ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା Jet Blue, ମଝି ଆକାଶରେ ସାମ୍ନାକୁ ଆସିଗଲା ଆମେରିକା ବାୟୁସେନାର ଟ୍ୟାଙ୍କର ବିମାନ

NEWS7
aryan-khan-is-alive-only-on-biscuits-for-four-days-water-bought-from-canteen-has-started-running-out

ନ୍ୟୁୟର୍କ ସିଟି ୧୫।୧୨: କ୍ୟାରବିୟ ଦେଶ କୁରାକାଓରୁ ଉଡାଣ କରିଥିବା ଏକ ଜେଟ୍ ବ୍ଲୁ ଫ୍ଲାଇଟ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି। ତେବେ ବିମାନକୁ ନିଜ ଉଡାଣ ମୋଡିବାକୁ ପଡିଛି। କାରଣ ବିମାନ ସାମ୍ନାକୁ ଆମେରିକା ବାୟୁସେନା ଇନ୍ଧନବାହୀ ଟ୍ୟାଙ୍କର ଯୁଦ୍ଧବିମାନ ଆସିଯାଇଥିଲା। ଜେଟ୍ ବ୍ଲୁ ପାଇଲଟ ଏଥି ପାଇଁ ବାୟୁସେନା ବିମାନକୁ ଦାୟି କରିଛନ୍ତି। ଏୟାର ଟ୍ରାଫିକ କଣ୍ଟ୍ରୋଲ (ଏଟିସି) ସହ କଥାବାର୍ତ୍ତାରେ ପାଇଲଟ କହିଛନ୍ତି ଆମେ ମଝି ଆକାଶରେ ପାଖାପାଖି ଧକ୍କାଲାଗିବା ସ୍ଥିତିରେ ଥିଲୁ।

ଜେଟ୍ ବ୍ଲୁ ପାଇଲଟଙ୍କ କହିବା କଥା ହେଉଛି ଏୟାରଫୋର୍ସ ବିମାନ ସିଧା ଉଡାଣ ମାର୍ଗରେ ଆସିଯାଇଥିବା ବେଳେ ଏହାର ଟ୍ରାନ୍ସପୋଣ୍ଡର ବି ଚାଲୁ ନଥିଲା। ଦୁଇ ବିମାନଙ୍କ ମଧ୍ୟରେ ଦୂରତା ମାତ୍ର ୨ରୁ ୫ ମାଇଲ ମଧ୍ୟରେ ରହିଯାଇଥିଲା। ଅର୍ଥାତ ଶେଷ ମୁହୂର୍ତ୍ତରେ ପାଇଲଟ ନିଜର ଉପସ୍ଥିତ ବୁଦ୍ଧି ନ ଲଗାଇଥିଲେ ଯାତ୍ରୀ ବିମାନ ମଝି ଆକାଶରେ ଜଳି ଯାଇଥାନ୍ତା। ‘ଏବିସି ନ୍ୟୁଜ’ ରିପୋର୍ଟ ଅନୁସାରେ ଯୁଦ୍ଧ ବିମାନ ଓ ଯାତ୍ରୀ ବିମାନ ଆକାଶରେ ଧକ୍କା ହେବାକୁ ଯାଉଥିଲେ। ଜେଟ୍ ବ୍ଲୁ ପାଇଲଟ ଟ୍ୟାଙ୍କର ବିମାନକୁ ଦେଖିବାମାତ୍ରେ ସୂଚନା ଦେଇଥିଲେ ଯେ ତାଙ୍କ ରାସ୍ତାରେ ସିଧାସଳଖ ସାମ୍ନାରୁ ଏୟାରଫୋର୍ସ ରିଫ୍ୟୁଲର ଆସୁଛି। ଏଣୁ ବିମାନକୁ ଉପରକୁ ଉଠାଇ ହେବନି।

ପାଇଲଟ କହିଛନ୍ତି ଯେ ସେତେବେଳେ ଦୁଇ ବିମାନଙ୍କ ମଧ୍ୟରେ ଦୂରତା ମାତ୍ର ୫ ମାଇଲ ଥିଲା। ଏଥିରେ ମିଲେଟ୍ରି ଏୟାରକ୍ରାଫ୍ଟର ଟ୍ରାନ୍ସପୋଣ୍ଡର ମଧ୍ୟ ଚାଲୁନଥିଲା ଓ ଘଟଣା ପରେ ତାହା ଭେନଜୁଏଲା ବାୟୁକ୍ଷେତ୍ରକୁ ଚାଲି ଯାଇଥିଲା। ଜେଟ୍ ବ୍ଲୁ ମୁଖପାତ୍ର ଡେରେକ ଡୋମ୍ବ୍ରୋଭସ୍କି କହିଛନ୍ତି ଯେ ଏହି ଘଟଣାର ସୂଚନା ଫେଡେରାଲ ଏଜେନ୍ସୀକୁ ଦିଆଯାଇଛି ଓ କମ୍ପାନୀ ଯାଞ୍ଚରେ ସମ୍ପୂର୍ଣ୍ଣ ସହଯୋଗ କରିବ। ସେ କହିଛନ୍ତି ଯେ ଜେଟ୍ ବ୍ଲୁ ପାଇଲଟ ସବୁପ୍ରକାର ପରିସ୍ଥିତିରେ ସୁରକ୍ଷିତ ବିମାନ ଚାଳନା ନିମନ୍ତେ ପ୍ରଶିକ୍ଷିତ। ଏଣୁ ବିମାନ ମଝି ଆକାଶରେ ଦୁର୍ଘଟଣାରୁ ବର୍ତ୍ତି ଯାଇଛି ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ଏହି ମାମଲାରେ ଟିପ୍ପଣୀ ପାଇଁ ପେଣ୍ଟାଗନ ଆମେରିକା ବାୟୁସେନା ଆଡକୁ ଇସାରା କରିଛି। ତେବେ ବାୟୁସେନା ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ଜବାବ ମିଳି ନାହିଁ। ଯେତେବେଳେ ଏହି ଘଟଣା ଘଟିଲା ଜେଟ୍ ବ୍ଲୁ ଫ୍ଲାଇଟ୍ ୧୧୧୨ନ୍ୟୁୟର୍କ ସିଟି ଜନ ଏଫ କେନେଡି ଏୟାରପୋର୍ଟରେ ଅବତରଣ କରିବାର ଥିଲା। ତେବେ ଆମେରିକା ସଦର୍ଣ୍ଣ କମାଣ୍ଡ ଏହି ଘଟଣା ସମ୍ପର୍କରେ ଆମ ପାଖରେ ସୂଚନା ଥିବା କହିଛି। ଏଥିରେ କୁହାଯାଇଛି ଯେ ମିଲେଟ୍ରି ଏୟାର କ୍ରୁ ବେଶ୍ ପେଷାଦାର ତେବେ ଏହି ଘଟଣାକୁ ନେଇ ସବୁ ପରିସ୍ଥିତିକୁ ଏବେ ଦେଖାଯାଉଥିବା ସହ ଯାଞ୍ଚ କରାଯାଉଛି।