଳ ପ୍ରଭାବରେ ବନ୍ଦ କରିଦେବାକୁ ଆଦେଶ ଦିଆଯାଇଛି।  


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.