ନୂଆଦିଲ୍ଲୀ: ନାଇଜେରିଆର ନାଇଜର ରାଜ୍ୟର ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ନାଇଜର ରାଜ୍ୟର ମୋକ୍ୱା ଅଞ୍ଚଳରେ ଭୟଙ୍କର ବନ୍ୟା ଯୋଗୁଁ ଅତି କମରେ ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନାଇଜର ରାଜ୍ୟର ରାଜଧାନୀ ମିତ୍ରାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟାଳୟ ମୁଖ୍ୟ ହୁସେନୀ ଇସା ଏହି ସୂଚନା ଦେଇଛନ୍ତି ।
ଇସା ଶୁକ୍ରବାର କହିଛନ୍ତି ଯେ ଉଦ୍ଧାର ଓ ଥଇଥାନ କାର୍ଯ୍ୟ ଏବେ ବି ଜାରି ରହିଛି । ମୃତକଙ୍କ ସଂଖ୍ୟା ଲଗାତାର ବଢୁଛି । ପ୍ରଥମେ ମୃତକଙ୍କ ସଂଖ୍ୟା ୨୦ ଥିବା କୁହାଯାଇଥିଲା, କିନ୍ତୁ ଏବେ ଏହି ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ସୁଦ୍ଧା ୧୧୧ ମୃତ ଦେହ ମିଳିସାରିଛି । ଲଗାତାର ପ୍ରବଳ ବର୍ଷା ଯୋଗୁ ପାଣିର ମାତ୍ରା ବଢିବାରେ ଲାଗିଛି । ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ ନଦୀରେ ଥିବା ଏକ ଡ୍ୟାମ୍ ଭୁଶୁଡ଼ିବା ସ୍ଥିତିରେ ପହଞ୍ଚିଛି ।
ଉଲ୍ଲେଖଯୋଗ୍ୟ ଯେ ନାଇଜର ରାଜ୍ୟରେ ମୋକ୍ୱା ଏକ ପ୍ରମୁଖ ବାଣିଜ୍ୟିକ କେନ୍ଦ୍ର । ଏଠାକୁ ଦେଶର ଦକ୍ଷିଣ ଭାଗରୁ ବ୍ୟବସାୟୀ ଓ ଉତ୍ତର ଭାଗରୁ ଚାଷୀ ବାଣିଜ୍ୟ ପାଇଁ ଆସନ୍ତି । ଏହା ପୂର୍ବରୁ ଗତ ସେପ୍ଟେମ୍ୱରରେ ଏଭଳି ସମାନ ଘଟଣା ଘଟିଥିଲା । ନାଇଜେରିଆର ପୂର୍ବୋତ୍ତର ମିଦୁଗୁରୀରେ ପ୍ରବଳ ବର୍ଷା ଓ ଡ୍ୟାମ ଭୁଶୁଡ଼ିବା କାରଣରୁ ବଡ଼ ବନ୍ୟା ଆସିଥିଲା । ସେତେବେଳେ ଏହି ବନ୍ୟାରେ ୩୦ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଲକ୍ଷାଧିକ ଲୋକ ବାସହରା ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଏହି ଅଞ୍ଚଳ ପୂର୍ବରୁ ବୋକୋ ହରାମ ଆତଙ୍କବାଦୀ ସଂଗଠନ କାରଣରୁ ମାନବୀୟ ସଂକଟର ସାମନା କରୁଛି ।