ନୂଆଦିଲ୍ଲୀ: ଏନ୍ଡିଏର ସହଯୋଗୀ ତଥା କେନ୍ଦ୍ରରେ ମନ୍ତ୍ରୀ ଚିରାଗ ପାଶୱାନ ବିହାର ଆଇନ ବ୍ୟବସ୍ଥାକୁ ନେଇ ପୁଣି ଥରେ ନୀତୀଶ ସରକାରଙ୍କୁ ସମାଲୋଚନା କରିଛନ୍ତି । ରାଜ୍ୟରେ ଲଗାତାର ବଢୁଥିବା ଅପରାଧକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଥିବା ପ୍ରଶାସନ ଓ ସରକାରଙ୍କୁ ଘେରିଛନ୍ତି । ଚିରାଗ କହିଛନ୍ତି, "ଏଠାରେ ଏପରି ଏକ ସରକାରର ସମର୍ଥନ କରୁଛି, ଯେଉଁଠି ଅପରାଧ ସମ୍ପୂର୍ଣ୍ଣ ରୂପେ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି, ଏଥିପାଇଁ ମୁଁ ଖୁଃଖୀ । ଏହାକୁ ନିୟନ୍ତ୍ରଣକୁ ଆଣିବା ଅତ୍ୟନ୍ତ ଜରୁରି, ନଚେତ ବିହାରୀଙ୍କ ଜୀବନ ସହ ହେଉଥିବା ଖେଳ ବିହାରକୁ ଅତ୍ୟନ୍ତ ଖରାପ ସ୍ଥିତିକୁ ନେଇଯିବ ।"
ସେ ଆହୁରି କହିଛନ୍ତି, ବିହାରରେ ଗୋଟିଏ ପରେ ଗୋଟିଏ ହତ୍ୟା, ଲୁଟପାଟ୍, ଡକାୟତି, ଦୁଷ୍କର୍ମ ଘଟଣା ଯେପରି ଘଟି ଚାଲିଛି, ତାହା ପ୍ରଶାସନର ଅସମର୍ଥ ଭାବକୁ ଦର୍ଶାଉଛି । ଯଦି ଏପରି ଚାଲେ, ତେବେ ରାଜ୍ୟରେ ଭୟଙ୍କର ସ୍ଥିତି ସୃଷ୍ଟି ହେବ । ଲୋକ ଜନଶକ୍ତି (ରାମ ବିଳାଶ ପାଶୱନ) ପାର୍ଟି ମୁଖ୍ୟ ଚିରାଗ ପାଶୱାନ ବଢୁଥିବା ଅପରାଧ ପଛର କାରଣ ନିର୍ବଚନ ହୋଇପାରେ ବୋଲି କହିଛନ୍ତି । ସରକାରଙ୍କୁ ବଦନାମ କରିବା ଷଡ଼ଯନ୍ତ୍ରରେ ଏପରି ଘଟଣା ଘଟାଯାଉଥିବା ସେ ଆଶଂକା କରିଛନ୍ତି । ତଥାପି ଏହାକୁ ନିୟନ୍ତ୍ରଣ କରିବା ଦାୟିତ୍ୱ ପ୍ରଶାସନର ବୋଲି କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରିଛନ୍ତି ଯେ ଅପରାଧୀଙ୍କ ସହ ପ୍ରଶାସନର ମଧୂଚନ୍ଦ୍ରିକା ରହିଛି କିମ୍ୱା ପ୍ରଶାସନ ପୂରା ଅକାମୀ ହୋଇଛି । ବିହାର ଓ ବିହାରୀଙ୍କୁ ସୁରକ୍ଷିତ ରଖିବା ଏବେ ସେମାନଙ୍କ ଦ୍ୱାରା ସମ୍ଭବ ନୁହେଁ । ମୁଁ ବିହାର ସରକାରଙ୍କୁ ଅନୁରୋଧ କରୁଛି ଯେ ଏହି ମାମଲାରେ ସମୟ ଥାଉ ଥାଉ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ଉଲ୍ଲେଖଯୋଗ୍ୟ ଯେ ବିହାରରେ ଗତ କିଛି ଦିନ ଧରି ଲଗାତାର ହତ୍ୟା ଖବର ଆସୁଛି । ଗତ ଗୋଟିଏ ମାସ ମଧ୍ୟରେ ୫୦ରୁ ଅଧିକ ହତ୍ୟା ମାମଲା ରିପୋର୍ଟ ହୋଇଛି । ସ୍ପଷ୍ଟ ଦିବାଲୋକରେ ଗୁଳିକାଣ୍ଡ ଏବଂ ହସ୍ପିଟାଲରେ ହତ୍ୟା ଲୋକଙ୍କୁ ଭୟଭୀତ କରିଛି । ଏହି କାରଣରୁ ଏବେ ସରକାରଙ୍କୁ ପ୍ରଶ୍ନ କରାଯାଉଛି । ସରକାରଙ୍କୁ ସମର୍ଥନ କରୁଥିବା ରାଜନୈତିକ ଦଳଗୁଡ଼ିକ ମଧ୍ୟ ଏବେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି ।