ଟୋକିଓ ୪।୭: ରାତି ପାହିଲେ ଜୁଲାଇ ୫, ଜାପାନରେ ଲୋକଙ୍କ ଆଖିରୁ ନିଦ ହଜି ଯାଇଛି। ଏହାର କାରଣ ହେଉଛି ଜାପାନର ପ୍ରସିଦ୍ଧ ମଙ୍ଗା ଆର୍ଟିଷ୍ଟ ତଥା ଭବିଷ୍ୟବକ୍ତା ରିୟୋ ତାତ୍ସୁକୀଙ୍କ ଦଶନ୍ଧୀ ପୁରୁଣା ଏକ ଡରାଇବା ଭଳି ଭବିଷ୍ୟବାଣୀ। ତାତସୁକୀ ତାଙ୍କ ମଙ୍ଗା ପୁସ୍ତକ ‘ଦି ଫ୍ୟୁଚର ଆଇ ସ’ରେ ଦାବି କରିଥିଲେ ଯେ ୫ ଜୁଲାଇ ୨୦୨୫ରେ ଜାପାନର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ଭୀଷଣ ସୁନାମୀ ଆସିବ, ଯାହା ବିଭୀଷିକା ରଚିବ।
ରିୟୋ ତାତସୁକୀଙ୍କ ପୁସ୍ତକ ୧୯୯୯ରେ ପ୍ରକାଶିତ ହୋଇଥିଲା। ଏହି ପୁସ୍ତକରେ ରିୟୋ ଯେଉଁ ସବୁ ବିପର୍ଯ୍ୟୟ ସମ୍ପର୍କରେ ସୂଚନା ଦେଇଥିଲା ଅତୀତରେ ତାହା ସତ୍ୟ ପ୍ରମାଣିତ ହୋଇଛି। ତାଙ୍କ ସ୍ୱପ୍ନ ଓ ଡାୟେରୀରେ ଲେଖିଥିବା କଥାର ଗ୍ରାଫିକ ଫର୍ମରେ ସଂଗ୍ରହ ରହିଛି। ଏଥିରେ ସେ ୫ ଜୁଲାଇ ୨୦୨୫ରେ ଏକ ବଡ଼ ପ୍ରାକୃତିକ ବିପର୍ଯ୍ୟୟର ଭବିଷ୍ୟତବାଣୀ କରିଥିଲେ। ତାତସୁକୀଙ୍କ ଅନୁସାରେ ଜାପାନ ଓ ଫିଲପାଇନ୍ସ ମଝିରେ ଥିବା ସମୁଦ୍ର ତଳେ ଏକ ଫାଟ ସୃଷ୍ଟି ହେବ, ଯାହା ୨୦୧୧ରେ ବିନାଶ ରଚିଥିବା ସୁନାମୀ ଠାରୁ ୩ ଗୁଣାବଡ଼ ସୁନାମୀ ଆଣିବ।
ଏହି ଭବିଷ୍ୟବାଣୀକୁ ନେଇ ଏବେ ଜାପାନ ଚିନ୍ତାରେ ପଡିଯାଇଛି। ଖାସ କରି ସେତେବେଳେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ଯେତେବେଳେ ଦକ୍ଷିଣ ଜାପାନର ଟୋକାରା ଦ୍ୱୀପ ସମୂହରେ ୨ ସପ୍ତାହ ମଧ୍ୟରେ ୧ ହଜାରରୁ ଅଧିକ ଭୂମିକମ୍ପ ରେକର୍ଡ ହେଲାଣି। ତେବେ ଜାପାନ ସରକାର ଓ ବୈଜ୍ଞାନିକ ଏହି ଭବିଷ୍ୟବାଣୀକୁ ଅଧିକାରୀକ ଭାବେ ସ୍ୱୀକାର କରୁ ନାହାନ୍ତି। ହେଲେ ଏପରି କୌଣସି ପରିସ୍ଥିତି ଉପୁଜିଲେ ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସରକାର କହିଛନ୍ତି।
ଟୋକାରୀ ଦ୍ୱୀପରେ ଏବେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୫ ମପାଯାଇଛି। ସେହିପରି ଉକୁସେକୀ ଦ୍ୱୀପରେ ୭.୬ କମ୍ପନ ମପା ଯାଇଛି। ଏହା ଯୋଗୁ କିଛି ବିଲ୍ଡିଂ କାନ୍ଥରେ ଫାଟ ପଡିଥିବା ମଧ୍ୟ ଦେଖାଯାଇଛି। ତେବେ ତାତସୁକୀଙ୍କ ଭବିଷ୍ୟବାଣୀର ପ୍ରଭାବ ଜାପାନ ଟୁରିଜିମ ସେକ୍ଟର ଉପରେ ଏବେ ସମ୍ପୂର୍ଣ୍ଣ ଭାବେ ପଡିଥିବା ଦେଖାଯାଉଛି। ହଂକଂରୁ ଜାପାନ ଆସୁଥିବା ପର୍ଯ୍ୟଟକଙ୍କ ସଂଖ୍ୟା ୧୧% ହ୍ରାସ ହୋଇଛି। ଅନେକ ପର୍ଯ୍ୟଟକ ଜୁଲାଇ ଓ ଅଗଷ୍ଟ ମାସ ପାଇଁ ସେମାନଙ୍କ ବୁକିଂ ରଦ୍ଦ କରିଦେଇଛନ୍ତି।
ଏବେ ରାତି ପାହିଲେ ଜୁଲାଇ ୫ ତାରିଖ ସମସ୍ତଙ୍କ ନଜର ଜାପାନ ଉପରେ ରହିଛି। ଏହି ଭବିଷ୍ୟବାଣୀ ସତ୍ୟ ହେବ ନା ଏହା ଏକ ସଂଯୋଗ? ଏହି ପ୍ରଶ୍ନର ଜବାବ ୫ ଜୁଲାଇ ଶନିବାର ହିଁ ମିଳିବ। ହେଲେ ଜାପାନରେ ଲୋକେ ଏବେ ସମ୍ପୂର୍ଣ୍ଣ ସତର୍କ ଓ ସରକାର ଉପୁଜିବାକୁ ଥିବା ସବୁ ପ୍ରକାର ପରିସ୍ଥିତି ପାଇଁ ପ୍ରସ୍ତୁତିରେ ଲାଗି ପଡିଛନ୍ତି।