ଅଧାରେ ରହିଗଲା ସ୍ୱପ୍ନେଶ୍ୱରଙ୍କ ଇଚ୍ଛା, ଏବେ ଅନ୍ୟ ପିଲାଙ୍କ ଭବିଷ୍ୟତ ଗଢ଼ି ପୂରଣ କରୁଛନ୍ତି ନିଜ ସ୍ୱପ୍ନ

Published By : Prameya-News7 Bureau | July 03, 2025 IST

କଟକ : ୨୦୨୩ରେ ଗୋଟିଏ ସିନେମା ରିଲିଜ୍‌ ହୋଇଥିଲା ୧୨+ ଫେଲ୍‌। ଏଥିରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା ଗୌରୀ ଭୟା। ସିଭିଲ୍‌ ସର୍ଭିସ୍‌ରେ ବାରମ୍ବାର ବିଫଳ ହେବାରେ ପରେ ସେହି ଯାତ୍ରାରୁ ସାଉଁଟିଥିବା ଅଭିଜ୍ଞତାରୁ ସେ ଅନେକ ପିଲାଙ୍କୁ ପ୍ରଶିକ୍ଷଣ ଦେଉଥିବାର ସିନେମାରେ ନଜର ଆସିଥିଲା। କିନ୍ତୁ ବାସ୍ତବ ଦୁନିଆରେ ବି ଏମିତି ଜଣେ ଜଣେ ଗୌରୀ ଭେୟା ଅଛନ୍ତି, ଯାହାଙ୍କର ଜୀବନର ସଂଘର୍ଷ ୧୨+ ଫେଲ୍‌ ସିନେମାର ଏହି ଚରିତ୍ର ସହିତ ଖାପ ଖୁଆଉଛି। ଠିକ୍‌ ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ସ୍ୱପ୍ନେଶ୍ୱର। ଦିନେ ଟ୍ରାକରେ ଦୌଡ଼ି ଦେଶ ପାଇଁ ଗର୍ବ ଆଣିବାକୁ ଲକ୍ଷ୍ୟ ରଖିଥିଲେ,ଏବେ କିନ୍ତୁ ମାଛ ବିକିବାକୁ ବାଧ୍ୟ ହୋଇଛନ୍ତି। କିନ୍ତୁ ବଡ଼ କଥା ହେଉଛି, ଏତେ ପରେ ବି ସେ ମାନି ନାହାନ୍ତି ହାର୍। ଏବେ ଅନ୍ୟର ଭବିଷ୍ୟତ ଗଢ଼ିବା ଲାଗିପଡ଼ିଛନ୍ତି।

ରବୀନ୍ଦ୍ରନାଥ ଦାସ ଓ ଟୁକୁନି ଦାସଙ୍କ ସାନ ପୁଅ ସ୍ଵପ୍ନେଶ୍ଵର। ପିଲାବେଳୁ ଖେଳ ପ୍ରତି ଥିଲା ତାଙ୍କର ବହୁତ୍ ଆଗ୍ରହ। ସେ ସ୍କୁଲ ଓ କଲେଜ ସ୍ତରରେ ୨୦୦ ମିଟର ଓ ଚାରିଶହ ମିଟର ଦୌଡ଼ି ସଫଳତା ପାଇଥିଲେ।  ପରେ ଜିଲ୍ଲା ଓ ରାଜ୍ୟ ସ୍ତରରେ ମଧ୍ୟ ଦୌଡ଼ରେ ବହୁ ସଫଳତା ପାଇଥିଲେ। ଏପରିକି ରୌପ୍ୟ ଓ ସ୍ୱର୍ଣ୍ଣ ପଦକ ମଧ୍ୟ ହାସଲ କରିଥିଲେ। ହେଲେ ବିଧିର ବିଧାନ ଥିଲା କିଛି ଅଲଗା। ୨୦୧୨ ମସିହାରେ ଛାତ ଉପରୁ ପଡ଼ି ଭାଙ୍ଗିଗଲା ସ୍ଵପ୍ନେଶ୍ୱରଙ୍କ ଅଣ୍ଟା । ଆଉ ସେବେଠାରୁ ହିଁ ଭାଙ୍ଗିଗଲା ସ୍ଵପ୍ନେଶ୍ଵରଙ୍କ ସ୍ୱପ୍ନ। ଦୀର୍ଘ ଦିନ ବେଡ୍ ରେ ପଡ଼ିବା ପରେ ସୁସ୍ଥ ହେଲେ ସତ କିନ୍ତୁ ଆଉ ସେ ଫେରି ପାରିଲେନି ଟ୍ରାକକୁ। ଏବେ ଦୁଇ ବର୍ଷ ହେଲାଣି ମାଛ ବିକ୍ରି କରି ରୋଜଗାର କରୁଛନ୍ତି ସ୍ୱପ୍ନେଶ୍ୱର।  ଆଉ ସେଥିରୁ ସମୟ କାଢି ନିଜେ ଦେଖିଥିବା ସ୍ବପ୍ନକୁ ପୂରଣ କରିବା ପାଇଁ ଅନ୍ୟ ଖେଳାଳିଙ୍କୁ ଦେଉଛନ୍ତି ତାଲିମ । ଲକ୍ଷ୍ୟ ରଖିଛନ୍ତି ରାଜ୍ୟରୁ ଭଲ ଖେଳାଳି ବାହାର କରିବେ। ସେହି ଚେଷ୍ଟାରେ ଏବେ ତାଙ୍କର ଦିନ କଟୁଛି।

ଖେଳାଳିଙ୍କୁ ତାଲିମ୍ ଦେବାରେ ଖୁବ୍ ପରିଶ୍ରମ କରୁଛନ୍ତି ସ୍ୱପ୍ନେଶ୍ୱର। ତାଙ୍କ ପରିବାର ଲୋକଙ୍କ କହିବା କଥା ଖେଳ ହେଉଛି ତାଙ୍କ ଜୀବନ। ସେ ସବୁ କିଛି ପଛ କରି ଦେଇ ଖେଳାଳି ତିଆରି କରିବା ପାଇଁ  ସେ ଲାଗିଛନ୍ତି। ଯେତେ ଯାହା କଷ୍ଟ ହେଉ ପଛେ ସେ ଦୌଡ଼ି ଯାଆନ୍ତି ପ୍ରଶିକ୍ଷଣ ଦେବା ପାଇଁ। କାରଣ ଏବେ ସେ ଅନ୍ୟ ଖେଳାଳୀ ମାଧ୍ୟମରେ ନିଜ ସ୍ୱପ୍ନ ପୂରଣ କରିବାକୁ ଇଚ୍ଛା ରଖିଛନ୍ତି। ବୁଧବାର, ଶୁକ୍ରବାର ଓ ରବିବାର ସ୍ୱପ୍ନେଶ୍ୱରେ ବାରବାଟି ଷ୍ଟାଡିୟମ୍ ପାଖରେ ମାଛ ବିକିବା ସହ ଅନ୍ୟ ଦିନ ମାନଙ୍କରେ ପିଲାମାନଙ୍କୁ ପ୍ରଶିକ୍ଷଣ ଦେବାରେ ଲାଗି ପଡନ୍ତି। ଆଗକୁ ଲକ୍ଷ୍ୟ ସେ ତାଲିମ ଦେଉଥିବା ଖେଳାଳି ରାଜ୍ୟ ଓ ଦେଶ ପାଇଁ କିଭଳି ଗୌରବ ଆଣିବେ।

ସ୍ୱପ୍ନେଶ୍ୱରଙ୍କ କାହାଣୀ ଯେତିକି ଦୁଃଖଦାୟକ ସତରେ ସେତିକି ପ୍ରେରଣାଦାୟକ।  ନିଜ ସ୍ୱପ୍ନ ପୂରଣ ହେଲାନି ବୋଲି କଣ ହେଲା। ହାର୍ ନ ମାନି ବୀର ଭଳି ଏବେ ଅନ୍ୟ ପିଲାଙ୍କ ଭବିଷ୍ୟତ ଗଢ଼ିବାକୁ ଲାଗି ପଡ଼ିଛନ୍ତି। ଆଉ ସେମାନଙ୍କ ସ୍ୱପ୍ନରେ ଏବେ ନିଜ ସ୍ୱପ୍ନ ପୂରଣ କରୁଛନ୍ତି  ସ୍ୱପ୍ନେଶ୍ୱର। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.