BMC ମେୟର ନିର୍ବାଚନ: ସିନ୍ଦେଙ୍କ ସର୍ତ୍ତ ଆଗରେ ନଇଁବ କି ବିଜେପି?

NEWS7
are-you-worried-about-hair-loss

ମୁମ୍ବାଇ ୧୯।୧: ବୃହନ୍ମୁମ୍ବାଇ ମହାନଗର ନିଗମ (ବିଏମସି) ନିର୍ବାଚନ ଫଳାଫଳ ରାଜନୀତିକୁ ଏକ ନୂଆ ମୋଡ଼ ଦେଉଛି। ସିଟ୍ ସଂଖ୍ୟା ଆଧାରରେ କୌଣସି ଗୋଟିଏ ପାର୍ଟିକୁ ନଗର ନିଗମରେ ସ୍ପଷ୍ଟ ସଂଖ୍ୟାଗରିଷ୍ଠତା ମିଳି ନାହିଁ, ହେଲେ ମେୟର ପଦବୀର ଚାବି ଏବେ ଶିବସେନା ମୁଖ୍ୟ ଓ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ହାତରେ ଥିବାର କୁହାଯାଉଛି। ୨୨୭ ସଦସ୍ୟଙ୍କ ବିଏମସିରେ ମ୍ୟାଜିକ ନମ୍ବର ହେଉଛି ୧୧୪। ନିର୍ବାଚନ ଫଳାଫଳ ଅନୁସାରେ ବିଜେପିକୁ ୮୯ଟି ଆସନ ମିଳିଥିବା ବେଳେ ଏକନାଥ ସିନ୍ଦେଙ୍କ ଶିବସେନାକୁ ୨୯ଟି ଆସନ ମିଳିଛି। ଏଣୁ ମିଳିତ ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଛନ୍ତି। ଖାସ ଏଥି ପାଇଁ ଏବେ ମେୟର ନିର୍ବାଚନରେ ସିନ୍ଦେଙ୍କ ସହମତି ଜରୁରି ହୋଇଯାଇଛି।

ନିର୍ବାଚନରେ ରାଜନୈତିକ ଗୁରୁତ୍ୱ ଦୃଷ୍ଟିରୁ ଏକନାଥ ସିନ୍ଦେ ତାଙ୍କର ସମସ୍ତ ନିର୍ବାଚିତ କାଉନସିଲରଙ୍କୁ ମୁମ୍ବାଇର ବାନ୍ଦ୍ରା ଅଞ୍ଚଳରେ ଥିବା ଏକ ପଞ୍ଚତାରକା ହୋଟେଲକୁ ପଠାଇ ଦେଇଛନ୍ତି। କାଉନସିଲରଙ୍କ କିଣାବିକାକୁ ନେଇ ପାର୍ଟି ଭୟଭୀତ ଅଛି। ଏଣୁ ଘୋଡ଼ା ବେପାରରୁ ବର୍ତ୍ତିବା ପାଇଁ ସିନ୍ଦେ କାଉନସିଲରଙ୍କୁ ହୋଟେଲରେ ରଖିଥିବା ବେଳେ ଏହାକୁ ଏକ ୩ ଦିନିଆ ୱାର୍କସପ୍ ବୋଲି କହିଛନ୍ତି, ଯେଉଁଥିରେ ନବ ନିର୍ବାଚିତ କାଉନସିଲରଙ୍କୁ ବିଏମସିର କାର୍ଯ୍ୟଶୈଳୀ, ପ୍ରଶାସନିକ ପ୍ରକ୍ରିୟା ଓ ବିକାଶ ଯୋଜନା ସମ୍ପର୍କରେ ସୂଚନା ଦିଆଯାଉଛି। ତେବେ ସିନ୍ଦେ ଗୋଷ୍ଠୀ ନେତା ରାହୁଲ ଶେବାଲେ କହିଛନ୍ତି ଯେ ୱାର୍କସପରେ ଆଗାମୀ ନିଗମ ନିର୍ବାଚନ ନିମନ୍ତେ ରଣନୀତି ନିର୍ଦ୍ଧାରଣ ସମେତ ବାଲାସାହେବ ଠାକରେଙ୍କ ଜନ୍ମ ଶତାବ୍ଦୀ ବର୍ଷରେ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ବିଚାରବିମର୍ଷ ଚାଲିଛି।

