ମୁର୍ଶିଦାବାଦରେ ମାତ୍ର ୪୦ ଟଙ୍କାରେ ମିଳୁଛି ପେଟପୁରା ଖାଇବା, ଏହି ଗାୟକଙ୍କ ରେଷ୍ଟୁରାଣ୍ଟରେ ଲାଗିଲା ଭିଡ

Published By : Prameya-News7 Bureau | May 30, 2025 IST

ମୁମ୍ଵାଇ ୩୦।୦୫; ବଲିଉଡର ମ୍ୟୁଜିକ୍ ଇଣ୍ଡଷ୍ଟ୍ରିରେ ଅରିଜିତଙ୍କ ଖୁବ୍‌ ଦବଦବା । ଏହି ପ୍ଲେ ବ୍ୟାକ୍ ସିଙ୍ଗରଙ୍କୁ ଅବା କିଏ ନ ଜାଣେ । ଭାରତରୁ ଆରମ୍ଭ କରି ବିଦେଶ ପର୍ଯ୍ୟନ୍ତ। ଅରିଜିତଙ୍କର ଅନେକ ପ୍ରଶଂସକ ରହିଛନ୍ତି । ତାଙ୍କ ସୁମଧୁର ସ୍ଵରରେ ପ୍ରଶଂସକଙ୍କୁ ଦିୱାନା ବନାନ୍ତି। ଅରିଜିତଙ୍କ ସ୍ଵର ଯେତିକି ସୁମଧୁର ତାଙ୍କ ବ୍ୟକ୍ତିତ୍ବ ମଧ୍ୟ ସେତିକି ସୁନ୍ଦର । ଅନ୍ୟ କଳାକାରଙ୍କ ପରି ଅରିଜିତ ମଧ୍ୟ କରନ୍ତି ସମାଜସେବା । ନିକଟରେ ସେ ନିଜର ଏକ ରେଷ୍ଟୁରାଣ୍ଟ ଖୋଲିଛନ୍ତି । ଯାହାର ନାଁ ଦେଇଛନ୍ତି ‘ହେସେଲ୍’ । 

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଠାରେ ସେ ନିଜର ଏକ ରେସ୍ତୋରାଁ ଖୋଲିଛନ୍ତି । ଅନ୍ୟ କଳାକାରଙ୍କ ପରି ନୁହଁନ୍ତି ଅରିଜିତ । ସାଧାରଣ ଲୋକଙ୍କ ସୁବିଧା ପାଇଁ ଏହି ରେଷ୍ଟୁରାଣ୍ଟ ଖୋଲିଛନ୍ତି । ଅରିଜିତଙ୍କ ନୂତନ ରେଷ୍ଟୁରାଣ୍ଟର ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ସମ୍ମାନର ସହିତ ଖାଦ୍ୟ ଯୋଗାଇବା। ରେଷ୍ଟୁରାଣ୍ଟରେ ମାତ୍ର ୪୦ ଟଙ୍କା ଦେଇ ଜଣେ ଲୋକ ପେଟପୁରା ଖାଦ୍ୟ ଖାଇପାରିବେ। ତାହା ପୁଣି  ନିରାମିଷ ଏବଂ ନିରାମିଷ ଉଭୟ ପ୍ରକାରର ଖାଦ୍ୟ ଉପଲବ୍ଧ । ଆଜିର ମହଙ୍ଗା ସମୟରେ ସୁସ୍ବାଦୁ ଖାଦ୍ୟ ଖାଇବା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବାକୁ ପଡେ। ହେଲେ ଗାୟକଙ୍କ ରେଷ୍ଟୁରାଣ୍ଟରେ ୪୦ ଟଙ୍କାରେ ଖାଇପାରିବେ । ଏହା ନୂଆ ନୁହଁ କିନ୍ତୁ ଏବେ ଏହାର ଚର୍ଚ୍ଚା ସୋସିଆଲ ମିଡିଆରେ ହେଉଛି। ରେଷ୍ଟୁରାଣ୍ଟର ବୁଝାସୁଝା ଗାୟକଙ୍କ ପିତା ଗୁରଦୟାଲ ସିଂ କରୁଛନ୍ତି । ଏଠାରେ ସୁସ୍ଵାଦ ଖାଦ୍ୟ ପାଇଁ ସବୁବେଳେ ଗ୍ରାହକଙ୍କ ଭିଡ଼ ଲାଗିଥାଏ। 

ତେବେ କିଛି ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ପୂର୍ବରୁ ଏହି ରେଷ୍ଟୁରାଣ୍ଟ ୪୦ ଟଙ୍କାରେ ପେଟପୂରା ଭୋଜନ ମିଳୁଥିଲା । ବର୍ତ୍ତମାନ କେବଳ ଛାତ୍ରଛାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ରହିଛି । ଅନ୍ୟ ଗ୍ରାହକଙ୍କ ପାଇଁ ଖାଦ୍ୟର ମୂଲ୍ୟ ୪୦ ଟଙ୍କାରୁ ଅଧିକ । ଏହି ରେସ୍ତୋରାଁ ଦିନ ୧୦ ଟାରୁ ଆରମ୍ଭ କରି ରାତି ୧୧ ଟା ପର୍ଯ୍ୟନ୍ତ ଖୋଲା ରୁହେ । ଯେଉଁଠି ଅନ୍ୟ ସେଲିବ୍ରିଟି ହାଇ-ଫାଇ ରେଷ୍ଟୁରାଣ୍ଟ ଖୋଲି ଆକାଶଛୁଆଁ ଦରରେ ଖାଦ୍ୟ ବିକ୍ରି କରନ୍ତି ସେଠାରେ ଅରିଜିତଙ୍କ ଏଭଳି ସେବା ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.