ଦେଶରେ ବଢୁଛି ସ୍କୁଲ ଶିକ୍ଷା ଖର୍ଚ୍ଚ, ଭାଇରାଲ ହେଉଛି ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କ ପୋଷ୍ଟ

NEWS7
assam-police-chief-gyanendra-pratap-singh-appointed-crpf-dg

ନୂଆଦିଲ୍ଲୀ ୭।୧୨: ମଧ୍ୟମବର୍ଗୀୟ ଭାରତୀୟ ପରିବାରଙ୍କ ନିମନ୍ତେ ଶିକ୍ଷା ଏକ ପ୍ରାଥମିକତା ହୋଇ ରହି ଆସିଛି। ହେଲେ ୨୦୨୫ ମସିହାରେ ଏହାର ଆଶ୍ଚର୍ଯ୍ୟ ଜନକ ଖର୍ଚ୍ଚର ହିସାବ ମିଳିଛି। ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ତଥା ଶିକ୍ଷକ ମିନଲ ଗୋୟଲଙ୍କ ଏକ ଲିଂକଡଇନ୍ ପୋଷ୍ଟ ସାରା ଦେଶରେ ଶିକ୍ଷାର ବଢୁଥିବା ଖର୍ଚ୍ଚ କୁ ନେଇ ଏବେ ବିତର୍କ ଆରମ୍ଭ କରିଦେଇଛି। ଗୋୟଲଙ୍କ ଲିଂକଡ୍ ଇନ୍ ପୋଷ୍ଟ ଅନୁସାରେ ଏବେ ଏକ ଶିଶୁର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ା ଖର୍ଚ୍ଚ ୨୨ ଲକ୍ଷ ଟଙ୍କା ପଡି ଯାଉଛି।

ମିନଲ ଗୋୟଲ ୨୦୨୫ର ତଥ୍ୟ ଆଧାରରେ ଏକ ବିସ୍ତୃତ ଖର୍ଚ୍ଚ ରିପୋର୍ଟ ସେୟାର କରିଛନ୍ତି। ଏହି ହିସାବରେ ଏକ ଅନୁନ୍ୟ ସ୍କୁଲରେ ପାଠ ପଢା ଖର୍ଚ୍ଚ ପ୍ରାଇମେରି ସ୍କୁଲ (ପ୍ରଥମ-ପଞ୍ଚମ) ୫.୭୫ଲକ୍ଷ ଟଙ୍କା ବ୍ୟୟ ହେଉଥିବା ବେଳେ ମିଡିଲ ସ୍କୁଲ (ଷଷ୍ଠ-ଅଷ୍ଟମ) ପାଇଁ ୫.୯ଲକ୍ଷ ଟଙ୍କା ଓ ହାଇସ୍କୁଲ (ନବମରୁ ଦ୍ୱାଦଶ) ୯.୨ଲକ୍ଷ ଟଙ୍କା ଅର୍ଥାତ ମୋଟ ପ୍ରଥମରୁ ଦ୍ୱାଦଶ ପାଠପଢ଼ା ବାବଦକୁ ୨୨ଲକ୍ଷ ଟଙ୍କା ବ୍ୟୟ ହେଉଛି। ଏହି ବ୍ୟୟ ଯଦି ପ୍ରିମିୟମ ସ୍କୁଲ ପାଇଁ ହିସାବ କରାଯାଏ ପାଖାପାଖି ଦୁଇଗୁଣାରୁ ଅଧିକ ହେବ।

