LIVE TV

ଦୀୱାଲୀ ବନ୍ଧୁକ ପାଲଟିଛି ଆତଙ୍କର କାରଣ, ଶତାଧିକ ହରାଇଲେ ଆଖି

NEWS7
aryna-sabalenka-win-her-first-grand-slam-title

ଭୋପାଲ ୨୨।୧୦: ମଧ୍ୟପ୍ରଦେଶ ରାଜଧାନୀରେ ଦୀପାବଳି ବନ୍ଧୁକ ଏବେ ପିଲାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବନ୍ଧୁକ ଫୁଟି ୧୨୨ ଜଣ ପିଲା ଆହତ ହୋଇଥିବା ହସ୍ପିଟାଲ ସୂତ୍ରରୁ ଜଣାପଡିଛି। ଆହତ ପିଲାଙ୍କ ମଧ୍ୟରୁ ୩୬ ଜଣ ଭୋପାଲର  ଗାନ୍ଧି ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ଦୀପାବଳିରେ ଆତସବାଜୀ କରିବା ପାଇଁ ଏପରି ବନ୍ଧୁକ ଘରେ ତିଆରି କରାଯାଇଛି ଓ ବଜାରରେ ବାଣ ଦୋକାନ ମାନଙ୍କରେ ୧୦୦ରୁ ୨୦୦ ଟଙ୍କାରେ ବିକ୍ରି ହେଉଥିଲା। ଏହି ବନ୍ଧୁକରେ ଦିଆଯାଇଥିବା କ୍ୟାଲସିୟମ କାର୍ବାଇଡ ପାଣି ସମ୍ପର୍କରେ ଆସିବା ଯୋଗୁ ଏସିଟିଲିନ ଗ୍ୟାସରେ ରୂପାନ୍ତରିତ ହୋଇ ବିସ୍ଫୋରଣ ହେଉଛି। ଯାହା ପିଲାଙ୍କ ଦେହ ମୁହଁ ପୋଡି ପକାଇଛି।

ଦୀପାବଳି ରାତିରେ ଏହି ବନ୍ଧୁକରେ ଆତସବାଜୀ କରୁଥିବା ୭ ବର୍ଷର ଅଲଜୈନ ଆଖିକୁ କାର୍ବାଇଡ ଗୁଣ୍ଡ ଛିଟିକି ଯାଇଥିଲା। ଏବେ ସେ ଆଗକୁ ଦେଖି ପାରିବ କି ନା ସେ ନେଇ ଡାକ୍ତର ଚିନ୍ତାରେ ପଡିଛନ୍ତି। ଡାକ୍ତରଙ୍କ ଅନୁସାରେ ଏହି ଗନ ଯୋଗୁ ପିଲାର ଆଖିର କାର୍ଣ୍ଣିଆ ଗୁରୁତର ପ୍ରଭାବିତ ହୋଇଛି। କ୍ଷୁଦ୍ର କାର୍ବାଇଡ କଣିକା ପିଲା ଆଖିଭିତରକୁ ପସି ଯାଇଥିଲା। ଏଣୁ ଦେଢ ଘଣ୍ଟା ଲାଗି ଅପରେସନ କରି କାର୍ବାଇଡ ଗୁଣ୍ଡ କଢାଯାଇଛି। ତଥାପି ପିଲାର ଆଖି କଣ ହେବ ସେ ନେଇ ଡାକ୍ତର କିଛି ସ୍ପଷ୍ଟ ଭାବେ କହି ପାରୁ ନାହାନ୍ତି।

ଦୀପାବଳିରେ ଏହି ଗନ ସୋସିଆଲ ମିଡିଆରେ ଦ୍ରୁତ ପ୍ରସାର ହୋଇଥିଲା। ଏଣୁ ପିଲା ଏହି ଗନ ସବୁ କିଣି ଆଣି ଫୁଟାଉଥିଲେ। ଏହି ବନ୍ଧୁକ ଗୁଡିକୁ ଘରୋଇ ଉପାୟରେ ତିଆରି କରାଯାଇ ଥିଲା, ଯାହା ଏବେ ପିଲାଙ୍କ ପାଇଁ ବିପଦର କାରଣ ପାଲଟିଛି। ଏହି ବନ୍ଧୁକ ଫୁଟାଇ ଆହତ ହୋଇଥିଲା ପିଲା ୧୯ରୁ ୨୧ ଅକ୍ଟୋବର ପର୍ଯ୍ୟନ୍ତ ହସ୍ପିଟାଲକୁ ଆସିବାରେ ଲାଗିଥିଲେ। ଏପରି ଆହତ ପିଲାଙ୍କ ସଂଖ୍ୟା ଏବେ ୧୨୨କୁ ପହଞ୍ଚିଛି। ଏଥିରୁ ୩୬ ମାମଲାକୁ ଗାନ୍ଧି ମେଡିକାଲ କଲେଜ ହସ୍ପିଟାଲ ରେଫର କରାଯାଇଥିବା ବେଳେ ୧୨ଟି ମାମଲା ବିଦିଶା ମେଡିକାଲ କଲେଜକୁ, ୩ଟି ମାମଲା ସାଗର ମେଡିକାଲ କଲେଜକୁ ଓ ୩ଟି ମାମଲା ଇନ୍ଦୋରକୁ ପଠାଯାଇଛି।

