ପାଟନା : ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର ଅଧ୍ୟକ୍ଷ ଲାଲୁ ଯାଦବଙ୍କ ଦ୍ୱାରା ନିଜର ବଡ଼ ପୁଅ ତେଜ ପ୍ରତାପ ଯାଦବଙ୍କୁ ପାର୍ଟି ଓ ପରିବାରରୁ ବହିଷ୍କାର କରିବା ପରେ, ଅନୁଷ୍କା ଯାଦବଙ୍କ ଭାଇ ଆକାଶ ଯାଦବ କ୍ରୋଧିତ ହୋଇଛନ୍ତି। ସେ ଅନୁଷ୍କାଙ୍କ ସମ୍ମାନର ରକ୍ଷା କରିବା ପାଇଁ ଲଢିବାକୁ କହିଛନ୍ତି ଏବଂ ଯଦି ଲାଲୁ ଯାଦବ ବିବାଦ ବନ୍ଦ କରିବାକୁ କୌଣସି ପଦକ୍ଷେପ ନନିଅନ୍ତି, ତେବେ ସେ ଏକ ଲମ୍ୱା ଲଢେଇ ଲଢିବାକୁ ଘୋଷଣା କରିଛନ୍ତି। ତେଜ ପ୍ରତାପଙ୍କ ଫେସବୁକ୍ ପେଜ୍ରୁ ଶନିବାର ଅନୁଷ୍କାଙ୍କ ସହ ଏକ ଫଟୋ ପୋଷ୍ଟ କରି ୧୨ବର୍ଷ ହେବ ଦୁହିଁଙ୍କ ମଧ୍ୟରେ ଥିବା ସଂପର୍କର କଥାକୁ ସ୍ୱୀକାର କରିଥିଲେ, କିନ୍ତୁ ସେହି ପୋଷ୍ଟକୁ କିଛି ସମୟ ପରେ ଡିଲିଟ୍ କରି ଦିଆଯାଇ ଥିଲା। ବିଳମ୍ୱିତ ରାତିରେ ତେଜ ପ୍ରତାପ ଟ୍ୱିଟ୍ କରି କହିଥିଲେ ଯେ, ତାଙ୍କର ଫେସବୁକ୍ ହ୍ୟାକ୍ ଓ ଫଟୋ ଏଡିଟ୍ କରି ବଦନାମ କରିବାକୁ ଚେଷ୍ଟା କରାଯାଇଛି।
ପଶୁପତି ପାରସଙ୍କ ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲଜେପି)ର ଛାତ୍ର ୱିଙ୍ଗ୍ର ଅଧ୍ୟକ୍ଷ ଆକାଶ ଯାଦବ ଲାଲୁ ଯାଦବଙ୍କୁ ଏହି ମାମଲା ପ୍ରତି ଧ୍ୟାନ ଦେବାକୁ ଅନୁରୋଧ କରିଛନ୍ତି ଏବଂ ଏହାସହ ଚେତାବନୀ ମଧ୍ୟ ଦେଇଛନ୍ତି ଯେ , ଯଦି ଏହାକୁ ରୋକା ନଯାଏ ତ ଏହି ଲଢେଇ ବହୁ ଦୂର ଯାଏ ଯିବ। ଏକ ଟିଭି ଚ୍ୟାନେଲ ସହ କଥାବାର୍ତ୍ତାରେ ଆକାଶ କହିଛନ୍ତି ଯେ, ତେଜ ପ୍ରତାପ ଯାଦବଙ୍କୁ ବାହାର କରିବା ନିଷ୍ପତ୍ତି ଲାଲୁ ତରବରରେ ନେଇଛନ୍ତି। ଏହା ମୁଗଲ-ଏ-ଆଜମର ସମୟ ନୁହେଁ , ବରଂ ସମ୍ୱିଧାନ ଓ ଗଣତନ୍ତ୍ରର ସମୟ। ତେଜ ପ୍ରତାପ ଯାଦବ ଓ ଅନୁଷ୍କାଙ୍କ ସମ୍ୱନ୍ଧରେ ଆକାଶ କହିଛନ୍ତି ଯେ, ଉଭୟ ପ୍ରାପ୍ତ ବୟସ୍କ , ଏହା ଉପରେ ସେ ଆଲୋଚନା କରିବେ ନାହିଁ। ଦୁଇ ପରିବାରର ଇଜ୍ଜତ , ମାନ ସମ୍ମାନକୁ ନିଲାମ କରାଯାଉଛି।
ଆକାଶ ଯାଦବ କହିଛନ୍ତି, ସେ ନିଜର ସାନ ଭଉଣୀ (ଅନୁଷ୍କା)ଙ୍କ ମାନ ସମ୍ମାନ ଓ ପ୍ରତିଷ୍ଠା ପାଇଁ ସଂଘର୍ଷ କରିବେ। ସେ କହିଛନ୍ତି, ଲାଲୁ ଯାଦବଙ୍କୁ ଆମେ ସବୁ ମାନୁ। ତାଙ୍କୁ ଅନୁରୋଧ କି, ସେ ସମାଧାନ କରନ୍ତୁ। ଜିନିଷକୁ ଧ୍ୟାନକୁ ନିଅନ୍ତୁ। ଯଦି ସଠିକ୍ ସମୟରେ ରୋକା ନଯାଏ ତ, ଏହି ଲଢେଇ ବହୁ ଦୂର ଯାଏ ଯିବ। ତେଜଙ୍କୁ ବହିଷ୍କାର କରିବାକୁ ନେଇ ସେ କହିଛନ୍ତି , ଲାଲୁ ଏହି ନିଷ୍ପତ୍ତି ନିଜେ ନେଇ ନାହାନ୍ତି, ବରଂ ତାଙ୍କ ଦ୍ୱାରା କରାଯାଇଛି। ଆକାଶ ଦାବି କରିଛନ୍ତି ଯେ, ତାଙ୍କ ସହ ୨୦୧୮ ଓ ୨୦୨୧ରେ ମଧ୍ୟ ଅତ୍ୟାଚାର ହୋଇଥିଲା। ସେ କହିଛନ୍ତି ଯେ , ସେ ଗରିବ ଯାଦବ ପରିବାରରୁ ଆସିଥିବା ଯୋଗୁଁ ତାଙ୍କ ସହ କଣ ବାରମ୍ୱାର ଅନ୍ୟାୟ ହେବ।
ତେଜ ପ୍ରତାପ ଯାଦବଙ୍କ ପ୍ରଶଂସା କରି ଆକାଶ ଯାଦବ କହିଛନ୍ତି , ଲୋକେ ତାଙ୍କ ପ୍ରକୃତି ବିଷୟରେ ଜାଣନ୍ତି। ତେଜ ପ୍ରତାପ ନିଜର ଦୃଢ ପଦକ୍ଷେପ ଓ ନିଷ୍ପତ୍ତି କାରଣରୁ ଜଣାଯା'ନ୍ତି। ତାଙ୍କର ରୂପ ଏବେ କେହି ଜାଣୁ ନାହାନ୍ତି। ଆମର ତାଙ୍କ ସହ ରାଜନୀତିକ ଅନୁଭବ ଅଛି। ନିଜ କଥାରେ ସେ ପୂରା ତିଷ୍ଠି ରହିଥା'ନ୍ତି।