ଭାରତରେ ଖୋଲିବାକୁ ଯାଉଛି ଆପଲର ୩ୟ ଷ୍ଟୋର, ଏହି ଦିନ ହେବ ଶୁଭାରମ୍ଭ

Published By : Prameya-News7 Bureau | August 21, 2025 IST

ନୂଆଦିଲ୍ଲୀ: ଟେକ୍‌ କମ୍ପାନି ଆପଲ ବେଙ୍ଗାଲୁରୁରେ ଏହାର ନୂଆ ଷ୍ଟୋର ଖୋଲିବାକୁ ଯାଉଛି। ଏହି ଷ୍ଟୋର୍‌ର ନାଁ ରହିଛି ‘ଆପଲ ହେବ୍ବଲ’ ଷ୍ଟୋର। ସେପ୍ଟେମ୍ବର ୨ରେ ଏହାର ଶୁଭାରମ୍ଭ ହେବାକୁ ଯାଉଥିବାବେଳେ ଏହି ଷ୍ଟୋର ଦେଶରେ କମ୍ପାନିର ତୃତୀୟ ରିଟେଲ ଷ୍ଟୋର ହେବ। ଆପଲ ହେବ୍ବଲ ଷ୍ଟୋରର ଲୁକ୍ ଏବଂ ଡିଜାଇନ ଭାରତୀୟ ସଂସ୍କୃତିକୁ ଧ୍ୟାନରେ ରଖି ପ୍ରସ୍ତୁତ କରାଯାଇଛି। 

ସୂଚନାଥାଉକି, ପୂର୍ବରୁ ୨୦୨୩ ଏପ୍ରିଲ ୧୮ରେ ମୁମ୍ବାଇର ଆପଲ ବିକେସି ଷ୍ଟୋରର ଓପନିଂ ହୋଇଥିଲା। ସେହିଭଳି ଏପ୍ରିଲ ୨୦ରେ ଦିଲ୍ଲୀରେ ଆପଲ ସାକେତ ଷ୍ଟୋରର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଏହି ଦୁଇଟିଯାକ ଷ୍ଟୋରକୁ ଆପଲ ସିଇଓ ଟିମ୍ କୁକ ଉଦଘାଟନ କରିଥିଲେ। ଆଉ ଏବେ କମ୍ପାନିର ତୃତୀୟ ଷ୍ଟୋର ୨୦୨୫ ସେପ୍ଟେମ୍ବର ୨ରେ ବେଙ୍ଗାଲୁରୁର ଫିନିକ୍ସ ମଲ୍‌ ଅଫ୍‌ ଏସିଆରେ ଖୋଲିବ।

ଷ୍ଟୋରରେ ଗ୍ରାହକଙ୍କୁ ଆପଲର ସବୁ ପ୍ରଡକ୍ଟ ଯେପରିକି ଆଇଫୋନ, ଆଇପ୍ୟାଡ୍‌, ମ୍ୟାକ୍‌ବୁକ୍‌, ଆପଲ ଓ୍ବାଚ୍‌ ଏବଂ ଏୟାରପଡ୍ସ କିଣିବା ତଥା ଦେଖିବାକୁ ମିଳିବ। ଏହା ସହ ଆପଲର ବିଶେଷଜ୍ଞ ଟିମ୍‌ ଗ୍ରାହକଙ୍କୁ ପ୍ରଡକ୍ଟ ବିଷୟରେ ପୂରା ସୂଚନା ଦେବେ। ଷ୍ଟୋରରେ ଗ୍ରାହକଙ୍କୁ କେବଳ ପ୍ରଡକ୍ଟ କିଣିପାରିବେ ତାହା ନୁହେଁ। ଆପଲର ପିକଅପ୍ ସର୍ଭିସ ମଧ୍ୟ ଫାଇଦା ନେଇପାରିବେ। ଅର୍ଥାତ ଅନଲାଇନ ଅର୍ଡର କରି ଷ୍ଟୋରରୁ ପ୍ରଡକ୍ଟ କିଣିପାରିବେ ଗ୍ରାହକ। 

ଆପଲ ହେବ୍ବଲ ଷ୍ଟୋର୍‌ର ଲୁକ୍ ଏବଂ ଡିଜାଇନ ଭାରତର ସଂସ୍କୃତିକୁ ଧ୍ୟାନରେ ରଖି ଏହାକୁ ତିଆରି କରାଯାଇଛି। ଷ୍ଟୋର ବାହାରର ଡିଜାଇନକୁ ଭାରତର ଜାତୀୟ ପକ୍ଷୀ ମୟୂର ପୂଚ୍ଛରେ କରାଯାଇଛି।  

ବେଙ୍ଗାଲୁରୁ ହେଉଛି ଆପଲର ଦ୍ୱିତୀୟ ବଡ଼ ହବ୍

କାଲିଫର୍ଣ୍ଣିଆରେ ଥିବା ମୁଖ୍ୟାଳୟ ପରେ ବେଙ୍ଗାଲୁରୁ ଏବେ ଆପଲର ଦ୍ୱିତୀୟ ସବୁଠୁ ବଡ଼ ଅପରେସନାଲ ହବ୍‌ ପାଲଟିଛି। ବର୍ତ୍ତମାନ କମ୍ପାନି ଉତ୍ତର ବେଙ୍ଗାଲୁରୁର ସାଙ୍କେ ରୋଡରେ ଥିବା ଏମ୍ବାସି ଜେନିଥରେ ୧୦ ବର୍ଷର ଲକ୍-ଇନ୍ ଅବଧି ସହ ୨.୭ ଲକ୍ଷ ବର୍ଗଫୁଟ ଅଫିସ୍ ସ୍ଥାନ ଅଧିଗ୍ରହଣ କରିଛି। ଏହି ଚୁକ୍ତି ୧,୦୧୦ କୋଟି ଟଙ୍କାରେ କରାଯାଇଥିଲା।

କମ୍ପାନି ଭାରତରେ କେବଳ ରିଟେଲ ଷ୍ଟୋର ଖୋଲୁନାହିଁ ବରଂ ଉତ୍ପାଦନ ଉପରେ ମଧ୍ୟ ଧ୍ୟାନ ଦେଉଛି। ନିକଟରେ ପ୍ରକାଶିତ ରିପୋର୍ଟ ଅନୁସାରେ କମ୍ପାନି iPhone 17 ସିରିଜର ସବୁ ମଡେଲ ଭାରତରେ ଉତ୍ପାଦନ କରିବ। ଏହି ଉତ୍ପାଦନ ତାମିଲନାଡୁର ହୋସୁରରେ ଥିବା ଟାଟା ଗ୍ରୁପ୍ ଫ୍ୟାକ୍ଟ୍ରି ଏବଂ ବେଙ୍ଗାଲୁରୁରେ ଥିବା ଫକ୍ସକନ ଫ୍ୟାକ୍ଟ୍ରିରେ ହେଉଛି। ଟିମ୍ କୁକ୍ ଏହା ମଧ୍ୟ ପ୍ରକାଶ କହିଛନ୍ତି ଗତ ଜୁନ୍ ମାସରେ ଆମେରିକାରେ ବିକ୍ରି ହୋଇଥିବା ଅଧିକାଂଶ ଆଇଫୋନ୍ ଭାରତରେ ତିଆରି ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.