ଏ ସବୁ ମଧ୍ୟରେ ରାଜନୈତିକ ଅଳିନ୍ଦରେ ଏବେ ସିନ୍ଦେ ଗୋଷ୍ଠୀ କାଉନସିଲର ହୋଟେଲରେ ରହିବା ନେଇ ପ୍ରଶ୍ନ ଉଠୁଛି। ବିଏମସି ନିର୍ବାଚନରେ ବିଜେପି ଓ ଶିବସେନା ମିଳିତ ମେଣ୍ଟ କରି ନିର୍ବାଚନ ଲଢିଥିଲେ। ଏହା ପରେ ବି ଏପରି ପରିସ୍ଥିତି କାହିଁକି ଉପୁଜିଲା ସେ ନେଇ ପ୍ରଶ୍ନ ଉଠୁଛି। ସୂତ୍ର ଅନୁସାରେ ସିନ୍ଦେ ଗୋଷ୍ଠୀ ମେୟର ନିର୍ବାଚନ ପୂର୍ବରୁ ମେଣ୍ଟ ଆଗରେ ନିଜର ପ୍ରମୁଖ ଦାବି ରଖିଛି। ଏଥିରେ ସିନ୍ଦେ ଗୋଷ୍ଠୀ ୫ ବର୍ଷିଆ ମେୟର କାର୍ଯ୍ୟକାଳକୁ ଦୁଇ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ ଅଢେଇ ବର୍ଷ ଲାଗି ବାଣ୍ଟିବାକୁ ଦାବି କରୁଛି। ଏଥିରେ ପ୍ରଥମ ଅଢେଇ ବର୍ଷ କାର୍ଯ୍ୟକାଳ ଶିବସେନା ନିଜ ମେୟର ରଖିବାକୁ ଚାହୁଁଛି। ଏହା ଛଡା ବିଏମସିରେ ସବୁଠୁ ଶକ୍ତିଶାଳୀ କମିଟି ମନେ କରାଯାଉଥିବା ଷ୍ଟାଣ୍ଡିଂ କମିଟି ଚେୟାରମ୍ୟାନସିପ୍ ଉପରେ ମଧ୍ୟ ସିନ୍ଦେଙ୍କ ଶିବସେନା ନଜର ରଖିଛି। ସିନ୍ଦେ ଗୋଷ୍ଠୀ କମିଟି ଗଠନରେ ୨:୧ ଅନୁପାତ ଦାବି କରୁଛି।

ତେବେ ଏହି ପୁରା ଘଟଣାକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀଶ କହିଛନ୍ତି ଯେ ମେୟର ନିର୍ବାଚନରେ ହର୍ଷ ଟ୍ରେଡିଂ ହେବ ନାହିଁ। ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ ମେୟର ପଦବୀ ଲାଗି ଚୂଡା଼ନ୍ତ ନିଷ୍ପତ୍ତି ବିଜେପି ଓ ସିନ୍ଦେଙ୍କ ଶିବସେନା ନେବେ ଓ ମୁମ୍ବାଇ ପ୍ରଶାସନରେ ସ୍ଥିରତା ସୁନିଶ୍ଚିତ କରାଯିବ। ଏଥି ମଧ୍ୟରେ ଶିବସେନା(ୟୁବିଟି) ନେତା ଉଦ୍ଧବ ଠାକରେ ଏବେକା ପରିସ୍ଥିତି ନେଇ ଟିପ୍ପଣୀ କରିଛନ୍ତି ଓ ବିଜେପିର ରାଜନୈତିକ କାର୍ଯ୍ୟକ୍ରମ ଉପରେ ପ୍ରଶ୍ନ ଉଠାଇଛନ୍ତି। ମୋଟ ଉପରେ ବିଏମସି ରେ କ୍ଷମତା ସନ୍ତୁଳନ ଏପରି ଯେ ସିନ୍ଦେଙ୍କ ସମର୍ଥନ ବିନା ମେୟର ନିର୍ବାଚନ ସମ୍ଭବ ଲାଗୁ ନାହିଁ। କାଉନସିଲରଙ୍କୁ ପୃଥକ କରି ରଖିବା, କ୍ଷମତା ଭାଗିଦାରୀର ସର୍ତ୍ତ ଓ ପଦବୀ ନେଇ ଆଲୋଚନାରେ ଏହା ସ୍ପଷ୍ଟ ହୋଇଯାଇଛି ଯେ ମୁମ୍ବାଇ ଶାସନ ସମ୍ପର୍କରେ ପୃଥକ ନିଷ୍ପତ୍ତି ନେବା ଅନେକାଂଶରେ ଏକନାଥ ସିନ୍ଦେଙ୍କ ରଣନୀତି ଓ ସହମତି ଉପରେ ଏବେ ନିର୍ଭର କରୁଛି।