ଅଣାୟତ୍ତ ଝାଡ଼ାବାନ୍ତି, ଚାଲିଗଲା ଆଉ ଜଣଙ୍କ ଜୀବନ, ୧୦ରୁ ଅଧିକ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 16, 2025 IST

ଆଠଗଡ଼ ୧୬।୦୬ :  ଝାଡ଼ାବାନ୍ତି ନେଲା ଜୀବନ । କଟକ ଜିଲ୍ଲା ନରସିଂହପୁର ବ୍ଲକ ଅନ୍ତର୍ଗତ ଡିମିରିଆ ଗାଁରେ ଝାଡାବାନ୍ତିରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ଶାନ୍ତିଲତା ନାଏକ (୫୫ ବର୍ଷ) ବୋଲି ଜଣାପଡ଼ିଛି। ସେହିପରି ତାଙ୍କ ପରିବାରର ଦେବସ୍ମିତା ନାଏକ (୨୭ବର୍ଷ), ବିଶ୍ୱଜିତ ନାଏକ (୧୨ ବର୍ଷ), ଅଭିଜିତ ନାଏକ (୮ ବର୍ଷ) ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମାରେ ଶାନ୍ତି ଲତାଙ୍କ ଭାଇ ପୂର୍ବତନ ଗ୍ରାମରକ୍ଷୀ ସୁରସେନ ନାଏକଙ୍କ (୭୦ ବର୍ଷ) କିଡ଼ନୀ ରୋଗରେ ମୃତ୍ୟୁ ଘଟିଥିଲା। ଏହାର କିଛି ଦିନ ମଧ୍ୟରେ ହିଁ ଶାନ୍ତି ଲତା ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ରବିବାର ଦିନ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ନରସିଂହପୁର ମେଡିକାଲକୁ ଚିକିତ୍ସା ପାଇଁ ଆଣାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପରେ ଡିମିରିଆ ଗାଁରେ ଶୋକର ଛାୟା ଖେଳିଯାଇଛି। 

ସେହିପରି କଟକ ଜିଲ୍ଲା ବାଙ୍କୀ ଘୋଳପୁର ଗାଁରେ ଗତ କିଛି ଦିନ ହେଲା ଝାଡ଼ାବାନ୍ତି ବ୍ୟାପିଛି । ଯେଉଁଥିରେ ୧୦ରୁ ଅଧିକ ଲୋକ ଆକ୍ରାନ୍ତ ହୋଇ କଟକ ଜିଲ୍ଲା ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି । ସମସ୍ତ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି । ଏହାସହିତ ଗାଁ ଗୁଡ଼ିକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟିମ୍‌ ନିୟୋଜିତ ହୋଇଛନ୍ତି । ଆଗକୁ କିପରି ଝାଡ଼ାବାନ୍ତି ନବ୍ୟାପିବ, ସେଥିପାଇଁ ଆଗୁଆ ପ୍ରତିଶେଧକ ବ୍ୟବସ୍ଥା ସହ ବ୍ୟାପକ ସଚେତନତା କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.