ମିନଲ ଗୋୟଲ ଲେଖିଛନ୍ତି ବହି, ଡ୍ରେସ୍, ଟ୍ୟୁସନ, ଟ୍ରାନ୍ସପୋର୍ଟ, ଗେଜେଟସ୍ ଓ କୋଚିଂ ସବୁ ମିଶାଇ ଦେଲେ ଏହି ଖର୍ଚ୍ଚ ଆସୁଛି। ୨୦୨୫ରେ ଭାରତରେ ସ୍କୁଲ ଶିକ୍ଷାର ବାସ୍ତବିକ ବ୍ୟୟ ସତରେ ଡରାଇବା ଭଳି। ପିରସ୍ଥିତି ଏବେ ଏତେ ଉତ୍କଟ ଯେ ଅଭିଭାବକ ଏବେ ପିଲାଙ୍କୁ ସ୍କୁଲ ପଠାଇବାକୁ ଡରୁଛନ୍ତି। କେବଳ ଗୋୟଲ ନୁହନ୍ତି ସରକାରଙ୍କ ନ୍ୟାସନାଲ ସାମ୍ପଲ ସର୍ଭେ ରିପୋର୍ଟ ମଧ୍ୟ ଏ କଥାକୁ ସ୍ୱୀକାର କରୁଛି। ଗତ ଏକ ଦଶନ୍ଧୀରେ ସହରାଞ୍ଚଳ ପ୍ରାଇଭେଟ ସ୍କୁଲ ମାନଙ୍କର ଫିରେ ୧୬୯% ବୃଦ୍ଧି ହୋଇଛି। ଯାହା ବେତନ ବୃଦ୍ଧି ଓ ମୁଦ୍ରାସ୍ପିତିଠାରୁ ଅନେକଗୁଣା ଅଧିକ।

ଦିଲ୍ଲୀ, କୋଲକାତା, ହାଇଦ୍ରାବାଦ ଓ ବେଙ୍ଗାଲୁରୁ ଭଳି ମହାଗନରରେ ଏହି ଫିରେ ସବୁଠୁ ଅଧିକ ବୃଦ୍ଧି ଦେଖାଯାଇଛି। ଲୋକାଲ ସର୍କଲ୍ସ ର ୨୦୨୫ ସର୍ଭେ ଅନୁସାରେ ୮୧% ଅଭିଭାବକ ୧୦% ଅଥବା ଏହାଠୁ ଅଧିକ ଫି ବୃଦ୍ଧିର ସମ୍ମୁଖୀନ ହୋଇଛନ୍ତି। ଏଥିରେ ଏପରି ୨୨% ଅଭିଭାବକ ଅଛନ୍ତି ଯେଉଁମାନେ ୩୦%ରୁ ଅଧିକ ଫି ବୃଦ୍ଧି ଭରଣା କରିଛନ୍ତି। ତେବେ ଦିଲ୍ଲୀରେ ଫି ନିୟନ୍ତ୍ରଣ ପାଇଁ ନିୟମ ରହିଛି। ହେଲେ ଏପରି ଅନେକ ସ୍କୁଲ ଅଛନ୍ତି ଯେଉଁମାନେ ବିଭିନ୍ନ ପ୍ରକାରର ଶୁଳ୍କ ନାମରେ ନିୟମକୁ ଫୁ କରିଦେଇଛନ୍ତି।

ଆଜି ଭାରତୀୟ ଅଭିଭାବକ ଶିକ୍ଷା ନିମନ୍ତେ ବିକଶିତ ଦେଶଙ୍କ ଭଳି ଫି ପୈଠ କରୁଛନ୍ତି। ହେଲେ ଶିକ୍ଷାର କ୍ୱାଲିଟି ନେଇ ଏବେ ବି ସନ୍ଦେହ ରହିଛି। ଆଜିର ମଧ୍ୟମବର୍ଗୀୟ ନିଜ ପିଲାଙ୍କ ଶିକ୍ଷା ନିମନ୍ତେ ହୁଏତ ଲୋନ ନେଉଛନ୍ତି ଅଥବା ସେମାନଙ୍କ ମୌଳିକ ଖର୍ଚ୍ଚ କାଟ କରୁଛନ୍ତି। ହେଲେ ବି ସ୍କୁଲମାନଙ୍କ ଶୋଷ ମେଣ୍ଟାଇ ପାରୁ ନାହନ୍ତି। ଏତେ ପଇସା ପୈଠ ପରେ ବି ପିଲା ଗୁଣାତ୍ମକ ଶିକ୍ଷା ପାଉଛନ୍ତି କି ନା ସେ ନେଇ ମଧ୍ୟ ଅଭିବାବକ ସ୍ପଷ୍ଟ ନୁହନ୍ତି।