ଦେଶି ବନ୍ଧୁକ ଫୁଟି ପିଲା ଆହତ ହେବା କାରଣରୁ ଗାନ୍ଧି ମେଡିକାଲ କଲେଜ ନେତ୍ର ବିଭାଗରେ ଡ.ଏସ.ଏସ.କୁବରେ ଓ ଡ. ଅଦିତି ଦୂବେଙ୍କ ସମେତ ୫ ରେସିଡେଣ୍ଟ ଡାକ୍ତରଙ୍କୁ ଏମାର୍ଜେନ୍ସୀ ଡ୍ୟୁଟିରେ ମୁତୟନ କରାଯାଇଛି। ମେଡିକାଲ ଟିମଙ୍କ ସୂଚନା ଅନୁସାରେ ଏହି ବନ୍ଧୁକ ଯୋଗୁ ପିଲାଙ୍କ ଆଖିର କାର୍ଣ୍ଣିଆ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଡ. ରୌନକ ଅଗ୍ରୱାଲ କହିଛନ୍ତି ଯେ ଯଦି ଏହି ବନ୍ଧୁକ ଯୋଗୁ କାହା ଆଖିରେ ଆଘାତ ଲାଗିଛି ଆଖିକୁ ନ ରଗଡିବାକୁ କହିଛନ୍ତି। ଏହା ଦ୍ୱାରା କାର୍ବାଇଡ ଗୁଣ୍ଡ ଆଖିରେ ନେସି ହୋଇ ଅଧିକ କ୍ଷତିଗ୍ରସ୍ତ କରିବ ବୋଲି ସତର୍କ କରିଛନ୍ତି।

ଭୋପାଲ ପଲିଟେକନିକ୍ ଅଞ୍ଚଳରେ ରହୁଥିବା ଅଲଜୈନର ମା ରେଶ୍ମା କହିଛନ୍ତି ଯେ ପୁଅ ପାଇଁ ଦୀପାବଳିରେ ବାଣ ଦୋକାନରୁ ସେ ଏହି ବନ୍ଧୁକ କିଣିଥିଲେ। ପୁଅ ଏହି ବନ୍ଧୁକରେ ଖେଳୁଥିବା ବେଳେ ତାହା ଆଉ ଫୁଟିନଥିଲା। ସେ ନଳ ବାଟେ ଭିତରକୁ ଦେଖିବାକୁ ଚେଷ୍ଟା କରୁଥିବା ବେଳେ ତାହା ଫୁଟି ଯାଇଥିଲା ଓ ପିଲା ଆଖିରୁ ରକ୍ତ ବୋହିଥିଲା। ଏଣୁ ତାକୁ ତୁରନ୍ତ ହସ୍ପିଟାଲ ନେଇ ଆସିଥିଲେ। ସେହିପରି ନେତ୍ର ବିଭାଗରେ ଭର୍ତ୍ତି ହୋଇଥିବା ଆଉ ଜଣେ ରୋଗୀ ପ୍ରଶାନ୍ତ ପୁରୁଣା ଭୋପାଲର ବାସିନ୍ଦା। ସେ ଏହି ବନ୍ଧୁକ ଫୁଟି ଆହତ ହୋଇଥିଲେ। ଡାକ୍ତର ଆଖିରୁ କାର୍ବାଇଡ କଣିକା ସଫା କରିଦେଇଛନ୍ତି। ହେଲେ ତାଙ୍କୁ ଧୂଆଁଳିଆ ଦେଖା ଯାଉଥିବା କହୁଛନ୍ତି।

ଘଟଣା ଜଣାପଡିବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସହରର ବୋରାସିଆଁରୁ ୧୯ଟି କାର୍ବାଇଡ ପାଇପ ଗନ ଜବତ ହୋଇଛି। ସହରର ଅନ୍ୟ ଅଞ୍ଚଳରେ ମଧ୍ୟ ଏହି ବନ୍ଧୁକ ଲାଗି ଚଢଉ ଜାରି ରହିଛି। ଏଥି ପାଇଁ ପ୍ରଶାସନ ପକ୍ଷରୁ ଟିମ୍ ଗଠନ କରି ଦୋକାନ ଦୋକାନ ବୁଲି ଏପରି ବନ୍ଧୁକ ଜବତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।